ମୁକ୍ତାପୁରରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ!

ଖୋର୍ଧା : ଖୋର୍ଧା ଜିଲ୍ଲାର ମୁକ୍ତାପୁରଠାରେ ବହୁଚର୍ଚ୍ଚିତ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୫୦ ଏକର ଜାଗା ଚିହ୍ନଟ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ଘୋଷଣା କରିବା ପରେ ଏହି ବିଶ୍ୱବିଦ୍ୟାଳୟ କେଉଁଠାରେ ସ୍ଥାପନ କରାଯିବ, ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଏଥିପାଇଁ ଜାଗା ଚିହ୍ନଟ କରିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଖୋର୍ଧା ଜିଲ୍ଲା ପ୍ରଶାସନକୁ ମଧ୍ୟ ଜାଗା ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିଲା। ତଦନୁଯାୟୀ ଖୋର୍ଧା ଜିଲ୍ଲାର ଖୋର୍ଧା ତହସିଲ ଅଞ୍ଚଳର ମୁକ୍ତାପୁର ଅଞ୍ଚଳରେ ୫୦ ଏକର ଓ ଜଟଣୀ ତହସିଲ ଅଞ୍ଚଳରେ ୩୦ ଏକର ଜମି ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କୁ ଜଣାଇ ଦେଇଥିବା ସୂଚନା ଦେଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଜଟଣୀରେ ୩୦ ଏକର ଜାଗା କେଉଁଁ ଅଞ୍ଚଳ, ତାହାର ନାମ ପ୍ରକାଶ କରାଯାଇନାହିଁ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଧିକ ଜାଗାର ଆବଶ୍ୟକତା ଥିବାରୁ ଏବଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବାରୁ ପ୍ରସ୍ତାବିତ ଏହି ବିଶ୍ୱବିଦ୍ୟାଳୟ ମୁକ୍ତାପୁରରେ ହେବ ବୋଲି ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଖୋର୍ଧାଠାରେ ଅନୁଷ୍ଠିତ ପାଇକ ବିଦ୍ରୋହର ୨୦୦ତମ ପୂର୍ତି ଉତ୍ସବର ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇଥିବା ରାଜ୍ୟ ସଂସ୍କୃତି ବିଭାଗ କମିସନର୍‌ ତଥା ସଚିବ ମନୋରଂଜନ ପାଣିଗ୍ରାହୀଙ୍କୁ ପଚରାଯିବାରୁ, ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଭଲ ବୋଲି କହି ପରୋକ୍ଷରେ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର