ବିଭ୍ରାଟରୁ ଆରମ୍ଭ : ୧୮ ମିନିଟ୍‌ରେ ସୀମିତ ଗୃହ କାର୍ଯ୍ୟ

ଚାଷୀ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରି ନାହିଁ। ଗୃହରେ ଚାଷୀ ଝଡ଼ ଏପରି ବହିଥିଲା ଯେ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ ସମେତ ପୂରା‌ ଦିନର ଗୃହ କାର୍ଯ୍ୟ ଝଡ଼ରେ ଉଡ଼ିଯାଇଥିଲା।

ଗତ ସେ‌ପ୍ଟେମ୍ବର ମୌସୁମୀ ଅଧିବେଶନରେ ଗୋଟିଏ ବି ଦିନ ପ୍ରଶ୍ନକାଳ ହୋଇପାରି ନ ଥିଲା। କେଉଁ ଦିନ କଂଗ୍ରେସ ତ କେଉଁ ଦିନ ବିଜେପି, ପୁଣି କେଉଁ ଦିନ ଶାସକ ବିଜେଡି ଦଳ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଅନ୍ୟ ଆଲୋଚନା ହୋଇଥିଲେ ବି ପ୍ରଶ୍ନକାଳ ଆଦୌ ହୋଇ ନ ଥିଲା। ଆଜି ଶୀତ ଅଧିବେଶନର
ପ୍ରଥମ ଦିନରେ ତାହାର ପୁନରାବୃତ୍ତି ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଆଜି ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା। ପୂର୍ବତନ ସରକାରୀ ଉପମୁଖ୍ୟ ସଚେତକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ଆସାମ ରାଇଫଲ୍‌ସ୍‌ର ପୂର୍ବତନ ରାଇଫଲ୍ ମ୍ୟାନ୍ ଚମ୍ପେଶ୍ବର ମହାକୁଡ଼, ସିଆର୍‌ପିଏଫ୍‌ର ପୂର୍ବତନ ଡ୍ରାଇଭର୍ ବ୍ରଜମୋହନ ବେହେରା, ଦୂରଦର୍ଶନର ପୂର୍ବତନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଦିବଂଗତମାନଙ୍କର ସ୍ମୃତିଚାରଣ କରି ଶୋକପ୍ରକାଶ କରିଥିଲେ। ଶେଷରେ ବାଚସ୍ପତି ଶୋକ ପ୍ରକାଶ କଲା ପରେ ନିରବ ପ୍ରାର୍ଥନା କରାଯାଇଥିଲା।

ଶୋକ ଆଲୋଚନା ପରେ ୧୧ଟା ୧୩ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିବା ପାଇଁ ଠିଆ ହୋଇ ଚାଷୀ ପ୍ରସଙ୍ଗ କହିବାକୁ ଚାହିଁଲେ। କିନ୍ତୁ ବାଚସ୍ପତି ସୁଯୋଗ ନ ଦେଇ ପ୍ରଶ୍ନକାଳ ଜାରି ରଖିଲେ। ଏହା ପରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଲେ। ବିଜେପି ସଭ୍ୟମାନେ ବି ମଧ୍ୟ ଭାଗକୁ ଆସିଗଲେ। ନାରାବାଜି ଆରମ୍ଭ ହୋଇଗଲା ଚାଷୀ ମାରଣ ନୀତି ଚଳିବ ନାହିଁ…., ଚାଷୀ ପ୍ରସଙ୍ଗରେ ଆଲୋଚନା ଆମର ଦାବି…। ହୋହଲ୍ଲାରେ ଗୃହ କାର୍ଯ୍ୟ ଅଟକିଗଲା। ୧୧ଟା ୧୪ରେ ବାଚସ୍ପତି ଗୃହକୁ ୧୨ଟା ୧୪ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

୧୨ଟା ୧୪ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି କଂଗ୍ରେସ ସଭ୍ୟମାନେ ମଧ୍ୟ ଭାଗକୁ ଆସି ନାରାବାଜି ଚଳାଇଲେ। ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ଟେବୁଲ୍ ବାଡ଼େଇଲେ। ବାଚସ୍ପତି କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା ଓ ଜର୍ଜ ତିର୍କୀଙ୍କ କଂଗ୍ରେସରେ ଯୋଗଦାନ ଆଦି ନେଇ ଘୋଷଣା କରିଥିଲେ। ଶେଷରେ ୧୨ଟା ୧୮ରେ ଗୃହକୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ସମ୍ବନ୍ଧିତ ଖବର