ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇଁ ଶାଣିତ ହେବ ସ୍ବର

ଲୋକାଦୃତ କରିବାକୁ ଆୟୋଜିତ ହେବ ‘ଉତ୍କର୍ଷ’
ରଣନୀତି ପ୍ରସ୍ତୁତ କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି

ଭୁବନେଶ୍ବର : ଓଡ଼ିଶୀ ସଙ୍ଗୀତକୁ ଜନାଦୃତ କରିବା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମି ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ‘ଉତ୍କର୍ଷ’ ନାମକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ମାଧ୍ୟମରେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ସ୍ବରକୁ ଅଧିକ ଶାଣିତ କରାଯାଇପାରିବ ବୋଲି ଏକାଡେମିର ସଭାପତି ଅରୁଣା ମହାନ୍ତି କହିଛନ୍ତି।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଗୁରୁ‌କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଭାଗିତାରେ ‘ଉତ୍କର୍ଷ’ ନାମରେ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶୀ ସଙ୍ଗୀତରେ ୪ ଜଣ ବିଶିଷ୍ଟ ଗୁରୁ ଓ ବାଦ୍ୟଯନ୍ତ୍ର‌ରେ ୨ ଜଣ ଗୁରୁଙ୍କ ତତ୍ତ୍ବାବଧାନରେ ୩ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ୨୦୨୧ ଜୁଲାଇରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଏକାଡେମି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସେତିକି ନୁହେଁ, ଓଡ଼ିଶୀ ସଙ୍ଗୀତ ଓ ବାଦ୍ୟକୁ ନେଇ ‘ନାଦ ଉତ୍ସବ’ର ଆୟୋଜନ କରାଯିବ। ଏକାଡେମି ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଏହି ଜୁଲାଇ ମାସରେ ହିଁ ଆୟୋଜିତ ହେବ। ସେହିଭଳି ଓଡ଼ିଶୀ ନୃତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ‘ଦୀକ୍ଷାଶାଳା’ ଓ ‘ପ୍ରବାହ’ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ‘ଦୀକ୍ଷାଶାଳା’ର ମୂଳ ଉଦ୍ଦେଶ୍ୟ ରହିଛି, ଓଡ଼ିଶୀ ନୃତ୍ୟକୁ ଧାରାବାହିକ ପ୍ରକ୍ରିୟାରେ ଗୁରୁ ପରମ୍ପରାକ୍ରମେ ପ୍ରାଚୀନରୁ ପ୍ରବୀଣ, ପ୍ରବୀଣରୁ ନବୀନ ଧାରାରେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବା। ସମୟର ପରିବର୍ତ୍ତନ ତଥା ସମାଜର ଆବଶ୍ୟକତାକୁ ଦେଖି ଯେପରି ଓଡ଼ିଶୀ ନୃତ୍ୟର ମୌଳିକତାରେ ପରିବର୍ତ୍ତନ ନ ହୁଏ; ସେ ନେଇ ଏହା କାମ କରିବ। ଓଡ଼ିଶୀ ନୃତ୍ୟରେ ଥିବା ଗତି, ପ୍ରକୃତି, ଚାଲି, ଚାହାଣି ଓ ଚମକର ମୌଳିକତାକୁ ଅକ୍ଷୁଣ୍ଣ ରଖି ଗୁରୁ ପରମ୍ପରାରେ ଶିକ୍ଷା ପ୍ରଦାନ କରାଯିବ। ଏହି ପ୍ରକ୍ରିୟାକୁ ସମସ୍ତ ଜିଲ୍ଲାରେ ଗତିଶୀଳ କରାଯିବ। ସେହିଭଳି ଓଡ଼ିଶୀ ନୃତ୍ୟରେ ମୌଳିକ ପରମ୍ପରା ଓ ନୂଆ ଚିନ୍ତନକୁ ଖୋଜିବା ଉଦ୍ଦେଶ୍ୟରେ ‘ପ୍ରବାହ’ କାର୍ଯ୍ୟକ୍ରମର ପରିକଳ୍ପନା।

ଓଡ଼ିଶାର ବହୁ ପାରମ୍ପରିକ ତଥା ପୁରାତନ ଲୋକ ସଙ୍ଗୀତ ଯଥା, ପାଲା, ଦାସକାଠିଆ, ସଂକୀର୍ତ୍ତନ, ଖଞ୍ଜଣି ଭଜନ, କେନ୍ଦରା ଗୀତ, ଢୁମ୍ପା ସଙ୍ଗୀତ, ଯୋଡ଼ି ଶଙ୍ଖ, ଢୋଲ, ମହୁରୀ, ଘଣ୍ଟ, ମୃଦଙ୍ଗ ଆଦିକୁ ଲୋକାଭିମୁଖୀ କରିବାକୁ ଏକାଡେମି ‘ଦେଶଜ’ ଲୋକସଙ୍ଗୀତ କାର୍ଯ୍ୟକ୍ରମର ପରିକଳ୍ପନା କରିଛି। ସେହିଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ସମସ୍ତ ନୃତ୍ୟକୁ ସନ୍ନିବେଶିତ କରି ‘ରଙ୍ଗବତୀ’ ଲୋକନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ‌ହେବ।

ଚଳିତ ବର୍ଷ ଏକାଡେମି ପକ୍ଷରୁ ମୌଳିକ ନାଟକ ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଓଡ଼ିଶାର ବରପୁତ୍ର ଫକୀରମୋହନ, ଗୋପବନ୍ଧୁ ଦାସ, ବାଜି ରାଉତ, ମଧୁସୂଦନ ଦାସଙ୍କ ଭଳି ମହାପୁରୁଷଙ୍କ ଜୀବନୀକୁ ନେଇ ପ୍ରର୍ଯ୍ୟାୟକ୍ରମେ ନାଟକ ପ୍ରସ୍ତୁତ ହେବ ଓ ସେ ସବୁକୁ ପରପିଢ଼ି ପାଇଁ ସଂରକ୍ଷିତ ରଖାଯିବ। ଏଥିସହ ଅଭିଜ୍ଞ ନାଟ୍ୟକାର ଓ ନିର୍ଦ୍ଦେଶକମାନଙ୍କୁ ନେଇ କର୍ମଶାଳାର ଆୟୋଜନ କରାଯିବ। ଲୋକ ନାଟକ ଓ ଶିଶୁ ନ‌ାଟକ ଉତ୍ସବକୁ ନେଇ ମଧ୍ୟ ଏକାଡେମି ଯୋଜନା ପ୍ରସ୍ତୁତ କରିଛି। ଓଡ଼ିଶାର ବହୁ ପୌରାଣିକ ଆଖ୍ୟାୟିକା, ଲୋକକଥା, ସୁଆଙ୍ଗ ଓ ଲୀଳା ଆଦିକୁ ନେଇ ‘ଲୋକ ନାଟକ’ ଉତ୍ସବ ଆୟୋଜିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକନାଟକକୁ ସାମିଲ କରାଯିବ। ଏକାଡେମି ପକ୍ଷରୁ ଆସନ୍ତା ଅକ୍ଟୋବରରେ ରାୟଗଡ଼ାରେ ଏହି ଉତ୍ସବ ଅନୁଷ୍ଠିତ ହେବ।

ସେହିଭଳି ତୃଣମୂଳ ସ୍ତରରୁ ନାଟକର ରୂପରେଖ ପ୍ରସ୍ତୁତ କରିବା ପାଇଁ ଏକାଡେମି ପକ୍ଷରୁ ‘ପ୍ରତିଭା’ ଶିଶୁ ନାଟକ ଉତ୍ସବ ଅନୁଷ୍ଠିତ ହେବ। ଛାତ୍ରାବସ୍ଥାରୁ ନାଟକ ପ୍ରତି ରୁଚି ସୃଷ୍ଟି କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ। ଏହି ଉତ୍ସବ ଆସନ୍ତା ଡିସେମ୍ବର ମାସରେ ବ୍ରହ୍ମପୁର, ବାଲେଶ୍ବର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଅନୁଷ୍ଠିତ ହେବ।

ଅନ୍ୟପଟେ ଏକାଡେମି ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟ ନାଟକ ଉତ୍ସବ ୪ ଦିନ ବଦଳରେ ୫ ଦିନ ଓ ଜାତୀୟ ନାଟକ ଉତ୍ସବ ୫ ଦିନ ବଦଳରେ ୭ ଦିନ ଅନୁଷ୍ଠିତ ହେବ। ଜାତୀୟ ନାଟ୍ୟ ଉତ୍ସବରେ ଏବେଠାରୁ ୨ଟା ଓଡ଼ିଆ ନାଟକ ସ୍ଥାନ ପାଇବ। ଓଡ଼ିଶାରେ ୪ ଦିନ ଓ ଓଡ଼ିଶା ବାହାରେ ୩ ଦିନ ଏହି ନାଟ୍ୟ ଉତ୍ସବ ଅନୁଷ୍ଠିତ ହେବ।

ସୋମବାର ଏକାଡେମି ପକ୍ଷରୁ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏକାଡେମିର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ସହ ଉପସଭାପତି ମନ୍ମଥ ଶତପଥୀ ଓ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର