ନେମାଳରେ ଦୁର୍ବୃତ୍ତଙ୍କ ବର୍ବରକାଣ୍ଡ: ତଣ୍ଟିକାଟି ବୃଦ୍ଧଙ୍କୁ ହତ୍ୟା, କୋମାରେ ପତ୍ନୀ

ନିଶ୍ଚିନ୍ତକୋଇଲି/ନେମାଳ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳ ଥାନା ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତର ଲେଣ୍ଡୁରାଭଗବାନପୁର ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁରୁବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପରେ କୋମା ଅବସ୍ଥାରେ ଥିବା ପତ୍ନୀ କଟକର ଏକ ଘରୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଦୁର୍ବୃତ୍ତମାନେ ବୃଦ୍ଧଙ୍କ ସମ୍ପର୍କୀୟ ନାତିଙ୍କୁ ମଧ୍ୟ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ତଥ୍ୟ ଅନୁଯାୟୀ ଲେଣ୍ଡୁରାଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯) ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍‌ ଉଚ୍ଚବିଦ୍ୟାଳୟର କିରାଣି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ପତ୍ନୀ କନକଲତା (୫୮), ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର। ପୂର୍ବରୁ ଝିଅର ବିବାହ ହୋଇଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି। ଘରେ ହୃଷୀକେଶ ଓ ପତ୍ନୀ କନକଲତା(୫୮) ରହୁଥିଲେ। ଗତକାଲି ରାତିରେ ପତିପତ୍ନୀଙ୍କ ସହ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୯) ତାଙ୍କ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ କବାଟ ଖୋଲିବା ପାଇଁ ହୃଷୀକେଶଙ୍କ ନାମ ଧରି ଡାକିଥିଲେ। ଡାକ ଶୁଣି ଦମ୍ପତି କବାଟ ଖୋଲିଥିଲେ ବୋଲି ନାତି ଓମ୍‌ପ୍ରକାଶ କହିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆକ୍ରମଣ କରି ମାରଣାସ୍ତ୍ରରେ ହୃଷୀକେଶଙ୍କ ଗଳାକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲ। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ କନକଲତା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ କନକଲତା ଅଚେତ ହୋଇ ପଡ଼ି ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ନାତି ଓମ୍‌ପ୍ରକାଶଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ପ୍ରତିବାଦ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଏକ କୋଠରୀରେ ପୂରାଇ ଦେଇଥିଲେ।

ଦୁର୍ବୃତ୍ତମାନେ ଆଲ୍‌ମିରା ଭାଙ୍ଗି ସୁନା, ରୁପା ଅଳଙ୍କାର, ଟଙ୍କା ଆଦି ଲୁଟି ନେବା ସହିତ ଆଲ୍‌ମିରାରେ ଥିବା କାଗଜପତ୍ର, ହୃଷୀକେଶ ଘୋଡ଼ାଇ ହୋଇଥିବା କମ୍ବଳ ଆଦିରେ ନିଆଁ ଲଗାଇ ପଳାଇ ଯାଇଥିଲେ। ରାତି ପ୍ରାୟ ୪ଟାରେ ନାତି ଓମ୍‌ପ୍ରକାଶଙ୍କ ଡାକ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହୃଷୀକେଶଙ୍କ ମୃତଦେହ ଓ କନକଲତା ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। କନକଲତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେ କୋମାରେ ଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ମୃତକଙ୍କ ଭାଇ ନୃସିଂହଚରଣ ମୁଦୁଲି ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ୍‌ ନଂ-୨୧୯/୨୨) ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। କଟକରୁ ହୃଷୀକେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର