ପରୀ ମୃତ୍ୟୁ ମାମଲାରେ ଜଣେ ଗିରଫ, ଆସନ୍ତାକାଲି ପକ୍ସୋ କୋର୍ଟରେ ହାଜର ହେବ ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରି ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ବଡ଼ ସଫଳତା ମିଳିଛି। ଏସ୍‌ଆଇଟି ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଜଣକ ଯଦୁପୁର ଗାଁର ହୋଇଥିବା ଜଣାଯାଇଛି।

୧୨ ବର୍ଷରୁ କମ ନାବାଳିକାକୁ ଦୁଷ୍କର୍ମ ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି କେସ୍‌ (୩୭୬-ଏ) ମାମଲା ରୁଜୁ କରିଛି। ସେହିପରି କ୍ରାଇମ୍‌ ବ୍ରାଞ୍ଚ ୩୬୪ (ଅପହରଣ), ୩୦୨, ୨୦୧, ୩୭୬/ଏବି’ରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଆସନ୍ତାକାଲି ନୟାଗଡ଼ ପୋକ୍ସା କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍‌ଆଇ ଟି ଉଠାଇ ନେଇ ପଚରାଉଚରା କରିଥିଲା। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇନେଇଥିଲା। ଆଜି ସକାଳୁ ସକାଳୁ ଏସ୍‌ଆଇଟିର ପ୍ରାୟ ୧୦ ଜଣ ସଦସ୍ୟ ପରୀର ଗ୍ରାମ ଯଦୁପୁରରେ ଅଚାନକ ପହଞ୍ଚି ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇଥିଲେ। ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା। ଏସ୍‌.ଆଇ.ଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ଅଭିଯୋଗ ମଧ୍ୟ ଆଣିଥିଲେ। ତାଙ୍କୁ ପରୀ ମାମଲାରେ ଫସାଇବାକୁ ବୋଥ୍ରା ପ୍ରବର୍ତ୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା କହିଥିଲେ। ତେଣେ ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଓଡ଼ିଶା ପୁଲିସ ସ୍ପଷ୍ଟୀକରଣ ରଖିଛି।

ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀ ଶବ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ମାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍‌ ମାରିଥିଲା। ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର