ଭୁବନେଶ୍ବର : ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’(ପେସେଣ୍ଟସ୍‌ ଫାସିଲିଟେସନ୍ ସେଣ୍ଟର)ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଉଲ୍ଲେଖ ଯେ ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି। ବିଶାଖାପାଟଣା ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଓ ସେଠାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି। ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ଯୋଗାଇ ଦିଆଯାଉଛି। ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ୨୦୧୬ରେ ୨୫ ଲକ୍ଷ, ୨୦୨୦, ୨୦୨୧ ଓ ୨୦୨୨ ରେ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି।