ଆତଙ୍କ ଖେଳାଇଲାଣି ଗୁଜବ : ପିଲାଚୋରି ସନ୍ଦେହରେ ମହିଳାଙ୍କୁ ବିବସ୍ତ୍ର କରିଦେଲେ
କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱରରେ ବି ନିର୍ଘାତ ମାଡ଼
ଭୁବନେଶ୍ୱର : ସୋସିଆଲ୍ ମିଡିଆରେ ଗତ କିଛି ଦିନ ହେଲା ଚାଲିଥିବା ପିଲା ଚୋର ଗୁଜବର ଭିଡିଓ ଓ ଫଟୋ ଏବେ ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଲାଣି। ସ୍ଥିତି ଏମିତି ଯେ କେନ୍ଦ୍ରାପ଼ଡାରୁ ବାଲେଶ୍ୱର, ସାଲେପୁରରୁ ବାଙ୍କୀ ଯାଏ ଏହି ଗୁଜବ ଏବେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡି ଦେବା ସ୍ଥିତିକୁ ଟାଣିନେଲାଣି। ଲୋକେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ମାଡ଼ ମାରି ଲହୁଲୁହାଣ କରୁଛନ୍ତି। ଖୋଦ୍ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପିଲା ଚୋରି ଏକ ଗୁଜବ ବୋଲି ଦର୍ଶାଇ ଗଣମାଧ୍ୟମରେ ତୁହାଇ ତୁହାଇ କହୁଥିିଲେ ହେଁ, ତା’ର କିଛି ବି ପ୍ରଭାବ ପଡ଼ିଥିବା ପରିଲକ୍ଷିତ ହେଉନାହିଁ। ବରଂ ଏହି ଗୁଜବ ଗାଁ ଗାଁକୁ ଡେଇଁବାରେ ଲାଗିଲାଣି। ସହରରେ ମଧ୍ୟ ଏହି ଗୁଜବର ପ୍ରଭାବ କିଛି କମ୍ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆମ କେନ୍ଦ୍ରାପଡା ପ୍ରତିନିଧି ଜଣାଇଛନ୍ତି, ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇ ଓ ଡେରାବିଶ ବ୍ଲକରେ ପିଲା ଚୋର ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ୫ ଜଣଙ୍କୁ ନିର୍ଘାତ ମାଡ଼ ମରିଛନ୍ତି। ଏମାନଙ୍କ ପରିଚୟ ମିଳିପାରିନାହିଁ। ମାଡ଼ ଖାଇଥିବା ଲୋକମାନେ ଓଡ଼ିଆ କହି ପାରୁନାହାନ୍ତି। ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ଛକଠାରେ ଜଣେ ଅଜଣା ଅଚିହ୍ନା ଯୁବକଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଗଛରେ ବାନ୍ଧି ମାଡ଼ ମାରିଛନ୍ତି। କେରେଡ଼ାଗଡ଼ ଗ୍ରାମର ଶେଷମୁଣ୍ଡରେ ଜଣେ ଯୁବକଙ୍କୁ ଅଟକ ରଖି ଲୋକେ ନିସ୍ତୁକ ପିଟିଛନ୍ତି। ପିଲା ଚୋରି କରୁଥିବା ବେଳେ ତାଙ୍କୁ ଧରାଯାଇଥିବା ଗାଁ ଲୋକେ କହିଛନ୍ତି। ପୁଲିସ ସେହି ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେହିପରି ଘଡ଼ିଆମାଳ ଗ୍ରାମରେ ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗାଁ ଲୋକେ ଦେଖିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ଲୋକେ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କ ପାଖରେ ଥିବା ଏକ ବ୍ୟାଗ୍ରୁ ୪ଶହ ଟଙ୍କା, ନୂଆ, ପ୍ୟାଣ୍ଟସାର୍ଟ ଓ ବ୍ଲେଡ୍ ମିଳିଥିବା ଲୋକେ କହିଛନ୍ତି। ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣେ ଅଜଣା ଲୋକଙ୍କୁ ଲୋକେ ନିସ୍ତୁକ ମାଡ଼ ମାରି ନିକିରାଇ ଥାନା ପୁଲିସ ଜିମା ଦେଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ମାନସିକ ବିକୃତ ବୋଲି ଜଣାପଡ଼ିଛି।
ଆମ ବାଲେଶ୍ୱର ପ୍ରତିନିଧିଙ୍କ ଖବର ଅନୁସାରେ, ଜିଲ୍ଲାର ୪ଟି ସ୍ଥାନରେ ଏପରି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ସହ ତିନିଜଣ ଯୁବକ ଏବଂ ଏକ ସଂକୀର୍ତନ ମଣ୍ଡଳୀର ୫ ଜଣ ସଦସ୍ୟ ଲୋକଙ୍କ ଆକ୍ରୋଶ ଶିକାର ହୋଇଛନ୍ତି। ସୋର, ଜଳେଶ୍ୱର, ଖଇରା ଓ ବାହାନଗାରେ ପିଲାଚୋର ସନ୍ଦେହରେ ଲୋକେ ଆଇନକୁ ହାତକୁ ନେଇଛନ୍ତି। ଫଳରେ ଏହିସବୁ ସ୍ଥାନରେ ଦିନତମାମ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୋର-ଅନନ୍ତପୁର ରାସ୍ତା ବାଳଙ୍ଗ ଛକରେ ଆଜି କିଛି ଅସାମାଜିକ ବ୍ୟକ୍ତି ପିଲା ଚୋରି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଛନ୍ତି। ସଂପୃକ୍ତ ମହିଳାଙ୍କ ସାମାନ୍ୟ ମାନସିକ ବିକୃତି ଥିବା ଅନୁମାନ କରାଯାଉଛି।
ଅପରାହ୍ନରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ବଳିଅଠା ପୋଲ ନିକଟରେ ୨ ଜଣ ଅଚିହ୍ନା ଯୁବକ ବୁଲାବୁଲି କରୁଥିବା ଦେଖି ଲୋକେ ତାଙ୍କୁ ପିଲାଚୋର ବୋଲି ସନ୍ଦେହ କରିଥିଲେ। ସମ୍ପୃକ୍ତ ଯୁବକଙ୍କ ଭାଷା ବୁଝି ହେଉ ନ ଥିବାରୁ ବିହାରରୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଘେରିଯାଇ ଉତ୍ତମ ମଧ୍ୟମ ଦେଇଥିଲେ।
ଖଇରା ବ୍ଲକ୍ରେ ମଧ୍ୟ ଏମିତି ଘଟଣା ଘଟିଛି। ଆଜି ଜଣେ ବ୍ୟକ୍ତି ବେକରେ ପଘା ପକାଇ ଜହ୍ନିଆପଦା ଗ୍ରାମର ନଟବର ନାଥଙ୍କ ଘରକୁ ଯାଇ ଭିକ ମାଗିଥିଲେ। ଭିକରେ ଚାଉଳ ମିଳିବାରୁ ସେ ଅସ୍ୱୀକାର କରି ଇସାରାରେ ଟଙ୍କା ମାଗିବା ଭିକ୍ଷା ଆଣିଥିବା ମହିଳାଙ୍କ ପିଛା କରି ଘର ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ଏପରିକି ମହିଳା ଜଣକ କବାଟ ବନ୍ଦ କରିବା ପରେ ବି ସେ ଖୋଲିବା ଲାଗି କବାଟ ବାଡେଇଥିଲେ। ଗ୍ରାମବାସୀ ତାକୁ ଧରି ତା’ର ନାମ ଓ ଘର ବିଷୟରେ ପଚାରିଥିଲେ ହେଁ ସେ ଭିନ୍ନଭିନ୍ନ ପରିଚୟ ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ତାକୁ ମାଡ଼ ମାରି ବାନ୍ଧି ପକାଇଥିଲେ।
ସେହିପରି ପିଲା ଚୋରି ସଂଦେହରେ ବାହାନଗା ବ୍ଲକ୍ରେ ଏକ ସଂକୀର୍ତନ ଦଳ ନାକେଦମ୍ ହୋଇଛନ୍ତି। ଦୁଇଦିନ ତଳେ ପଶ୍ଚିମବଙ୍ଗରୁ ଏକ ୫ ଜଣିଆ ସଂକୀର୍ତନ ଦଳ ସରସତିଆ ଗାଁକୁ କୀର୍ତନ କରିବାକୁ ଆସିଥିଲେ। କୀର୍ତନ ସାରି ଗତକାଲି ସକାଳେ ସେମାନେ ସରସତିଆ ଗ୍ରାମରୁ ଗୋପାଳପୁରକୁ ବାହାରିଥିଲେ। ତେବେ ବାଜିପୁର ଗ୍ରାମରେ ପହଂଚିବା ପରେ ସେଠାରେ ସ୍ଥାନୀୟ କିଛି ଲୋକ ସେମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।
ଆମ କଟକ ପ୍ରତିନିଧି ଦେଇଥିବା ତଥ୍ୟ ଅନୁସାରେ, ସାଲେପୁର ଥାନା ଅନ୍ତର୍ଗତ ନରଦାର ଗରଗରା ଓ କୁକୁଡ଼ାଙ୍ଗ ଗ୍ରାମରେ ଦୁଇ ଜଣ ଯୁବକ ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଉପୁଜିଥିଲା। ଗରଗରା ଗାଁରେ ଜଣେ ଯୁବକ ବେକରେ ପାଳଦଉଡ଼ି ପକାଇ ଘର ଘର ବୁଲି ଭିକ୍ଷା କରିବା ସହ ଲୋକମାନଙ୍କୁ ଦଶ କୋଡ଼ିଏ ଟଙ୍କା ପାଇଁ ବାଧ୍ୟ କରୁଥିଲା। ଗ୍ରାମବାସୀ ସନ୍ଦେହରେ ତାକୁ ଏକ ନଡ଼ିଆ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିଲେ। ସେହିପରି କୁକୁଡ଼ାଙ୍ଗ ଗାଁରେ ଅନ୍ୟ ଜଣେ ଯୁବକ ସମାନ ଢ଼ଙ୍ଗରେ ଏହିଭଳି ଭିକ୍ଷାବୃତ୍ତି କରୁଥିଲା ଅନୁରୂପ ପରିସ୍ଥିତିର ସାମ୍ନା କରିଛନ୍ତି। ସନ୍ଦିଗ୍ଧ ଯୁବକ ବଜବଜ ଶବର (୩୧)ର ଘର ଜଟଣୀ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହାଦେବ ଦାସ (୨୬) ଘର ଧର୍ମଶାଳା ଥାନା ଅଧୀନ ଜଲାସୁଦା ମଉଜାରେ ବୋଲି ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ଅଟକ ରଖାଯାଇଛି।
ବାଙ୍କୀ ଥାନା ଅଂଚଳର ଗୋପାଳପୁର, ରଣପୁର, ହରିରାଜପୁର ଓ ସୁବର୍ଣ୍ଣପୁର ନିକଟରେ ସନ୍ଦେହରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ମାଡଧର କରିଥିଲେ। ପୁଲିସ ପହଞ୍ଚି ଉକ୍ତ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ଉକ୍ତ ତିନିଜଣ ମାଡଖାଇଥିବା ଲୋକ ମାନସିକ ବିକୃତ ବୋଲି ସନ୍ଦେହ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଏକ ସପ୍ତାହ ତଳେ ବିଭିନ୍ନ ସୋସିଆଲ୍ ମିଡିଆରେ କେତେକ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଫଟୋ, ଭିଡିଓ ଆଦି ଘୂରି ବୁଲିବା ଆରମ୍ଭ କରିଥିଲା। ଯେଉଁଥିରେ କୁହାଯାଇଥିଲା କି ବିହାରରୁ ୫ ଶହ ଯୁବକ ଆସିିଛନ୍ତି। ସେମାନେ ଛୋଟ ପିଲାଙ୍କୁ ଚୋରି କରି ନେବା ସହ ସେମାନଙ୍କ ଆଖି ତାଡ଼ି ନେଉଛନ୍ତି। ଏପରିକି କିଡ୍ନି ଓ ହାର୍ଟ ମଧ୍ୟ କାଢ଼ି ନେଉଛନ୍ତି। ଏହି ଗୁଜବରେ ଆହୁରି ମଧ୍ୟ କୁହା ଯାଇଥିଲା କି ସେମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଗ୍ୟାଙ୍ଗ୍ ଏବେ ଓଡ଼ିଶାରେ ପ୍ରବେଶ କରିଛନ୍ତି। କୋରାପୁଟ, ରାୟଗଡ଼ା ପରେ ସଂପୃକ୍ତ ଗ୍ୟାଙ୍ଗ୍ ଖୋର୍ଧା ସହ ବାଲଶ୍ୱର ଜିଲ୍ଲାକୁ ଟାର୍ଗେଟ୍ କରିଛନ୍ତି। ଏହିଭଳି ବିଭ୍ରାନ୍ତିକର ଖବର ପ୍ରଚାର ହେବା ପରେ ଲୋକେ ଏହାକୁ ସତ ବୋଲି ବିଶ୍ୱାସ କରି ବିଭିନ୍ନ ସ୍ଥାନରେ ଅଭାବନୀୟ କାଣ୍ଡ ଭିଆଇବାରେ ଲାଗିଛନ୍ତି।