କବି ଲକ୍ଷ୍ମୀନାରାୟଣ ହୋତା ପାଇବେ ‘ମହୁରି ସମ୍ମାନ-୨୦୨୦’

ଭବାନୀପାଟଣା: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତ ବର୍ଷର ‘ମହୁରି ସମ୍ମାନ-୨୦୨୦’ ଘୋଷଣା କରାଯାଇଛି। ଚଳିତ ବର୍ଷ କବି ଲକ୍ଷ୍ମୀନାରାୟଣ ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବା ବେଳେ ଚଳିତ ବର୍ଷ ଶ୍ରୀ ହୋତାଙ୍କ ନାମକୁ ଚୟନ କମିଟି ସୁପାରିସ କରିଛି।

ଆସନ୍ତା ୨୭ ତାରିଖରେ ଭବାନୀପାଟଣାରେ ହେବାକୁ ଥିବା ମହୁରି ମହୋତ୍ସବ-୨୦୨୦ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି। ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଲିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ ଓ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ. ସୁରେଶ ନାୟକ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି। ସମ୍ବଲପୁର ଜିଲ୍ଲାର ହୁମାଠାରେ ୧୯୭୩ରେ ଜନ୍ମ ହୋଇଥିବା କବି ଶ୍ରୀ ହୋତା ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ବ୍ରତୀ ଅଛନ୍ତି। କବିତା ଓ ଫିଚର ରଚନା ସହ ସାହିତ୍ୟ ସଂଗଠନରେ ତାଙ୍କର ସକ୍ରିୟ ସଂପୃକ୍ତି ରହିଛି।

ସମ୍ବନ୍ଧିତ ଖବର