ଭିନ୍ନକ୍ଷମଙ୍କୁ ମିଳୁନି ସର୍ବନିମ୍ନ ସହାୟତା, ଭଙ୍ଗା ଘରେ କଟୁଛି ଜୀବନ

ନିରାକାରପୁର : ସାମୁଦ୍ରିକ ଝଡ ଫନିକୁ ବିତିଛି ୩ମାସରୁ ଅଧିକ ବିତିଥିଲେ ମଧ୍ୟ ସର୍ଭେରେ ତ୍ରୁଟି ଯୋଗୁଁ ଅନେକ ପରିବାର ପ୍ରକୃତ ସହାୟତାରୁ ବଂଚିତ ହୋଇଛନ୍ତି। ଏପରିକି ବହୁ ବିଳମ୍ବରେ ଯେଉଁ ସହାୟତା ପହଞ୍ଚିଛି ତାହା ସମୁଦ୍ରକୁ ଶଂଖେ। ଏଭଳି ଅଭିଯୋଗ ଆଣିଛନ୍ତି ଲେଣ୍ଡୋ ପଂଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଭିନ୍ନକ୍ଷମ ମହିଳା ବିଣାପାଣୀ ବାରିକ। ବିଣାପାଣୀ କହିଛନ୍ତି ଯେ ତାଙ୍କ ସ୍ବାମୀ ଗଙ୍ଗାଧର ଜଣେ ଦୀନ ମଜୁରିଆ। ମୁଣ୍ତଗୁଞ୍ଜିବା ପାଇଁ ଥିବା ଦୁଇବଖରା ମାଟିକାନ୍ଥ ଘେରା ଚାଳଘର ଗତ ଫନିରେ ଭାଙ୍ଗି ପଡ଼ିଛି। ଅଦ୍ୟାବଧି ଯେଉଁ ବଖରା ଘରଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି ସେଥିରେ ପଲିଥିନ୍ ପକାଇ କଷ୍ଟରେ ଚଳିଯାଉଛୁ। ହେଲେ ଗତ ଲଗାଣ ବର୍ଷା ଯୋଗୁଁ ପଲିଥିନ୍‌ଟି ନଷ୍ଟ ହୋଇଯିବା ପରେ ଏବେ ବର୍ଷାରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ଘରଟି ଫନିରେ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଆମ ପରିବାରକୁ ଆଂଶିକ କ୍ଷତିରେ ସାମିଲ୍ କରାଯାଇଛି। ଫଳରେ ମିଳିଥିବା ସହାୟତାକୁ ନେଇ ଆମେ କିଭଳି କ୍ଷତିଗ୍ରସ୍ତ ଘରର ପୁନରୁଦ୍ଧାର କରି ମୁଣ୍ତ ଗୁଞ୍ଜିବୁ ବୋଲି ଭିନ୍ନକ୍ଷମ ବିଣାପାଣୀ ପ୍ରଶ୍ନ କରିଛନ୍ତି। ଆମ ଭଳି ଗରିବ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏକ ଉଚ୍ଚସ୍ତରୀୟ ତଦନ୍ତକରି ଖଣ୍ଡେ ସରକାରୀ ବାସଭବନ ଯୋଗାଇଦେବାକୁ ବୀଣାପାଣୀଙ୍କ ସ୍ବାମୀ ଗଙ୍ଗାଧର ପ୍ରଶାଶନକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର