ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରସ୍ତୁତି ଆରମ୍ଭ: ବଢ଼ିବ ଟିକେଟ ଦର, ୭ନଂ ଗ୍ୟାଲେରିରେ ଖେଳ ଦେଖିବେ ଦର୍ଶକ

କଟକ : ଆସନ୍ତା ଜୁନ୍‌ ୧୨ରେ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌( ଓସିଏ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରବିବାର ଦିନ ଓସିଏର ବୈଠକ ବସି ଟିକେଟ୍‌ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଓସିଏ ସ୍ବତନ୍ତ୍ର ସାଧାରଣ ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମ୍ୟାଚ୍‌ କିଭଳି ସଫଳ ଭାବେ ଆୟୋଜନ କରାଯାଇପାରିବ, ‌ସେ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଟିକେଟ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିଭଳି ନିର୍ମାଣାଧୀନ ୭ ନଂ ଗ୍ୟାଲେରିରେ ଦର୍ଶକ ପୁଣିଥରେ କିଭଳି କ୍ରିକେଟ ଖେଳ ଦେଖିପାରିବେ, ‌ସେ ନେଇ ଆଲୋଚନା ହୋଇଥିଲା। ଗତ ୨୦୧୯ରୁ ବନ୍ଦ ଗ୍ୟାଲେରି ମରାମତି ଯୋଗୁ ଏହା ବନ୍ଦ ରହିଥିଲା। ଏହି ଗ୍ୟାଲେରି ଖୋଲାଗଲେ ଅଧିକ ୫ହଜାର ଦର୍ଶକ ଖେଳ ଦେଖିବାର ସୁଯୋଗ ପାଇବେ। ମ୍ୟାଚ୍‌ ପାଇଁ ବାରବାଟୀ ପଡିଆକୁ ସଂପୂର୍ଣ୍ଣ ନୂ୍ଆ ରୂପ ଦିଆଯାଇଛି। ନୂଆ ଏଲ୍‌ଇଡି ଫ୍ଲଡ୍‌ ଲାଇଟ୍‌ରେ ଏଥର ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇବର୍ଷ ପରେ ବାରବାଟୀକୁ ମ୍ୟାଚ୍ ଫେରୁଥିବାରୁ ଏଥର ମ୍ୟାଚକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏ ସମ୍ପର୍କରେ ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି, ‘ କୋଭିଡ୍‌ କଟକଣା ଯୋଗୁ ବାରବାଟୀରୁ ମ୍ୟାଚ୍ ଫେରିଯାଇଥିଲା। ଦୀର୍ଘ ବ୍ୟବଧାନରେ ମ୍ୟାଚ୍ ଫେରୁଥିବାରୁ ଦର୍ଶକଙ୍କ ଅଧିକ ଉତ୍ସାହ ରହିବ। ତେବେ ଜୁନ୍‌ମାସର କୋଭିଡ୍‌ କଟକଣାକୁ ଦୃଷ୍ଟିରେ ମ୍ୟାଚ୍‌ ଆୟୋଜନ କରାଯିବ। ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିବ କି ନାହିଁ, ‌ସେ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।’

ବୈଠକରେ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଂଜୟ ବେହେରା, ଯୁଗ୍ମ ସଂପାଦକ ମେହେତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ ବେହେରା, କ‌ାଉନସିଲ୍ ସଭ୍ୟ ସୁବାସ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍ ପାଇଁ ସବ୍‌କମିଟି ଗଠନ କରାଯିବ। ସଭାପତି ଓ ସଂପାଦକଙ୍କ ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର