ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ଏକମାତ୍ର ତଥା ଦେଶର ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦବି ପାଇଁ ଗତ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରଫେସରମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଆବେଦନ କରି‌‌ବେ। ବିଶ୍ୱବିଦ୍ୟାଳୟ ଆଇନ ଅନୁଯାୟୀ ଏଥର ମଧ୍ୟ କୁଳପତି ଚୟନ କରାଯିବ ବୋଲି କୁଳସଚିବଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ବିଶ୍ବବିଦ୍ୟାଳୟ କୁଳପତି ହେବା ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କର ଶିକ୍ଷାଦାନ ତଥା ପ୍ରଶାସନିକ କ୍ଷେତ୍ରରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ରହିଥିବ। ଜାତୀୟସ୍ତରର କୌଣସି ସାଂସ୍କୃତିକ ଶିକ୍ଷାନୁଷ୍ଠାନରେ ୧୦ ବର୍ଷ ପ୍ରଫେସର ଭାବେ କାର୍ଯ୍ୟ କରିଥିବେ। ନ ହେଲେ ସମାନ ପଦବିରେ ୧୦ ବର୍ଷ ଧରି ଗବେଷଣା କରିଥିବେ ଅଥବା ପ୍ରଶାସନିକ ଦାୟିତ୍ବରେ ରହିଥିବେ। ବିଶ୍ବବିଦ୍ୟାଳୟ ଆଇନ ଅନୁଯାୟୀ କୁଳପତି ୩ ବର୍ଷ ପାଇଁ ନିଯୁକ୍ତ ହେବେ। ୬୫ ବର୍ଷ ବୟସ ଛୁଇଁବା ପରେ କୌଣସି ପ୍ରଫେସର କୁଳପତି ପଦବିରେ ରହିପାରିବେ ନାହିଁ। ତେଣୁ ଯେଉଁମାନେ ଆବେଦନ କରିବେ ସେମାନେ ଯେପରି ସମ୍ପୂର୍ଣ୍ଣ ଭାବେ ତିନି ବର୍ଷ ଧରି କାର୍ଯ୍ୟ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆଶାୟୀ ପ୍ରଫେସରମାନଙ୍କୁ ଅନୁରୋଧ କରାଯାଇଛି। ଆଶାୟୀ ପ୍ରଫେସରଙ୍କ ବିରୋଧରେ ଯଦି କୌଣସି ପ୍ରକାର ଅଭି‌ଯୋଗ ଥିବ, ତଦନ୍ତ ଚାଲିଥିବ, କୋର୍ଟ‌ରେ ମାମଲା ଥିବ ଆବେଦନ ସମୟରେ ସେ ସଂକ୍ରାନ୍ତରେ ଜଣାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ‘uuu.ac.in’ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ୍‌ ‘odishaculture.gov.in’ରୁ ଆଶାୟୀ ପ୍ରଫେସରମାନେ ଫର୍ମ ଡାଉନ୍‌ଲୋଡ୍‌ କରି ଆବେଦନ କରିପାରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ପାଞ୍ଚ ସେଟ୍‌ର ଆବେଦନ ଫର୍ମ ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଠିକଣା(କୁଳସଚିବଙ୍କ କାର୍ଯ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ସଂସ୍କୃତି ବିହାର, ମଦନପୁର, ଭୁବନେଶ୍ବର-୭୫୨୦୫୪, ଜିଲ୍ଲା-ଖୋର୍ଧା, ଓଡ଼ିଶା)ରେ ପଠାଇବାକୁ କୁହାଯାଇଛି। ଡାକରେ କୌଣସି ପ୍ରକାର ବିଳମ୍ବ ହେଲେ ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁଳସଚିବଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସୂଚନା‌ଯୋଗ୍ୟ, ଗତ ସେ‌ପ୍ଟେମ୍ବର ୧୧ରେ କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର