ଆନନ୍ଦ ବଜାରରେ କଷ୍ଟ, ହକର୍‌ଙ୍କ ଉପରେ ନିୟନ୍ତ୍ରଣ ନାହିଁ

ପୁରୀ : ଆନନ୍ଦବଜାରରେ ସବୁଠୁ ବଡ଼ ସମସ୍ୟା ହକର୍‌। ସ୍କ୍ବାଡ୍‌ ହୁଅନ୍ତୁ କି ମନ୍ଦିର ପ୍ରଶାସନ ଅଧିକାରୀ, କେହି ଏମାନଙ୍କୁ ହଟାଇ ପାରୁନାହାନ୍ତି। ପ୍ରଶାସନର ସ୍ପଷ୍ଟ ନୀତି ନଥିବା ବେଳେ ସୁଆରମାନଙ୍କ ପ୍ରୋତ୍ସାହନରେ ଏମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ଅସମ୍ଭାଳ ହେଉଛି। ପ୍ରତିଦିନ ଭକ୍ତଙ୍କୁ ଠକି ଟଙ୍କା ରୋଜଗାରରେ ଏମାନେ ଲାଗିଛନ୍ତି।

ଆନନ୍ଦବଜାରରେ ସୁଆରମାନେ ଭୋଗ ବିକିବେ, ଭକ୍ତ ସେମାନଙ୍କଠାରୁ ଭୋଗ କିଣିବେ। ହେଲେ ଏହି ବ୍ୟବସ୍ଥା ମଝିରେ ରହିଛନ୍ତି ହକର୍‌ମାନେ। ସୁଆରମାନେ ଏହି ହକର୍‌ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି। ସୁଆରମାନେ ସିଧାସଳଖ ଭୋଗ ବିକିଲେ ଅଧିକ ଦାମ ନେଇପାରିବେ ନାହିଁ। ଯିଏ ବି ଅଧିକ ଦାମ୍‌ ନେବ, ପ୍ରଶାସନ ନିକଟରେ ଅଭିଯୋଗ ହେଲେ ସମସ୍ୟା ହେବ। ତେଣୁ ସୁଆରମାନେ ହକର୍‌ମାନଙ୍କୁ ରଖିଛନ୍ତି। ହକର୍‌ମାନେ ଭକ୍ତଙ୍କଠାରୁ ଅଧିକ ଆୟ କରିବେ। ସେଥିରୁ ସୁଆରଙ୍କୁ ଦାବି ମୁତାବକ ଭୋଗ ମୂଲ୍ୟ ଦେଇ ବଳକା ସେମାନେ ପକେଟ୍‌ରେ ରଖିବେ। ତେଣୁ ସୁଆରମାନଙ୍କ ପ୍ରୋତ୍ସାହନରେ ଆନନ୍ଦବଜାରରେ ହକର୍‌ମାନଙ୍କ ରାଜୁତି ଚାଲିଛି। ଏକଥା ଜାଣି ମଧ୍ୟ ପ୍ରତିକାର କରିପାରୁନି ସ୍କ୍ବାଡ୍‌। ସ୍କ୍ବାଡ୍‌ର କହିବା କଥା, ମନ୍ଦିର ପ୍ରଶାସନ ଆଜିଯାଏ ସ୍ପଷ୍ଟ ନିର୍ଦ୍ଦେଶ କରିନାହିଁ। କିଏ ସୁଆର, କେଉଁମାନେ ସେମାନଙ୍କର ସହାୟକ ତାହା ଜଣାନାହିଁ। ତେଣୁ କେଉଁ ହକର୍‌ଙ୍କୁ କଢ଼ାଯିବ ବୋଲି ସ୍କ୍ବାଡ୍‌ କହିଛି। ପ୍ରଶାସନ ପକ୍ଷରୁ ଆଗ ଚିହ୍ନଟ ସରୁ, ଏହା ପରେ ଆନନ୍ଦବଜାରକୁ ଖାଲି କରି ଦିଆଯିବ ବୋଲି ସେମାନେ କହୁଛନ୍ତି।

ସମ୍ବନ୍ଧିତ ଖବର