ଲକ୍ଡାଉନ୍ରେ ନଦୀ ଜଳର ଗୁଣବତ୍ତା ବଢ଼ିଲାନି
ସୁବର୍ଣ୍ଣରେଖା ଜଳର ପ୍ରଦୂଷଣ ମାତ୍ରା ବଢ଼ିଲା, ବୈତରଣୀ ଓ ମହାନଦୀ ସ୍ଥିର, ବ୍ରାହ୍ମଣୀର ଉନ୍ନତି
ଭୁବନେଶ୍ୱର : ଲକ୍ଡାଉନ୍ ସମୟରେ ଓଡ଼ିଶାର ସବୁ ସହରରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲା। ଗାଡ଼ି ଚଳାଚଳ ଓ ଶିଳ୍ପ ସଂସ୍ଥାଗୁଡ଼ିକ ପାଖାପାଖି ଦୁଇ ମାସ ଧରି ବନ୍ଦ ରହିବା ଦ୍ବାରା ଭୁବନେଶ୍ବର ସମେତ କଟକ, ପାରାଦୀପ, ଅନୁଗୁଳ, ତାଳଚେର ଆଦି ସହରରେ ବାୟୁ ପ୍ରଦୂଷଣ କମିଥିଲା। ଏମିତିକି ଅଧିକ ପ୍ରଦୂଷିତ ସହରବାସୀଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଥିଲା। ତେବେ ଏହି ସମୟରେ ଲୋକଙ୍କ ଚଳପ୍ରଚଳ ହୋଇ ନ ଥିଲେ ମଧ୍ୟ ନଦୀ ଜଳ ଉପରେ ଲକ୍ଡାଉନ୍ର କୌଣସି ପ୍ରଭାବ ପଡ଼ିନାହିଁ। ଓଡ଼ିଶାର ପ୍ରମୁଖ ନଦୀ ଯଥା ମହାନଦୀ, ବ୍ରହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାର ଜଳର ଗୁଣବତ୍ତାରେ କିଛି ଫରକ ଆସିନି। ଲକ୍ଡାଉନ୍ ଅବଧିରେ ଦେଶର ୧୯ଟି ନଦୀର ଜଳ ମାନକୁ ଅନୁଧ୍ୟାନ କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରେ କୁହାଯାଇଛି ଯେ ସୁବର୍ଣ୍ଣରେଖା ସମେତ ଗଙ୍ଗା, ବିସ୍, ଚମ୍ବଲ୍, ସତଲେଜ୍ ନଦୀ ଜଳର ଗୁଣବତ୍ତା ଲକ୍ଡାଉନ୍ ସମୟରେ ଉନ୍ନତି ହୋଇପାରି ନାହିଁ। ବରଂ ମାନ କମିଛି। ଉକ୍ତ ନଦୀରେ ସ୍ବେରେଜ ଜଳ ମିଶିବା, ଉପରମୁଣ୍ଡରୁ ପାଣି ନ ଆସିବା, ନଦୀରେ ସ୍ନାନ କରିବା ହେତୁ ଏଭଳି ସ୍ଥିତି ହୋଇଥିଲା। ଗଙ୍ଗା ନଦୀ ଜଳର ଗୁଣବତ୍ତା ଅଧିକ ଖରାପ ହୋଇଯାଇଥିଲା। ବିସ୍ ନଦୀର ଗୁଣବତ୍ତା ୧୦୦ରୁ ୯୫.୪୫ ପ୍ରତିଶତକୁ ହ୍ରାସ ପାଇଥିଲା। ଚମ୍ବଲ ନଦୀର ୭୫ରୁ ୪୬.୧୫ ପ୍ରତିଶତ, ଗଙ୍ଗାର ମାନଦଣ୍ଡର ୬୪.୬ରୁ ୪୬.୨ ପ୍ରତିଶତ, ସତଲେଜ୍ର ୮୭.୧ରୁ ୭୮.୩%କୁ ହ୍ରାସ ପାଇଥିବା ବେଳେ ସୁବର୍ଣ୍ଣରେଖାର ମାନଦଣ୍ଡ ୮୦ରୁ ୫୩.୩୩%କୁ କମିଥିଲା।
ବୈତରଣୀ, ମହାନଦୀ, ନର୍ମଦା ଓ ପେନାର ନଦୀ ପ୍ରି-ଲକ୍ଡାଉନ୍, ଲକ୍ଡାଉନ୍ ଅବଧି ସମୟରେ କୌଣସି ପରିବର୍ତନ ହୋଇ ନ ଥିଲା। ବାହ୍ୟ ସ୍ନାନ ପାଇଁ ଜଳର ପ୍ରାଥମିକ ଗୁଣବତ୍ତା ମାନଦଣ୍ଡ ସହ ସମାନ ଥିଲା। ଦୁଇଟି ନଦୀ ଯଥା ସାବରମତି ଓ ମାହି ନଦୀର ଜଳ ଗୁଣବତ୍ତା ଅନୁପାଳନ ଦୃଷ୍ଟିରୁ ଅପରିବର୍ତ୍ତିତ ରହିଥିଲା। ୧୯ଟି ମଧ୍ୟରୁ ୭ଟି ନଦୀ ଜଳର ଗୁଣବତ୍ତା ଏପ୍ରିଲରେ ସାମାନ୍ୟ ଉନ୍ନତି କରିଛି। ସେଗୁଡ଼ିକ ବ୍ରାହ୍ମଣୀ, ବ୍ରହ୍ମପୁତ୍ର, ଗୋଦାବରୀ, କ୍ରିଷ୍ଣା, ତାପୀ, କାବେରୀ ଓ ଯମୁନା। ଉକ୍ତ ୭ଟି ନଦୀ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଉପଲବ୍ଧ ଥିବାରୁ ଗୁଣବତ୍ତା ସାମାନ୍ୟ ବୃଦ୍ଧି ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ନଦୀର ଗୁଣାବତ୍ତା ଯାଞ୍ଚ କରିବା ଲାଗି ସିପିସିବି ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ଗୁଡ଼ିକୁ କୁହାଯାଇଥିଲା। ଯେଉଁ ୧୯ଟି ନଦୀର ଗୁଣବତ୍ତା ମପାଯାଇଥିଲା ସେଥିମଧ୍ୟରେ ଓଡ଼ିଶାର ୪ଟି ଯଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ରହିଥିଲା। ଏହାବାଦ୍ ଗଙ୍ଗା, ଯମୁନା, ଗୋଦାବରୀ, କ୍ରିଷ୍ଣା, ନର୍ମଦା, ବେସ୍, ବ୍ରହ୍ମପୁତ୍ର, କାବେରୀ, ଚମ୍ବଲ, ଘାଗର, ମାହି, ପେନ୍ନାର, ସାବରମତୀ, ସତ୍ଲେଜ୍ ଓ ତାପୀ ନଦୀ ରହିଥିଲା। ୨୦ଟି ଏସପିସିବି ଏଥିରେ ସାମିଲ ହୋଇଥିଲେ। ଏସପିସିବିଗୁଡ଼ିକ ପ୍ରି-ଲକ୍ଡାଉନ୍(ମାର୍ଚ୍ଚ) ଓ ଲକ୍ଡାଉନ୍(ଏପ୍ରିଲ୍) ଅବଧି ମଧ୍ୟରେ ୩୮୭ଟି ମନିଟରିଂ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ତଥ୍ୟ ବିଶ୍ଳେଷଣ କରିଥିଲା।
ଦ୍ରବୀଭୂତ ଅମ୍ଳଜାନ(ଡିଓ) ପାଇଁ ୩୬୫ଟି ମନିଟରିଂ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ପିଏଚ୍ ପାଇଁ ୩୫୫ଟି ମନିଟରିଂ ସ୍ଥାନ, ବାୟୋକେମିକାଲ୍ ଅମ୍ଳଜାନ ଚାହିଦା(ବିଓଡି) ପାଇଁ୨୯୮ଟି ଓ ଫେକାଲ୍ କୋଲିଫର୍ମ(ଏଫସି) ପାଇଁ ୨୯୯ଟି ମନିଟରିଂ ସ୍ଥାନ ଚିହ୍ନଟ କରାଯାଇଥିଲା।