ଉଗ୍ର ହେଉଛି ‘ଫନି’; ଓଡ଼ିଶାକୁ ଛାରଖାର କରିଦେବ !

୧୭ ଜିଲ୍ଲା ପାଇଁ ରେର୍ଡ ଆଲର୍ଟ

ଭୁବନେଶ୍ବର: ଗତକାଲି ଘଣ୍ଟାପ୍ରତି ୧୧ କିମି ବେଗରେ ଆସୁଥିବା‌ ‘ଫନି’ ଆଜି କ୍ଷୀପ୍ରଗତିରେ ଆଗକୁ ବଢ଼ୁଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ପୁରୀଠାରୁ ୭୨୦, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ଠାରୁ ୪୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ମଙ୍ଗଳବାର ରାତି ଭିତରେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ିବ। ମେ’ ୧ ତଥା ବୁଧବାର ମଧ୍ୟାହ୍ନ ପରେ ବାତ୍ୟା ମୋଡ଼ ନେଇ ପୁଣି ଉତ୍ତର-ଉତ୍ତରପୂର୍ବ ଦିଗରେ ବଢ଼ି ଓଡ଼ିଶା ଆଡ଼କୁ ମାଡ଼ି ଆସିବ।

ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ର ପୂର୍ବାନୁମାନ କରିଛି, ୩ ତାରିଖ ଅପରାହ୍ନ ‌ବେଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାର୍ଶ୍ବକୁ ଛୁଇଁବ। ଉପକୂଳ‌ରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିବ। ବେଳେବେଳେ ପବନର ବେଗ ୨୦୫ କିମି ଛୁଇଁପାରେ। ହେଲେ ଆମେରିକାର ଜଏଣ୍ଟ ଟାଇଫୁନ୍ ଵାର୍ଣ୍ଣିଂ ସେଣ୍ଟର ପୂର୍ବାନୁମାନ ( ରାତି ୮ଟା) କରିଛି, ବାତ୍ୟା ଅତି ଭୀଷଣ ରୂପ ନେଇ ଆଗକୁ ବଢୁଛି। ଏହା ଉପକୂଳରେ ନ ଯାଇ ଟିକିଏ ଦୂରରେ ସ୍ଥଳଭାଗରେ ଯିବ। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଦୟଗିରିରେ ସ୍ଥଳ ଭାଗ ଛୁଇଁବ, େଯତେବେଳ ପବନର େବଗ ଘଣ୍ଟା ପ୍ରତି ୧୮୫ କିେଲାମିଟର ଓ ସ୍ଥଳ ବିେଶଷରେ ୨୧୦ କିଲୋମିଟର ରହିଥିବ। ଏହା ପରେ େଖାର୍ଧା ଜିଲ୍ଲାର ଭୁବନେଶ୍ବର, କଟକର ବାଙ୍କୀ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଦେଇ ପଶ୍ଚିମବଙ୍ଗ ଛୁଇଁବ। ବାତ୍ୟାର ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ୩ ଓ ୪ ତାରିଖ ପାଇଁ ଓଡ଼ିଶାର ୧୭ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରିଛନ୍ତି।

କୁହାଯାଇଛି ‌ଯେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥା‌ତ୍‌ ୧୨୦ରୁ ୧୮୦ ମିମି ବର୍ଷା ହୋଇପାରେ। ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ।

ଗୋପାଳପୁରରୁ କୃଷ୍ଣପ୍ରସାଦ ମଧ୍ୟରେ ମାଡ଼ ହେବ
୨୦୦ କି.ମି.ରୁ ଅଧିକ ବେଗରେ ପବନ ବହିବ
ଆଜି ସନ୍ଧ୍ୟାରୁ ଓଡ଼ିଶାକୁ ମୁହାଁଇବ
୨୦୦ ମିମି ବର୍ଷା ସମ୍ଭାବନା, ୨ରୁ ଆରମ୍ଭ ହେବ
୭ ମିଟର ପର୍ଯ୍ୟନ୍ତ ଉଠିପାରେ ଜୁଆର

ଏବେ ସୁଦ୍ଧା ଆକଳନ କରାଯାଉଛି ଯେ ସମୁଦ୍ର ଜୁଆରର ଉଚ୍ଚତା‌ ଦେଢ଼ ମିଟର ରହିବ। ତାହାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଏଥିସହ ଗଞ୍ଜାମ, ଗଜପତି, ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ହେବାର ଆକଳନ କରାଯାଇଛି। ଘର ଭାଙ୍ଗିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇପାରେ। ରାସ୍ତାଘାଟ ବିଚ୍ଛିନ୍ନ ହେବା ସହ ବ୍ୟାପକ ଫସଲ ନଷ୍ଟ, ରେଳ ଚଳାଚଳ ପ୍ରଭାବିତ େହବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନା‌ଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ବାତ୍ୟାର କେନ୍ଦ୍ର ୧୩.୨ଂ ଉତ୍ତର, ୮୪.୮ଂ ପୂର୍ବରେ ଅବସ୍ଥିତ ରହିଥିଲା। ଯାହାକି ଚେନ୍ନାଇଠାରୁ ୪୯୦ କିମି ଦକ୍ଷିଣ ପୂର୍ବରେ ରହିଛି। ଉତ୍ତର-ପଶ୍ଚିମ ପଶ୍ଚିମ(୨୯୦ଂ) ଦିଗରେ ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି। ୧ ତାରିଖରେ ପ୍ରାୟତଃ ଉତ୍ତରକୁ ଯିବ। ବାତ୍ୟାର ଗତି ବହୁତ କମିଯିବ। ଅନୁମାନ କରାଯାଉଛି ଯେ ଏହା ୨ ତାରିଖ ଦିନ ସାଢ଼େ ୫ଟା ବେଳେ ବିଶାଖାପାଟଣାର ପ୍ରାୟ ୭୦ କିମି ଦକ୍ଷିଣପୂର୍ବରେ ଅବସ୍ଥିତ ରହିବ। ସମ୍ଭବତଃ ଏହା ୩ ତାରିଖ ଦିନ ଗୋପାଳପୁର ନିକଟରେ ସକାଳ ସାଢ଼େ ୯ଟାରେ ଉପକୂଳ ଛୁଇଁପାରେ। ଯେତେବେଳେ କି ପବନର ଗତି ୧୮୦ କିମିରୁ ଅଧିକ ରହିଥିବ। ସେହିଦିନ ସନ୍ଧ୍ୟା ସାଢ଼େ ୫ଟା ବେଳେ ଭୁବନେଶ୍ବର ନିକଟରେ ପହଞ୍ଚିଲା ବେଳକୁ ଏହାର ଗତି ପ୍ରାୟ ୧୫୦ କିମି ରହିବ। ଏହା ବାରିପଦା ଦେଇ ପଶ୍ଚିମବଙ୍ଗ ଭିତରକୁ ଯିବ। ସମ୍ଭବତଃ ବାରିପଦାରେ ପହଞ୍ଚିଲା ବେଳକୁ ଏହା ୪ ତାରିଖ ସକାଳ ସାଢ଼େ ୯ଟାରେ ପହଞ୍ଚିବ। ସେତେବେଳେ ପବନର ବେଗ ୯୦ରୁ ୧୦୦ କିମି ରହିପାରେ।

ତେବେ ବିଭିନ୍ନ ମଡେଲ୍‌ରେ ବାତ୍ୟାର ଗତିପଥ ବାରମ୍ବାର ପରିବର୍ତନ ହେଉଛି। ତେଣୁ ମେ’ ୧ ସନ୍ଧ୍ୟା ପରେ ବାତ୍ୟା ବିଶାଖାପାଟଣା ରାଡାରକୁ ଆସିବ। ଏହାପରେ ସଠିକ୍‌ ତଥ୍ୟ କହିହେବ। ପୁରୀରେ ଲ୍ୟାଣ୍ଡଫଲ୍‌ ହେବାର ବି ଆଶଙ୍କା ରହିଛି। ପ୍ରଫେସର ପଶୁପାଳକଙ୍କ କହିବା କଥା େହଉଛି, ଗୋପାଳପୁରଠାରୁ ବାରିପଦା ମଧ୍ୟରେ ସଂଯୋଗ କରୁଥିବା ସରଳରେଖାର ପୂର୍ବ ଭାଗରେ ରହିଥିବା ଜିଲ୍ଲାଗୁଡ଼ିକରେ ପବନର ବେଗ ଅଧିକ ରହିବ। ସମଗ୍ର ଉପକୂଳବର୍ତ୍ତି ଜିଲ୍ଲାରେ ପବନ ଓ ବର୍ଷା ଅଧିକ ରହିବ। ତେବେ ସରଳରେଖାର ପଶ୍ଚିମରେ ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ଉଭୟ ବର୍ଷା ଓ ପବନର ପ୍ରଭାବ ପଡ଼ିବ। ପଶ୍ଚିମରେ ଥିବା ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ ଓ ମୟୂରଭଞ୍ଜରେ ବର୍ଷାର ପ୍ରଭାବ ରହିବ। ୨ ତାରିଖ ସନ୍ଧ୍ୟା ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୩ ତାରିଖ ଦିନ ସାରା ବର୍ଷା ହେବ। ୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବ। ବାତ୍ୟା ସମୟରେ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି, ମେ’ ୩ ଅପରାହ୍ନରେ ବାତ୍ୟା ଉପକୂଳକୁ ସ୍ପର୍ଶ କରିବ। ପହଞ୍ଚିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କିମି ରହିବ। ସମୁଦ୍ରରେ ୫ରୁ ୭ ମିଟର ଉଚ୍ଚତାର ଜୁଆର ଉଠିବ। ଉପକୂଳର ୧୦ କିମି ପର୍ଯ୍ୟନ୍ତ ପାଣି ମାଡ଼ି ଯିବାର ବି ଆଶଙ୍କା ରହିଛି। ଆଗକୁ ଭୟଙ୍କର ରୂପ ନେଉଥିବାରୁ ଗୋପାଳପୁର ଓ ଚାନ୍ଦବାଲି ଉପକୂଳରେ ସ୍ପର୍ଶ କରିବ। ଓଡ଼ିଶା ଉପକୂଳ ଛୁଇଁବା ପରେ ତାହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି ଆକଳନ କରାଯାଉଛି। ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଖୋର୍ଧା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହେବ। ତେବେ ରାଡାର ଭିତରକୁ ଆସିବା ପରେ ବାତ୍ୟା କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର