ସୁନ୍ଦରଗଡ଼ : ନାଲିଫିତାରେ ଅଟକିଛି ୩ ରେଳ ଲାଇନ ସଂଯୋଗୀକରଣ

ରକ୍ସି-ବାଂଶପାଣି ବ୍ୟୟ ଅଟକଳ ୧୭୪୭ କୋଟି
କିରିବୁରୁ-ବଡବିଲ୍‌ ବ୍ୟୟ ଅଟକଳ ୭୦୭ କୋଟି
କଲୁଙ୍ଗା- ଲାଠିକଟା ବ୍ୟୟ ଅଟକଳ ୧୫୦ କୋଟି

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଅର୍ଥନୈତିକ ବିକାଶ ସହ ପରିବହନ କ୍ଷେତ୍ରରେ ସୁବିଧା ପାଇଁ ତିନିଟି ରେଳ ଲାଇନ ସଂଯୋଗୀକରଣ ପ୍ରସ୍ତାବ କେବଳ ସର୍ଭେରେ ଅଟକିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ରେଳବାଇର ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଏସବୁ ରେଳ ପ୍ରକଳ୍ପ କାମ ଆଗେଇ ପାରୁନାହିଁ। ଏ ବାବଦରେ ରେଳ ବିଭାଗ ପକ୍ଷରୁ ବ୍ୟୟ ବରାଦ କୋଟି କୋଟି ଟଙ୍କା ସେମିତି ପଡିଛି। ରକ୍ସି -ବାଂଶପାଣି ପାଇଁ ୧୭୪୭ କୋଟି, କିରିବୁରୁ-ବଡବିଲ୍‌ ପାଇଁ ପ୍ରାୟ ୭୦୭ କୋଟି ଓ କଲୁଙ୍ଗା-ଲାଠିକଟା ପାଇଁ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଖର୍ଚ୍ଚ ନ ହେବା ଜନପ୍ରତିନିଧିମାନେ ଜିଲ୍ଲାର ବିକାଶକୁ କେତେ ଗୁରୁତ୍ବ ଦେଉଛନ୍ତି, ଏଥିରୁ ସ୍ପଷ୍ଟ ପ୍ରମାଣିତ ‌ହେଉଛି। ଅଟକି ରହିଥିବା ଏହି ତିନିଟି ରେଳ ଲାଇନ ସଂଯୋଗୀକରଣରେ କୌଣସି ଅଗ୍ରଗତି ଘଟୁ ନଥିବାରୁ ଖନିଜ ପରିବହନ ପାଇଁ ସଂପୃକ୍ତ ଅଞ୍ଚଳରେ ପ୍ରତିଦିନ ହେଉଥିବା ଭୟଙ୍କର ଟ୍ରାଫିକ ସମସ୍ୟାରେ କୌଣସି ସୁଧାର ହେଉନାହିଁ। ଆର୍ଥିକ ବିକାଶରେ ମଧ୍ୟ ଏହା ଏକ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଛି। ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ଷ୍ଟିଲ ହବ୍‌ ହେବାକୁ ଯାଉଛି। ବନ୍ଦ ପଡ଼ିଥିବା ଖଣିଗୁଡ଼ିକର ନିଲାମ ହୋଇ ପୁଣି ସେଠାରୁ ଲୌହ ପଥର ଉତ୍ତୋଳନ ଆରମ୍ଭ ହେବାକୁ ଯାଉଛି। ଏସବୁ ଦୃଷ୍ଟିକୋଣରୁ ଏହି ତିନି ପ୍ରକଳ୍ପର ନିହାତି ଆବଶ୍ୟକତା ରହିଛି।

ଉଲ୍ଲେଖନୀୟ ଯେ ରକ୍ସି-ବାଂଶପାଣି ରେଳ ଲାଇନ ପାଇଁ ୨୦୧୮ ମେ ୩ରେ ସର୍ଭେ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ଅନୁରୂପ ଭାବେ କିରିବୁରୁ-ବଡବିଲ ଓ କଲୁଙ୍ଗା-ଲାଠିକଟା ରେଳ ଲାଇନ ସଂଯୋଗ ପାଇ ମଧ୍ୟ ସର୍ଭେ କରାଯାଇ ବୋର୍ଡକୁ ରିପୋର୍ଟ ପଠାଯାଇଥିଲା। ତେବେ ରିପୋର୍ଟସବୁ ସେମିତି ବିଭାଗୀୟ ନାଲିଫିତା ତଳେ ପଡ଼ିଛି। ସେପଟେ ତାଳଚେର- ବିମଳାଗଡ଼ ରେଳ ଲାଇନ କାମ ମଧ୍ୟ କଚ୍ଛପ ଗତିରେ ଚାଲିଛି। ଆଜି ପର୍ଯ୍ୟନ୍ତ ରେଳ ଲାଇନ କାମ ପାଇଁ ୧୪୯୦ କୋଟି ଟଙ୍କା ମିଳି ସାରିଛି। ଖର୍ଚ୍ଚ ହୋଇଛି ମାତ୍ର ୨୭୭ କୋଟି। ଫେରିଛି ୧୨୧୩ କୋଟି। ଏବେ ବି ୫୦୧ ଏକର ଜମି ଅଧିଗ୍ରହଣ କାମ ବାକି ରହିଛି। ସେ କାମ ତାଳଚେର ପଟୁ କରା ନଯାଇ ବିମଳାଗଡ଼ ପାର୍ଶ୍ବରୁ କରାଗଲେ ତାହା ଶୀଘ୍ର ଶେଷ ହୋଇ ପାରନ୍ତା ବୋଲି କୁହାଯାଉଛି। ଏସବୁ ପ୍ରକଳ୍ପ କେବେ ଆରମ୍ଭ ହେବ କାହାରି ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ଉଲ୍ଲେଖନୀୟ ଯେ ରାଉରକେଲା ମାଲଗୋଦାମରେ ରେଳ ସାଇଡିଂ ରହିଛି। ମାଲ୍‌ ଲୋଡିଂ ଓ ଅନ୍‌ଲୋଡିଂ ପାଇଁ ଶହ ଶହ ଟ୍ରକ ସାଇଡିଂକୁ ଯିବା ଆସିବା କରୁଥିବାରୁ ସ୍ମାର୍ଟ ସିଟିରେ ପ୍ରତିଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଲାଠିକଟା- କଲୁଙ୍ଗା ଷ୍ଟେସନକୁ ଯୋଡ଼ି କୌଣସି ଏକ ସ୍ଥାନରେ ରେଲୱେ ସାଇଡିଂ ନିର୍ମାଣ କରାଯାଇ ଏଠାକୁ ମାଲଗୋଦାମ ରେଳ ସାଇଡିଂକୁ ଉଠାଇ ଆଣିଲେ ରାଉରାକେଲାରେ ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇ ପାରନ୍ତା। ରେଳ ବିଭାଗ ମଧ୍ୟ ଜିଲ୍ଲାରୁ କୋଟି କୋଟି ଟଙ୍କାର ରାଜସ୍ବ ପାଇ ପାରନ୍ତା। ତେଣୁ ସ୍ଥାନୀୟ ଜନପ୍ରତିନିଧି ଓ ରେଳ କର୍ତ୍ତୃପକ୍ଷ ଫାଇଲ୍‌ରେ ପଡ଼ି ରହିଥିବା ଏସବୁ ରେଳପ୍ରକଳ୍ପକୁ ଅଗ୍ରାଧିକାର ସୂତ୍ରରେ ଗୁରୁତ୍ବ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର