ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ ଜଲୱା ଦେଖାଇବେ ରଣବୀର-ଦିଶା, ସଂଗୀତ ପରିବେଷଣ କରିବ କେ-ପପ୍ ବ୍ୟାଣ୍ଡ୍ ବ୍ଲାକସ୍ବାନ୍

ଭୁବନେଶ୍ବର: ଓଡ଼ିଶା ଆସିବେ ବଲିଉଡ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନୀ। ୨୦୨୩ ଜାନୁଆରି ୧୩ରେ ଓଡ଼ିଶାରେ ହକି ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ଭବ୍ୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଓଡିଶାରେ ହକି ବିଶ୍ୱକପ ୨୦୨୩ର ଆରମ୍ଭକୁ ସ୍ମରଣୀୟ କରିବା ପାଇଁ ଏକ  ବିଶ୍ୱସ୍ତରୀୟ ଉତ୍ସବ ଜାନୁଆରି ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ବଲିଉଡ ଓ ଓଲିଉଡର ଅନେକ କଳାକାର ଉପସ୍ଥିତ ରହିବା ସହ ବ୍ଲାକସ୍ବାନ (ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ, ଯେଉଁଥିରେ ଓଡ଼ିଶାର ଶ୍ରେୟା ଲେଙ୍କା ସାମିଲ ଅଛନ୍ତି) କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜଣାପଡ଼ିଛି।

ଏହି ସମାରୋହରେ ଭାରତର ଲୋକପ୍ରିୟ ବଲିଉଡ୍ ତାରକା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ସହିତ ବ୍ଲାକସ୍ବାନ ବ୍ୟାଣ୍ଡ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ତାରକାମାନଙ୍କ ମଧ୍ୟରେ ହକି ବିଶ୍ୱକପ ୨୦୨୩ ଶୀର୍ଷକ ଗୀତର ଲେଖକ ଓ ସ୍ବରକାର ସଂଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ଉପସ୍ଥିତ ରହିବେ। ଏହା ସହ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର‌ା, ଅନ୍ତରା ମିତ୍ର, ଶ୍ରୀରାମଚନ୍ଦ୍ର, ନକଶ ଅଜିଜଙ୍କ ଭଳି ଦେଶର ଜଣାଶୁଣା କଣ୍ଠଶିଳ୍ପୀମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କ ମନମୋହିବେ। ଏହି ଇଭେଣ୍ଟରେ ଓଡ଼ିଶାର କିଛି କଳାକାର ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ହକି ବିଶ୍ବକପ୍‌-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଓଡ଼ିଆ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍‌ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର