ଆଦର୍ଶ ବିଦ୍ୟାଳୟର ଅଗ୍ରଗତି ନେଇ ଗଣଶିକ୍ଷା ସଚିବଙ୍କ ସମୀକ୍ଷା: ଜୁନ୍‌ ସୁଦ୍ଧା ନିର୍ମାଣ କାମ ସାର

ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ୮୦ ହଷ୍ଟେଲ୍‌ କାମ ଶେଷ କରିବାକୁ ପରାମର୍ଶ
ବିରିଡ଼ି, ଅସ୍ତରଙ୍ଗ ଓ ଝାରବନ୍ଧ କାର୍ଯ୍ୟ ହୋଇନଥିବାରୁ ଅସନ୍ତୋଷ

ଭୁବନେଶ୍ବର : ୨୦୨୨ ଜୁନ୍‌ ସୁଦ୍ଧା ସମସ୍ତ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ‌ଶେଷ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ମାସିକ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ଅଧ୍ୟକ୍ଷତା କରି କହିଛନ୍ତି ଯେ ଆସନ୍ତା ଡିସେମ୍ବର ମଧ୍ୟରେ ସ୍କୁଲ ଗୃହର ପୁନର୍ବିନ୍ୟାସ ଓ ରୂପାନ୍ତରଣ କାର୍ଯ୍ୟ ଏବଂ ୮୦ଟି ବାଳିକା ହଷ୍ଟେଲ ଗୃହ ନିର୍ମାଣ କାର୍ଯ୍ୟ ଶେଷ କର। ୨୦୨୨-୨୩ ଶିକ୍ଷାବର୍ଷର ଜୁନ୍‌ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିରିଡ଼ି, ଅସ୍ତରଙ୍ଗ, ଝାରବନ୍ଧ(ବରଗଡ଼)ରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ହୋଇନ ଥିବାରୁ ସଚିବ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିବା ସହ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ରେ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଶିକ୍ଷାବର୍ଷ ପ୍ରାରମ୍ଭରେ ୮୦ଟି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯିବ। ଏଥିସହ ଯେଉଁ ଆଦର୍ଶ ବିଦ୍ୟାଳୟର ପାଚେରି ନାହିଁ ସେଠାରେ ତୁରନ୍ତ ପାଚେରି ନିର୍ମାଣ, ଆବଶ୍ୟକ ଥିବା ବିଦ୍ୟାଳୟଗୁଡ଼ିକରେ ଆପ୍ରୋଚ୍‌ ରୋଡ୍‌ କାର୍ଯ୍ୟ ହାତକୁ ନେବା, ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତି ଲାଗି ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ବାରା ଅତିରିକ୍ତ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଇପାରିବ। ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକ ଉନ୍ନତମାନର ନିର୍ମାଣ ସହ ୱାଟରପ୍ରୁଫ ରଙ୍ଗ କରିବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରର ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବା ମଡେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନକ୍ସା ଓ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଓଡ଼ିଶା ବ୍ରିଜ୍‌ ନିର୍ମାଣ ନିଗମ(ଓବିସିସି) ମାଧ୍ୟମରେ ନିର୍ମାଣ ହେବାକୁ ଥିବା ଏହି କାର୍ଯ୍ୟ ୨୦୨୩ରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଉକ୍ତ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସମସ୍ତ କାର୍ଯ୍ୟକୁ ୨୦୨୩ ସୁଦ୍ଧା ସାରିବାକୁ ଶ୍ରୀ ସାହୁ ଓବିସିସିକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଏକ ବିକାଶ ନକ୍ସା ପ୍ରସ୍ତୁତ କରି ତଦନୁଯାୟୀ ସମସ୍ତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ଯୋଜନା ହେଉଥିବା ବୈଠକରୁ ସୂଚନା ମିଳିଛି। ଏହି ଭର୍ଚୁଆଲ ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମେତ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ, ଜଳ ଓ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଟାଟା ଷ୍ଟିଲର କ୍ଷେତ୍ର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର