ପ୍ରବଳ ଖରାରେ ରାସ୍ତାରୋକ, ଲୋଇସିଂହା ଅଞ୍ଚଳରେ ଜନ ଅସନ୍ତୋଷ

ଲୋଇସିଂହା: ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଚାଳକ ଓ ପିଏସ୍‌ଙ୍କୁ ମଙ୍ଗଳବାର ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ବୁଧବାର ବିଜେପି ପକ୍ଷରୁ ଲୋଇସିଂହା ବସ୍‌ଷ୍ଟାଣ୍ଡଠାରେ ରାସ୍ତାରୋକ କରାଯାଇଥିଲା। ସକାଳ ୮ ଟାରୁ ୧୦.୩୦ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ବିଜେଡି ସରକାର ବିରୋଧରେ ସ୍ଲୋଗାନ ଦେଇ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା ଏବଂ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।

ଯାତ୍ରୀମାନେ ଖରାରେ ଯାତାୟାତ କରୁଥିବା ଦେଖା ଯାଇଥିଲା। ଏପରିକି ବାଇକ୍‌ଗୁଡ଼ିକୁ ମଧ୍ୟ ଛଡ଼ା ଯାଉ ନଥିଲା। କେତେକ ବାଇକ୍‌ ଚାଳକ ପ୍ରତିବାଦ କରିବାରୁ ଆନ୍ଦୋଳନକାରୀମାନେ ବାଇକ୍‌ଗୁଡ଼ିକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ଗତକାଲି ଘଟଣାରେ ସ୍ଥାନୀୟ ପୁଲିସ ସୂଚନା ପାଇ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବିଜେପି କର୍ମୀଙ୍କ ରାସ୍ତାରୋକ ଆନ୍ଦୋଳନର ଆବଶ୍ୟକତା କାହିଁକି ବୋଲି ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ବିଭିନ୍ନ ରାଜନୈତିକ ଦଳ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଥିବା ବେଳେ ବିଜେପି କର୍ମୀଙ୍କ ରାସ୍ତାରୋକ ଯୋଗୁଁ ପ୍ରବଳ ଖରା‌ରେ ଲୋକେ ହଇରାଣ ହ‌େବା ଘଟଣାକୁ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର