ଛାତ୍ରୀଙ୍କ ଫଟୋ ଉଠାଇ ରୋମିଓ ଗିରଫ

ପୁରୀ : ରବିବାର ପୂର୍ବାହ୍ନରେ ପ୍ରାତଃଭ୍ରମଣରେ ଯାଉଥିବା ଛାତ୍ରୀ ଓ ତାଙ୍କ ବାପାଙ୍କ ଫଟୋ ଉଠାଇବା ସହିତ ତାଙ୍କୁ ହଇରାଣ ହରକତ କରୁଥିବା ରୋମିଓକୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି। ଏହି ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଉକ୍ତ ରୋମିଓକୁ ଗିରଫ ପରେ ନୋଟିସ ଦେଇ ଛାଡ଼ିଛି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ବେଆଇନ ଭାବେ ପ୍ରାତଃଭ୍ରମଣରେ ଯାଇଥିବା ବାପ ଝିଅଙ୍କୁ ପୁଲିସ ଜରିମାନା ଆକାରରେ ଶହେ ଟଙ୍କା ଆଦାୟ କରିଛି।

ଖବର ନେବାରେ ଜଣାପଡ଼ିଛି ଯେ ଶ୍ରୀକ୍ଷେତ୍ର କଲୋନୀର ବାପ ଝିଅ ଦୁହେଁ ରବିବାର ପୂର୍ବାହ୍ନରେ ପ୍ରାତଃଭ୍ରମଣରେ ଯାଉଥିଲେ। ଏହି ସମୟରେ ସିଦ୍ଧମହାବୀର ମାରୁତୀ ନଗରର ମୁନା ଓରଫ ସୁନୀଲ କୁମାର ବେହେରା(୨୬) ତାଙ୍କୁ ପିଛା କରି ମୋବାଇଲରେ ଫଟୋ ଉଠାଇଥିଲା। ଏହା ଦେଖି ବାପ ଝିଅ ଦୁହେଁ ତାଙ୍କ ଘରକୁ ଚାଲି ଆସିଥିଲେ। ମାତ୍ର ମୁନା ତାଙ୍କ ଘରକୁ ଯାଇ କବାଟ ବାଡ଼େଇଥିଲା। ଫଳରେ ଛାତ୍ରୀଙ୍କ ବାପା ଘରୁ ବାହାରକୁ ଆସି ଡାକ ପକାଇବାରେ ସ୍ଥାନୀୟ ଲୋକମାନେ ତାକୁ ଧରି ନିସ୍ତୁକ ଛେଚିଥିଲେ।

ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ମୁନାକୁ ଧରିନେଇଥିଲା। ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ମୁନାକୁ ଗିରଫ ପରେ ନୋଟିସ ଦେଇ ଛାଡ଼ିଥିବା ଜଣାପଡ଼ିଛି। ତେବେ ମୁନାଠାରୁ ପୁଲିସ ତା’ର ମୋବାଇଲଟିକୁ ଜବତ କରିଛି। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ମୁନା ତାଙ୍କୁ ପିଛା କରୁଥିଲା। ଅନ୍ୟପଟେ ଆଜି ରବିବାର ଲକ୍‌ଡାଉନ କଟକଣା ସମୟରେ ପ୍ରାତଃଭ୍ରମଣରେ ଯାଇଥିବାରୁ ଛାତ୍ରୀଙ୍କ ବାପାଙ୍କଠାରୁ ପୁଲିସ ଶହେ ଟଙ୍କା ଜରିମାନା ଆଦାୟ କରିଛି।

ସମ୍ବନ୍ଧିତ ଖବର