ବିଜେପି-ବିଜେଡି କାଦୁଅ ଫିଙ୍ଗା ଆରମ୍ଭ: ପୁଣି ଉପେକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ, ମିଳିଲା ୧୦ ‌କୋଟି ଅନୁଦାନ

ରାଉରକେଲା: ପୁଣି ଉପେକ୍ଷିତ ହେଲା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ। ଚଳିତ ବଜେଟରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ପାଇଁ ଏହା ହେଉଛି ସବୁଠାରୁ କମ୍‌ ଅନୁଦାନ, କାରଣ ଗତ ଦୁଇ ଆର୍ଥିକ ବର୍ଷରେ ଯଥାକ୍ରମେ, ୧୪୦ ଓ ୨୯୦ କୋଟି ଅନୁମୋଦିତ ହୋଇଥିଲା। ଏହି ସ୍ବଳ୍ପ ଅନୁଦାନକୁ କିନ୍ତୁ ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଛନ୍ତି। ତେବେ ଏଥିପାଇଁ ଦାୟୀ କିଏ। ପ୍ରକଳ୍ପର ଗୁରୁତ୍ବକୁ ଗୌଣ ମନେ କରି ମାତ୍ର ୧୦ କୋଟି ଅନୁଦାନ ଦେଇଥିବା କେନ୍ଦ୍ର ସରକାର? ନା ଜମି ଅଧିଗ୍ରହଣରେ ସଂପୂର୍ଣ୍ଣ ବିଫଳ ହୋଇ ପ୍ରତିବର୍ଷ ଅନୁଦାନ ଫେରାଉଥିବା ରାଜ୍ୟ ସରକାର? ରାଜ୍ୟ ପ୍ରତି କେନ୍ଦ୍ର ସରକାରର ଅଣଦେଖା? ନା ରାଜ୍ୟ ସରକାରଙ୍କ ଦୂରଦର୍ଶୀତାର ଅଭାବ? ଏନେଇ ଏବେ ଭିନ୍ନ ଭିନ୍ନ ମତ ଆସିଲାଣି। ଏହାକୁ ନେଇ ମୁଁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏଥିପାଇଁ ସାଧାସଳଖ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ଅପରପକ୍ଷରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଉପରେ ଦୋଷାରୋପ କରିଛନ୍ତି। ଏହି ପ୍ରସଙ୍ଗ ଏବେ କିନ୍ତୁ ଜିଲ୍ଲାରେ ଚର୍ଚ୍ଚାର ଶିରୋଣାମା ପାଲଟିଛି।

କମ୍‌ ଅନୁଦାନ ପଛରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ସାଂସଦ ଜୁଏଲ ଓରାମ। ଏନେଇ ଶ୍ରୀ ଓରାମ କହିଲେ, ଜମି ଅଧିଗ୍ରହଣ କରିବାରେ ରାଜ୍ୟ ସରକାର ଶତପ୍ରତିଶତ ବିଫଳ ହୋଇଛନ୍ତି। ବାରମ୍ବାର ଅବଗତ କରିବା ସତ୍ବେ ଜମି ଅଧିଗ୍ରହଣ କରାଯାଇନାହିଁ। ଏହି ପ୍ରକଳ୍ପ ପାଇଁ ବିଗତ ଦିନରେ ବହୁମାତ୍ରାରେ ଅନୁଦାନ ଆସିଛି। ମାତ୍ର ରାଜ୍ୟ ସରକାର ବ୍ୟୟ କରିନପାରିବାରୁ ଅନୁଦାନ ଫେରିଯାଇଛି। ଏବେ ବି ସମୟ ଅଛି। ଯଦି ଜମି ଅଧିଗ୍ରହଣ ହୋଇଯିବ ଓ ଅର୍ଥ ବ୍ୟୟ ହୋଇଯିବ; ତା’ହେଲେ ପରବର୍ତ୍ତୀ ସଂଶୋଧିତ ବଜେଟ୍‌ ସମୟରେ ଅଧିକ ଅନୁଦାନ ନେଇ ପ୍ରୟାସ କରାଯିବବୋଲି କହିଛନ୍ତି।

ବିଜେଡି କିନ୍ତୁ ବିଜେପିର ଏହି ସ୍ପଷ୍ଟୋକ୍ତିକୁ ଗ୍ରହଣ କରିପାରିନି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକ ଏହି ବଜେଟ୍‌କୁ ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳାର ନଗ୍ନ ଉଦାହରଣବୋଲି କହିଛନ୍ତି। ଏହି ଅନୁଦାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟ ପ୍ରତି ବୈମାତୃକ ମନୋଭାବର ନିଦର୍ଶନ। ରେଳବାଇ କର୍ତୃପକ୍ଷ ସବୁବେଳେ ରାଜ୍ୟକୁ ଅଣଦେଖା କରିଛନ୍ତି। ରେଳବାଇ କର୍ତୃପକ୍ଷ ପୂର୍ବରୁ କେବଳ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ପାଇଁ ମଧ୍ୟ ରେଳବାଇ କର୍ତୃପକ୍ଷ ପ୍ରସ୍ତାବ ଦେବାକୁ ୨୦୧୧ ମସିହାରେ ହାଉସ୍‌ କମିଟିରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ଏହାପରେ ରେଳ କର୍ତୃପକ୍ଷଙ୍କ ଚେତା ପଶିଥିଲା ଓ କିଛି ବର୍ଷ ପୂର୍ବେ ପ୍ରସ୍ତାବ ରଖିଥିଲେ। କେନ୍ଦ୍ର ସରକାର ଓ ତାଙ୍କ ପ୍ରତିନିଧି କେବଳ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ଏଯାଏଁ ପୂର୍ଣ୍ଣ ବ୍ୟୟ ଅଟକଳ ପ୍ରସ୍ତୁତ କରାନଯିବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେବୋଲି ଶ୍ରୀ ନାୟକ କହିଛନ୍ତି। ସ୍ବଳ୍ପ ଅନୁଦାନ ପାଇଁ ଉଭୟ ବିଜେପି-ବିଜେଡି ପରସ୍ପର ଦୋଷାରୋପରେ ମସଗୁଲ୍‌ ଥିବାବେଳେ ଏହାକୁ କିନ୍ତୁ ଗ୍ରହଣ କରିପାରିନାହାନ୍ତି ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତି ଓ ସହରର ବୁଦ୍ଧିଜୀବୀ। କମ୍‌ ଅନୁଦାନ ଦେଇ ଜିଲ୍ଲାବାସୀ ୬ ଦଶନ୍ଧି ପୁରୁଣା ଦାବିକୁ ଅଣଦେଖା କରାଯାଇଛି। ଏହି ପ୍ରକଳ୍ପ ପାଇଁ ଚାତକପରି ଚାହିଁ ବସିଥିବା ଜିଲ୍ଲାବାସୀଙ୍କ ପ୍ରତି କେନ୍ଦ୍ର ସରକାର ଉପହାସ କରିଛନ୍ତିବୋଲି ସମିତି କହିଛି।

ଏହି ପ୍ରକଳ୍ପ ହେଉଛି ୭୦ ଦଶକର ଦାବି। ଲଗାତର ଆନ୍ଦୋଳନ ପରେ ୨୦୦୩-୦୪ ମସିହାରେ ତତ୍କାଳୀନ ଭାରତ ସରକାର ପ୍ରକଳ୍ପକୁ ସ୍ୱୀକୃତି ଦେଇ ବଜେଟରେ ଅର୍ଥ ମଞ୍ଜୁର କରିଥିଲେ। ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ଆଣ୍ଠେଇ ପଡ଼ିଛି। ତାଳଚେର ପଟୁ ଏଯାଏଁ ମାତ୍ର ୧୭ କିଲୋମିଟର ରେଳପଥ ସମ୍ପୂର୍ଣ୍ଣ ହୋଇପାରିଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ସୁନ୍ଦରଗଡ଼ ପଟୁ ପ୍ରକଳ୍ପରେ ଗ୍ରହଣ ଲାଗିଯାଇଛି। ଏଭଳି ପରିସ୍ଥିତିରେ ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଏହାର ବିଚାର କରି ମାନ୍ୟବର ଉଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିବାପରେ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଥିଲା। ଗତ ଅକ୍ଟୋବର ୧୫ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ରାଉରକେଲାରେ ପହଁଚି ପ୍ରକଳ୍ପର ସମୀକ୍ଷା କରିବା ସହ ଖୁବଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବାକୁ ଉଦ୍ୟମ ଆରମ୍ଭ ହୋଇଥିବା କହିଥିଲେ। ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ କଚ୍ଛପ ଗତି ଓ କେନ୍ଦ୍ର ସରକାରଙ୍କ ୧୦ କୋଟିର ଅନୁଦାନ; ପୁଣିଥରେ ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି।

ସମ୍ବନ୍ଧିତ ଖବର