୭୨ ଘଣ୍ଟା ପରେ ବି କୋର୍ଟରୁ ଜେଲ୍‌କୁ ଆସିନି ଜାମିନ ନିର୍ଦ୍ଦେଶ : ଆଜି ମୁକୁଳିବେ ସାରଥି!

ଜେଲରୁ ବାହାରିବା ବେଳେ ଶୋଭାଯାତ୍ରା ଉପରେ ଅଙ୍କୁଶ, କେଉଁଠି ଯାଉଛନ୍ତି ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବେ, ଆବଶ୍ୟକତା ଅନୁଯାୟୀ ପୁଲିସ ଯୋଗାଇବ ସୁରକ୍ଷା

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶର ୭୨ ଘଣ୍ଟା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ସାରଥି ଓରଫ ସନ୍ତୋଷ କୁମାର ରାଉଳ। ତେବେ ଗୁରୁବାର ଏହି ନିର୍ଦ୍ଦେଶ ପହଞ୍ଚିବ ଏବଂ ସାରଥି ଜେଲ୍‌ରୁ ମୁକୁଳିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଗତ ୨୨ ତାରିଖ ଦିନ ହାଇକୋର୍ଟ ବାବା ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ। ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ମିଳି ନ ଥିବାରୁ ସେ ଚୌଦ୍ବାର ଜେଲରେ ରହି ଆସୁଥିଲେ। କିନ୍ତୁ ସେହି ମାମଲାରେ ଜାମିନ ମିଳିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ସାରଥି ଆଜିଯାଏ ଜେଲରୁ ମୁକୁଳି ପାରିନାହାନ୍ତି। ଚୌଦ୍ବାର ସର୍କଲ ଜେଲ୍‌ର ଜେଲର ହେମନ୍ତ ସେଠୀଙ୍କ କହିବା ଅନୁଯାୟୀ ସାରଥିଙ୍କ ମୁକ୍ତି ପାଇଁ କୌଣସି ନିର୍ଦ୍ଦେଶନାମା କୋର୍ଟରୁ ଆସି ଆଜି ବି ପହଞ୍ଚି ନାହିଁ। ତେଣୁ ସେ ଜେଲରୁ ମୁକୁଳି ପାରି ନାହାନ୍ତି।

ଜେଲରୁ ମୁକୁଳିବା ପାଇଁ ରହିଥିବା ବ୍ୟବସ୍ଥା ଅନୁଯାୟୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶନାମାର ସାର୍ଟିଫାଏଡ କପି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ଦାଖଲ କରାଯିବ। ନିର୍ଦ୍ଦେଶନାମା ଅନୁଯାୟୀ ୨ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର କେନ୍ଦ୍ରାପଡ଼ା ଏସଡିଜେଏମ ଅଦାଲତରେ ହାଜର ହୋଇ ସାରଥିଙ୍କୁ ଜାମିନରେ ନେବାକୁ ସତ୍ୟପାଠ ଦାଖଲ କରିବେ। ସାରଥିଙ୍କୁ ଜାମିନରେ ଛାଡ଼ିବା ପାଇଁ ଚୌଦ୍ବାର ଜେଲକୁ ଆଦେଶ ଦେବା ପୂର୍ବରୁ ନିମ୍ନ ଅଦାଲତ ଚାହିଁଲେ ଅନ୍ୟ ସର୍ତ୍ତ ମଧ୍ୟ ରଖି ପାରିବେ। ସବୁ ସର୍ତ୍ତ ପୂରଣ ପରେ ସାରଥିଙ୍କୁ ଜେଲରୁ ଛାଡ଼ିବା ପାଇଁ ନିମ୍ନ ଅଦାଲତ ‌‌ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ‌ଆଦେଶ ଦେବେ। ସେହି କପି ଜେଲରେ ପହଞ୍ଚିବା ପରେ ଯାଇ ସାରଥି ଜେଲରୁ ମୁକୁଳିବେ। ଗତ ୨୨ ତାରିଖର ନିର୍ଦ୍ଦେଶନାମାର ସାର୍ଟିଫାଏଡ କପି ହାଇକୋର୍ଟରୁ ମିଳି ପାରି ନଥିବାରୁ ସାରଥି ଆଜି ଜେଲରୁ ମୁକୁଳି ପାରି ନଥିବା କୁହାଯାଉଛି। ଏଭଳି ସ୍ଥିତିରେ ଆସନ୍ତାକାଲି ସାରଥି ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ସାରଥି ଚୌଦ୍ବାର ଜେଲରୁ କେବେ ମୁକୁଳିବେ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ବଢିବାରେ ଲାଗିଛି। ଚୌଦ୍ବାର ଜେଲ ସାମନାରେ ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ଲୋକଙ୍କ ଭିଡ଼ ଜମୁଥିବା ବେଳେ ସାରଥି ଜେଲରୁ ମୁକୁଳି କୁଆଡେ ଯିବେ, ତାହାକୁ ନେଇ ମଧ୍ୟ କୌତୂହଳ ବଢିବାରେ ଲାଗିଛି।

କିନ୍ତୁ ଜାମିନରେ ଛାଡ଼ ପାଇବା ସମୟରେ ସାରଥିଙ୍କ ସମର୍ଥକମାନେ କୌଣସି ପ୍ରକାର ଶୋଭାଯାତ୍ରା ଆୟୋଜନ କରି ପାରିବେ ନାହିଁ ବୋଲି ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୨୦୧୭, ଅଗଷ୍ଟ ୪ରେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିବା ବେଳେ ଏପରି ସର୍ତ୍ତ ରଖିଥିଲେ। ଏଥି ସହିତ ସାରଥିଙ୍କ କେନ୍ଦ୍ରାପଡା ତଥା ବାରିମୂଳ ଆଶ୍ରମ ଗସ୍ତ ଉପରେ ମଧ୍ୟ ଅଙ୍କୁଶ ଜାରି କରାଯାଇଥିଲା। ଯେଉଁଠି ବି ସାରଥି ରୁହନ୍ତୁ ସେ କୌଣସି ପ୍ରକାର ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଉଦବୋଧନ/ପ୍ରବଚନ ଦେଇ ପାରିବେ ନାହିଁ। ଶ୍ରଦ୍ଧାଳୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକାଠି କରି ଉଦବୋଧନ ଦେଇ ପାରିବେ ନାହିଁ। ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ୨୦୧୭, ଅଗଷ୍ଟ ୪ରେ ନିର୍ଦ୍ଦେଶ ଦେଇଥିଲେ। ମୂଳ ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କାଏମ ରହିବ।

ସମ୍ବନ୍ଧିତ ଖବର