ସାତକୋଶିଆ ଗାଁ ବିସ୍ଥାପନ କେଳେଙ୍କାରୀ: ବୟସରେ ଜାଲିଆତି, ଟେକିଦେଲେ ୨୦ଲକ୍ଷ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗାଁ ବିସ୍ଥାପନ ନାଁରେ ସାଙ୍ଘାତିକ କେଳେଙ୍କାରୀ। ୧୬ବର୍ଷ ବୟସର ନାବଳିକାକୁ ସାର୍ଟିଫିକେଟ୍‌ରେ ସାବାଳିକା ଦର୍ଶାଇ ଟେକିଦେଲେ ୨୦ଲକ୍ଷ। ଅଭୟାରଣ୍ୟ ଅଧୀନସ୍ଥ ଟୁଲ୍‌କା ଗାଁର ବିସ୍ଥାପନରୁ ଏହି ଘଟଣା ଲୋକଲୋଚନକୁ ଆସିଛି। ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ନାବାଳିକା ଏବଂ ତାଙ୍କ ବାପା, ମାଙ୍କୁ ସାତକୋଶିଆ କର୍ତୃପକ୍ଷ ଡକାଇ ଜେରା ଆରମ୍ଭ କରିଛନ୍ତି। ନାବାଳିକାର ଆକାଉଣ୍ଟ୍‌ରୁ ଏ ଟଙ୍କାକୁ ଫ୍ରିଜ୍‌ କରି ଦିଆଯାଇଛି। ବନ ବିଭାଗଠାରୁ ଆରମ୍ଭ କରି ରାଜସ୍ବ ଯାଏ, ଉପରୁ ତଳଯ‌ାଏ ତୁହାକୁ ତୁହା ଯାଞ୍ଚ ପରେ ବି କେଉଁ ପରିସ୍ଥିତିରେ ଏ ଜାଲିଆତି ହେଲା ତାହାକୁ ସନ୍ଦେହ ଘନେଇଛି।

ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ଭିତରୁ ଗାଁକୁ ହଟାଇବା ପାଇଁ ସାତକୋଶିଆ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଗାଁକୁ ଜଙ୍ଗଲ ଭିତରୁ ହଟାଇ ଚାଲିଥି‌ଲେ। ପୁରୁଣାକୋଟ୍ ରେଞ୍ଜ୍‌ ଟୁଲ୍‌କା ଗାଁକୁ ବି ବନ ବିଭାଗ ଗଲା କିଛି ମାସ ହେଲା ବିସ୍ଥାପନ କରିବା ଆରମ୍ଭ କରିଥିଲା। ନିୟମ ଥିଲା, ଗାଁର ସାବାଳକ ଭୋଟର୍‌, ସାବାଳିକା ଅବିବାହିତା ଝିଅ, ବିଧବା ମହିଳା ଓ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ପ୍ୟାକେଜ୍‌ ଦିଆଯିବ। ଗାଁରୁ ହଟିଲା ପରେ ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଜାଗା ବନ୍ଦୋବସ୍ତ କରି ଘରଦ୍ବାର ବ୍ୟବସ୍ଥା କରାଇବ। ଯେଉଁମାନେ ଗାଁରୁ ହଟିଆସି ଜିଲ୍ଲା ପ୍ରଶାସନର ବ୍ୟବସ୍ଥାରେ ରହିବେ ସେମାନଙ୍କୁ ମୁଣ୍ଡପିଛା ୧୫ଲକ୍ଷ ଏବଂ ଯେଉଁମାନେ କୌଣସି ଘରଦ୍ବାର ନେବେ ନାହିଁ, ନିଜ ବ୍ୟବସ୍ଥାରେ ଘର ଖୋଜି ରହିବେ ସେମାନଙ୍କୁ ମୁଣ୍ଡ ପିଛା ୨୦ଲକ୍ଷ ଟଙ୍କାର ପ୍ୟାକେଜ୍‌ ଦେବାକୁ ସରକାରୀ ନିୟମ କରାଗଲା। ପ୍ୟାକେଜ୍‌ ବଣ୍ଟନର ପ୍ରଥମ ସର୍ତ୍ତ ଥିଲା ବୟସ ୧୮ବର୍ଷ ହୋଇଥିବ।

୧୬ ବର୍ଷର ନାବାଳିକା, ସତ୍ୟପାଠରେ ୧୮ବର୍ଷ
ମାଟ୍ରିକ୍‌ ସାର୍ଟିଫିକେଟ୍‌ ହେରଫେର କରି ଟଙ୍କା ହଡ଼ପ
ଡିଏଫ୍‌ଓଙ୍କ ତନାଘନା, ଆକାଉଣ୍ଟରୁ ସବୁ ଟଙ୍କା ଫ୍ରିଜ୍‌

କିନ୍ତୁ, ସାତକୋଶିଆ କର୍ତୃପକ୍ଷ ଟୁଲ୍‌କା ଗାଁର ଜଣେ ୧୬ ବର୍ଷ ବୟସର ନାବାଳିକାକୁ ବି ଏ ଟଙ୍କା ବାଣ୍ଟି ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ତାକୁ ୧୮ବର୍ଷର ଦେଖାଇ ଏ ଟଙ୍କା ବଣ୍ଟାଯାଇଛି। ନାବାଳିକାର ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଦୁଇ ବର୍ଷ ବୟସର ଏ ତାରତମ୍ୟକୁ ଜାଲିଆତି କରାଯାଇଛି। ତଥ୍ୟ ମୁତାବକ, ନାବାଳିକାର ପ୍ରକୃତ ଜନ୍ମ ତାରିଖ ହେଉଛି ୨୦୦୭ ଫେବ୍ରୁଆରି ୧୮ତାରିଖ। ୨୦୨୨ରେ ସେ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରି କାକଟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଛି। ହିସାବ କଲେ, ଆଜି ତାରିଖରେ ବି ଏହି ଛାତ୍ରୀ ଜଣକ ସାବାଳିକା ନୁହେଁ। କିନ୍ତୁ ୨୦୦୫ ମସିହା ଫେବ୍ରୁଆରି ୧୮ ଜନ୍ମ ତାରିଖ ଥିବା ଏକ ଜାଲ୍ ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଛାତ୍ରୀ ଜଣଙ୍କୁ ସାବାଳିକା ବୋଲି ଦର୍ଶାଯିବା ସହିତ ତା ଆକାଉଣ୍ଟ୍‌ରେ ୨୦ଲକ୍ଷ ଟଙ୍କା ପଠାଇ ଦିଆଯାଇଛି।

ଏନେଇ ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣାର ତନାଘନା ଆରମ୍ଭ ହୋଇଛି। ପୁରୁଣାକୋଟ୍ ରେଞ୍ଜର୍‌ଙ୍କୁ ଏନେଇ ସାତକୋଶିଆ ଡିଏଫ୍ଓ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ନାବାଳିକାଙ୍କ ପରିବାରକୁ ସାତକୋଶିଆ କାର୍ଯ୍ୟାଳୟକୁ ଡାକି ଜେରା ଆରମ୍ଭ ହୋଇଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା କହିଛନ୍ତି, ଝିଅଟିର ଜନ୍ମ ୨୦୦୭ ମସିହା ଫେବ୍ରୁଆରି ୧୮ତାରିଖରେ ବୋଲି କୁହାଯାଉଥିବା ବେଳେ ୨୦୦୫ ମସିହା ଫ୍ରେବୁଆରି ୧୮ତାରିଖ ଜନ୍ମ ଦିବସ ଥିବା ଏକ ସାର୍ଟିଫିକେଟ୍ ଆମକୁ ଦାଖଲ କରାଯାଇଛି। ଅଭିଯୋଗ ପାଇଲା ପରେ ଆମେ ଟଙ୍କାକୁ ବ୍ଲକ୍‌ କରି ଦେଇଛୁ। କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାର ତଦନ୍ତ ଜାରି ରହିଛି ବୋଲି ଡ. ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର