କୋଟିପତି ଏସିଏସ୍‌ଓ ଗିରଫ

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ନୂଆପଡ଼ା ଅତିରିକ୍ତ ସିଏସ୍‌ଓ ରତ୍ନାକର ସେଠୀ। ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପତ୍ତି ଯାଞ୍ଚ କରିବା ପରେ ଆୟଠୁ ୫୭୦ ପ୍ରତିଶତ ଅଧିକ ସମ୍ପତ୍ତି ସେ ଠୁଳ କରିଥିବା ଜଣାପଡ଼ିଥିଲା। ହେଲେ, ଶ୍ରୀ ସେଠୀ ଏହା ଉପରେ କୌଣସି ସନ୍ତୋଷଜନକ ଉତ୍ତର ରଖି ନପାରିବାରୁ ତାଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ଏ ସ˚କ୍ରାନ୍ତରେ କଟକ ଭିଜିଲାନ୍ସ ଥାନାରେ ରତ୍ନାକର ଓ ତାଙ୍କ ପତ୍ନୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଗତକାଲି କଟକ ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ାସ୍ଥିତ ସରକାରୀ କ୍ବାର୍ଟର, କାର୍ଯ୍ୟାଳୟ, କଟକର ଚାଉଳିଆଗଞ୍ଜ, ମଧୁପାଟଣା ବାଲିସାହି, ଗରୁଡ଼ିଝାଟିଆର ଓରନ୍ଦାଠାରେ ଭିଜିଲାନ୍ସର ୬ଟି ଟିମ୍‌ ଚଢଉ କରିଥିଲା। ସମସ୍ତ ଟିମ୍‌ରେ ଜଣେ ଲେଖାଏଁ ଡିଏସ୍‌ପି ନେତୃତ୍ବ ନେଇଥିଲାବେଳେ ମୋଟ ୧୨ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢଉରେ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ୬ କୋଟି ୭୩ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିଲା। ହିସାବ ହେବା ପରେ ଅଭିଯୁକ୍ତ ୬ କୋଟି ୪୩ ଲକ୍ଷ ୮୪୮୬୨ ଟଙ୍କାର ଅଧିକ ସମ୍ପତ୍ତି ରଖିଥିବା ଜଣାପଡ଼ିଥିଲା। ଏବେବି ତଦନ୍ତ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ମିଳିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର