ଗଞ୍ଜାମରେ ସୁରତ ଫେରନ୍ତାଙ୍କ କଙ୍କାଳ ଉଦ୍ଧାର

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଗୋବରା ପଞ୍ଚାୟତ ଡେଙ୍ଗାପଦର ହାଇସ୍କୁଲ୍‌ ଠାରୁ ୫୦୦ ମିଟର ଦୂର ସରନାଳ ଭିତରୁ ଆଜି ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଶବଟି କୁମୁଣ୍ଡି ଗ୍ରାମର ରମେଶ ରାଉତଙ୍କ ପୁଅ ନାରାୟଣ ରାଉତ ଓରଫ୍ ଚକାଙ୍କର ବୋଲି ଜଣାପଡ଼ିଛି। ଶବକୁ ମା’ ଝୁନୁ ଚିହ୍ନଟ କରିବା ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ଚକା ଗତମାସ ୨୩ ତାରିଖରେ ସୁରତରୁ ଫେରିବ‌ା ତାଙ୍କୁ ବେଣୀପଲ୍ଲୀ ହାଇସ୍କୁଲ୍ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଗତ ୨୬ ତାରିଖ ରାତି‌‌ରେ ସେ ପାଚେରି ଡେଇଁ ଫେରାର୍ ହୋଇଯାଇଥିଲେ। ଗତ ୨୭ ତାରିଖରେ ଏନେଇ ସରପଞ୍ଚ ଜାନକୀ ଦେଇ ଗାଙ୍ଗପୁର ଥାନାରେ ନିଖୋଜ ଏତଲା ଦେଇଥିଲେ। ଚକା ନିଖୋଜ ହୋଇଯାଇଥିବା ବିଷୟରେ ତାଙ୍କ ମା’ ତଥା କୁମୁଣ୍ଡିର ଆଶାଦିଦି ଝୁନୁ ରାଉତଙ୍କୁ ଖବର ଦିଆଯାଇଥିଲା। ଝୁନୁ ଚାରିଆଡ଼େ ଯାଇ ଚକାଙ୍କୁ ଖୋଜାଖୋଜି କରି ମଧ୍ୟ ଠାବ କରିପାରି ନଥିଲେ।

ଆଜି ସଂଧ୍ୟାରେ ଗୋବରା ପଞ୍ଚାୟତ ଡେଙ୍ଗାପଦର ହାଇସ୍କୁଲ୍ ଠାରୁ ୫୦୦ ମିଟର ପଛ ଦେଇ ଯାଇଥିବା ସରନାଳ ବୁଦାମୂଳରୁ ଏକ ହାଡ଼କଙ୍କାଳ ଖପୁରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଙ୍ଗପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଥିଲେ। ମା’ ଝୁନୁ ପହଞ୍ଚି କଙ୍କାଳ ନିକଟରେ ଚିରା ପ୍ୟାଣ୍ଟ୍‌ସାର୍ଟ ଓ ଚପଲ୍‌କୁ ଦେଖି ଏହା ତାଙ୍କ ପୁଅର ବୋଲି ଚିହ୍ନଟ କରିଥିଲେ। ଶବଟି ଏହା ବହୁ ଦିନ ଧରି ପଡ଼ିରହିଥିବା ଅନୁମାନ କରାଯାଉଛି। କିନ୍ତୁ କିଭଳି ପରିସ୍ଥିତିରେ ଚକାଙ୍କ ମୃତ୍ୟୁ ହେଲା ତାହା ଏଯାଏ ସ୍ପଷ୍ଟ ହୋଇପାରି ନଥିବା ଖପୁରି ଓ କଙ୍କାଳକୁ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଇଦିଆଯାଇଛି। କେସ୍ ନମ୍ବର ୧୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଚକାଙ୍କ ବାପା ବହୁ ବର୍ଷ ହେଲା ନିଖୋଜ ହୋଇଯାଇଛନ୍ତି। ଚକା ଘରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ୨ ବର୍ଷ ତଳେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର