କରୋନାରୁ ସୁସ୍ଥ ହେଲେ ୧୧ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: କରୋନା ଭାଇରସରେ ଆକ୍ରାନ୍ତ ୧୧ ଜଣ ଅଗ୍ନିଶମ କର୍ମଚାରୀ ସୁସ୍ଥ ହୋଇଛନ୍ତି। ଓଡ଼ିଶା ଅଗ୍ନିଶମ ବିଭାଗ ଡିଜି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ଟୁଇଟ ଜରିଆରେ କୁହାଯାଇଛି ଯେ, ବାତ୍ୟା ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇ ଏମାନେ କରୋନା ସଂକ୍ରମଣର ଶିକାର ହୋଇଥିଲେ।

 

ଏତଦ୍‌ ବ୍ୟତିତ ମହାମାରୀ କରୋନା ଭାଇରସ୍‌ରୁ ଆଜି ଓଡ଼ିଶାର ୧୩ଟି ଜିଲ୍ଲାରୁ ୯୭ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୧୬ ଜଣ, ଗଂଜାମ ଜିଲ୍ଲାରୁ ୧୬ ଜଣ, କନ୍ଧମାଳ ଜିଲ୍ଲାରୁ ୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୫ ଜଣ, ନୟାଗଡ଼ା ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ସୁସ୍ଥ ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ସଂଖ୍ୟା ୩୧୪୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୧୨ ହଜାର ୨୨୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୪୫୨୩ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୩ ହଜାର ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ କୋଭିଡ୍‌-୧୯ ହସ୍‌ପିଟାଲରେ ୧୩୪୩ ଜଣ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର