ବୁର୍ଲା ବଡ଼ ଡାକ୍ତରଖାନାରେ ସମ୍ଭାବ୍ୟ କରୋନା ମୁକାବିଲା : ଥଣ୍ଡା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କାଉଣ୍ଟର ଓ ଓପିଡି

ଜରୁରି ନହେଲେ ହେବନି ଅସ୍ତ୍ରୋପଚାର, ୩ ନୋଡାଲ ଅଧିକାରୀ ନିଯୁକ୍ତ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ କରୋନା ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ ଏବଂ ଓପିଡି ବ୍ୟବସ୍ଥା କରାଯାଇଛି। ଏଥିସହିତ ଆଇସୋଲେସନ ଆଇସିୟୁ ଦାୟିତ୍ବରେ ଥିବା ଯକ୍ଷ୍ମା ଏବଂ ଛାତି ରୋଗ ବିଭାଗ ସହକାରୀ ପ୍ରଫେସର ସୁଦର୍ଶନ ପୋଥାଲଙ୍କ ସହିତ ମେଡିସିନ ବିଭାଗ ପ୍ରମୁଖ ଡ.ପିକେ ମହାନ୍ତି ଏବଂ କମ୍ୟୁନିଟି ମେଡିସିନ ବିଭାଗର ଡ.ସୁବ୍ରତ ପ୍ରଧାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ ଦିଆଯାଇଛି। ବୁର୍ଲା ଡାକ୍ତରଖାନାରେ ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ବୁର୍ଲା ଡାକ୍ତରଖାନା ଅଧୀକ୍ଷିକା ପ୍ରଫେସର ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏଥିରେ ନିର୍ଦେଶକ ପ୍ରଫେସର ବର୍ଷା ଡୁଟୁ, ଶିଶୁ ରୋଗ ବିଭାଗ ବିଶେଷଜ୍ଞ ଡ.ପ୍ରକାଶ ପଣ୍ଡା, ଡ.ପ୍ରଭାତୀ ଦତ୍ତ, ପ୍ରଶାସନୀକ ଅଧିକାରୀ ସୁବ୍ରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ଜିଲ୍ଲାକୁ ଛୁଇଁନି କରୋନା। ଭୁବନେଶ୍ବରରେ ଜଣେ ରୋଗୀଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ପ୍ରତିଦିନ ଅନେକ ବ୍ୟକ୍ତିଙ୍କୁ କରୋନା ଆଶଙ୍କାରେ କ୍ବାରାଣ୍ଟିନ କରାଯାଉଛି। କୌଣସି ବ୍ୟକ୍ତି ଠାରେ କରୋନା ଲକ୍ଷଣ ଥିଲେ କିମ୍ବା କାଶ, ଛିଙ୍କ ଜ୍ବର ହେଉଥିଲେ ସିଧାସଳଖ ଡାକ୍ତରଖାନାର କେନ୍ଦ୍ରୀୟ ପଞ୍ଜୀକରଣ କେନ୍ଦ୍ରକୁ ଆସିପାରିବେ। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତି ଏବଂ ଯକ୍ଷ୍ମା ରୋଗ ବିଭାଗ, ମେଡିସିନ ଏବଂ ଶିଶୁ ରୋଗ ବିଭାଗର ୩ ଜଣ ଡାକ୍ତର ରହି ସେମାନଙ୍କୁ ଦେଖିବେ। ଆବଶ୍ୟକସ୍ଥଳେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କିମ୍ବା କ୍ବାରାଣ୍ଟିନକୁ ପଠାଯିବ। ଅଯଥା ଭିଡ଼କୁ ରୋକିବା ପାଇଁ ପୂର୍ବରୁ କରାଯାଉଥିବା କେନ୍ଦ୍ରୀୟ ପଞ୍ଜୀକରଣକୁ ସ୍ଥଗିତ କରାଯାଇଛି। ଆବଶ୍ୟକସ୍ଥଳରେ ରୋଗୀ ସିଧାସଳଖ ବିଭାଗକୁ ଯିବା ପାଇଁ ନିର୍ଦେଶ ହୋଇଛି। ଏଥିସହିତ ଅସ୍ତ୍ରୋପଚାର ଅତି ଆବଶ୍ୟକ ନଥିଲେ, ଏହାକୁ ବନ୍ଦ କରିବା ପାଇଁ କୁହାଯାଇଛି। ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଡାକ୍ତରଖାନାରେ ନରହିବା ପାଇଁ କୁହାଯାଇଛି। ସାମୟିକ ସମୟ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକ୍ତରଖାନା ପରିସର ଆସିବା ପାଇଁ ମନା କରାଯାଇଛି। ଏହା ବଦଳରେ ପ୍ରତିଦିନ ଡାକ୍ତରଖାନା ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନୂଆ ସୂଚନା ଦିଆଯିବ। ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ଡାକ୍ତରୀ ଛାତ୍ର, ପାରାମେଡିକାଲ କର୍ମଚାରୀଙ୍କୁ ସଚେତନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର