କରୋନା ସମୟରେ ‘ବସୁଧୈବ କୁଟୁମ୍ବକମ୍’

ବସନ୍ତରାଜ ସାହୁ

ନୋଭେଲ କରୋନା ଭୂତାଣୁର ସଂକ୍ରମଣ ଚୀନରୁ ଆରମ୍ଭ ହୋଇ ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ଦେଶକୁ ବ୍ୟାପି ଏକ ଆତଙ୍କଜନକ ସ୍ଥିତି ସୃଷ୍ଟି କରିଛି। ଆମ ଦେଶ ଭାରତରେ ଏହି ମହାମାରୀ ଦ୍ବିତୀୟ ପର୍ଯ୍ୟାୟ ଛୁଇଁ ସାରିଛି ବୋଲି ବିଶେଷଜ୍ଞମାନଙ୍କର ମତ। ଏହା ଯେମିତି ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ନ ଛୁଏଁ, ସେଥିପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଯାଇଛି। ଏପରି ସଂକ୍ରମଣର ଭୟାବହତା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଥାଏ। ତେଣୁ ଆଉ କେତେ କାଳ ପର୍ଯ୍ୟନ୍ତ ଏହି ସଂକ୍ରମଣର କଳା ବାଦଲ ପୃଥିବୀକୁ ଘୋଟି ରହିବ, ସେ ନେଇ ନିଶ୍ଚିତ ଭାବେ କହିହେବ ନାହିଁ।

ଏହା ଯେ ପର୍ଯ୍ୟନ୍ତ ଚୀନର ସରହଦ ଅତିକ୍ରମ କରି ନ ଥିଲା, ସେ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦେଶରେ କରୋନାକୁ ଥଟ୍ଟା କରି କାର୍ଟୁନ ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ‘ମିମ୍‍’ ପର୍ଯ୍ୟନ୍ତ ପ୍ରସାରିତ ହୋଇ ଚାଲିଥିଲା। ଏବେ ବାସ୍ତବତାର ବିଭୀଷିକାମୟ ଦୃଶ୍ୟପଟ ଉନ୍ମୋଚିତ ହେବା ପରେ ପରିହାସର ସ୍ଥାନ ନେଲାଣି ଗାମ୍ଭୀର୍ଯ୍ୟ ଓ ବିବେଚନାବୋଧ।

ବିଗତ କିଛି ବର୍ଷଗୁଡ଼ିକରେ ବିଶ୍ବ ରାଜନୀତିରେ ଦେଖିବାକୁ ମିଳିଛି ଜାତୀୟତାବାଦର ଅଭ୍ୟୁଦୟ। ଭାରତରେ ନରେନ୍ଦ୍ର ମୋଦୀଙ୍କ ସମେତ ରୁଷିଆରେ ଭ୍ଲାଡିମିର ପୁଟିନ୍, ଯୁକ୍ତରାଷ୍ଟ୍ର ଆମେରିକାରେ ଡୋନାଲ୍‌ଡ ଟ୍ରମ୍ପ୍, ଇଂଲଣ୍ଡରେ ବୋରିସ ଜନସନ, ତୁର୍କୀରେ ଏର୍ଡୋଗାନ୍‌ ଇତ୍ୟାଦି ଏଭଳି ଜାତୀୟତାବାଦ ରାଜନୀତିର ଜଣେ ଜଣେ ପ୍ରବକ୍ତା ରୂପେ ବିଦ୍ୟମାନ। ସବୁଠାରୁ ବଡ଼ କଥା ହେଲା ଏମାନେ ସମସ୍ତେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିଣି ବହୁ ମତ ପାଇ କ୍ଷମତାକୁ ଆସିଛନ୍ତି। ସୁତରାଂ, ଜାତୀୟତାବାଦର ଉନ୍ମେଷର ଆଧାରରେ ପୁଟିନ୍ ଗତ ବର୍ଷ ଜି-୨୦ ଶିଖର ବୈଠକରେ କହି ପକାଇଥିଲେ ଯେ ଉଦାରବାଦ ଏବେ ବିଲୁପ୍ତପ୍ରାୟ ହେବାକୁ ଯାଉଛି। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରିୟ ସ୍ଲୋଗାନ୍‌ ଭାବେ ଶୁଣିବାକୁ ମିଳିଛି ‘ଆମେରିକା ଫାଷ୍ଟ୍‌’ ବା ‘ପ୍ରଥମେ ଆମେରିକା’। ଆମେରିକା ଓ ମେକ୍‌ସିକୋ ସୀମାରେ ଏକ ସୁଉଚ୍ଚ ପ୍ରାଚୀର ନିର୍ମାଣ କରି ସେ ନିଜ ରାଷ୍ଟ୍ରକୁ ମେକ୍‌ସିକୋ ଠାରୁ ନିବୁଜ କରି ରଖିବାକୁ ଚାହିଛନ୍ତି। ସେହିଭଳି ବ୍ରିଟେନ୍‍ର ଐତିହାସିକ ‘ବ୍ରେକ୍‍ଜିଟ୍’ ନିଷ୍ପତ୍ତି ସେହି ରାଷ୍ଟ୍ରକୁ ୟୁରୋପୀୟ ସଂଘରୁ ଅଲଗା କରିଦେଇଛି। ତେଣୁ, ସ୍ବାଭାବିକ ଭାବେ ଏକ ସନ୍ଦେହ ସୃଷ୍ଟି ହୋଇଛି ଯେ ସୂଚନା ପ୍ରଯୁକ୍ତିର ବିକାଶ ଫଳରେ ସାରା ପୃଥିବୀ ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଉଥିବା ନେଇ ଯେଉଁ ଆଶା ସଂଚାର ହୋଇଥିଲା, ତାହା ଏଭଳି ଜାତୀୟତାବାଦୀ ରାଜନୀତି ଓ ‘ସେଲ୍‌ଫ ପ୍ରୋଟେକ୍‌ସନିଜମ୍’ ବା ନିଜ ସ୍ବାର୍ଥ ରକ୍ଷାକୁ ଅଗ୍ରାଧିକାର ଦେବାର ମନୋଭାବ ଭିତରେ ହଜି ଯାଉଛି କି? କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଏହାର ଉତ୍ତର ଏବେ ମିଳିଯାଇଛି କରୋନା ଭଳି ଏକ ସ୍ବାସ୍ଥ୍ୟଗତ ମହାବିପର୍ଯ୍ୟୟ କାଳରେ।

ହଲିଉଡ୍‍ ସିନେମାର ଏକ ଲୋକପ୍ରିୟ ବିଷୟବସ୍ତୁ ହେଉଛି ପୃଥିବୀ ଉପରେ ‘ଏଲିଏନ୍‌’ ବା ବହିର୍ଜଗତ୍‌ର ଶକ୍ତି (ଅପ)ଙ୍କ ଆକ୍ରମଣକୁ ପ୍ରତିହତ କରି ତାକୁ ରକ୍ଷା କରିବା। ଏଭଳି ବିଷୟବସ୍ତୁର ଏକ ସାଦୃଶ୍ୟ ପୃଥିବୀ ଉପରେ ଅଦୃଶ୍ୟ ‘କୋଭିଡ୍‌-୧୯’ ଭୂତାଣୁର ଆକ୍ରମଣରେ ଦେଖିବାକୁ ମିଳିଥାଏ। ଏବଂ ଯେଉଁ କଥାଟି ଚଳଚ୍ଚିତ୍ର ଦୁନିଆକୁ ଅତିକ୍ରମ କରି ବାସ୍ତବ ଦୁନିଆରେ ଆଜି ଦେଖିବାକୁ ମିଳୁଛି ତାହା ହେଲା ବିପର୍ଯ୍ୟୟ ଜର୍ଜରିତ ବିଶ୍ବର ମାନବ ସମାଜ ଏହାର ମୁକାବିଲା କରିବା ବେଳେ ସମଭାବାପନ୍ନ ହୋଇଛନ୍ତି। ‘‌କୋଭିଡ୍‌-୧୯’ ଭୂତାଣୁ ସେହି ବିରଳ ଚୈତନ୍ୟଟି ଉଦୟ କରିଦେଇଛି ଯେ ଆମେ ସମସ୍ତେ ଯାବତୀୟ ମିତ୍ରତା ବା ଶତ୍ରୁତା ନିର୍ବି‌େଶଷରେ ଗୋଟିଏ ନାଆର ଯାତ୍ରୀ। ତେଣୁ ସମସ୍ତେ ମିଳିମିଶି ଏହାର ମୁକାବିଲା କରିବାକୁ ହେବ।

ଏତିକି ବେଳେ ମନେ ପଡ଼େ ଭାରତ ଭୂମିରୁ ନିସୃତ ହୋଇଥିବା ସେହି ପ୍ରାଚୀନ ବାଣୀ ‘ବସୁଧୈବ କୁଟୁମ୍ବକମ୍’ ବା ସାରା ବିଶ୍ବ ମୋ ପରିବାର। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସାର୍କ’ ଦେଶମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ କରୋନା ସଙ୍କଟର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜରୁରି। ଯଦିଓ ଏବେ କରୋନା ସଂକ୍ରମଣ ଭୟରେ ଅଧିକାଂଶ ଦେଶ ଅନ୍ୟ ଦେଶରୁ ବିମାନ ଯୋଗାଯୋଗକୁ ବନ୍ଦ କରି ଦେଇଛନ୍ତି, ତଥାପି ଇଣ୍ଟରନେଟ୍‌ର ଅଦୃଶ୍ୟ ଜାଲ ଏ ପୃଥିବୀକୁ ବାନ୍ଧି ରଖିଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ କରୋନା ସଂକଟ ମୁକାବିଲାରେ ନେତୃତ୍ବ ନେଉଛି ଏବଂ ତାର ପରାମର୍ଶ ଆଜି କ୍ଷଣିକ ଭିତରେ ବିଶ୍ବର କୋଣ ଅନୁକୋଣରେ ଉପଲବ୍‌ଧ ହେଉଛି। ଉନ୍ନତ ଦେଶଗୁଡ଼ିକ କରୋନା ଭ୍ୟାକ୍‌ସିନ ଉଦ୍ଭାବନରେ ବିନିଦ୍ର ରଜନୀ କାଟୁଛନ୍ତି, ଯାହାର ଲାଭ ସାରା ବିଶ୍ବ ଲାଭ କରିବ। ସୂଚନା ପ୍ରଯୁକ୍ତି ଦ୍ବାରା ଯୋଡ଼ି ହୋଇଥିବା ଏ ବିଶ୍ବରେ ଯେଉଁଠାରେ ବି ଭ୍ୟାକ୍‍ସିନ ଉଦ୍ଭାବିତ ହେଉ, ଏହାର ଫର୍ମୁଲା ସର୍ବତ୍ର ପ୍ରାପ୍ତ ହେବ ଏବଂ ରାଷ୍ଟ୍ରଗୁଡ଼ିକ ନିଜ ନିଜ ସାଧ୍ୟମତେ ତାର ବିକାଶ କରିବେ। ଏବେ ଲାଗୁଛି ବିଶ୍ବ ଯେମିତି ଏକତ୍ର ହୋଇ କରୋନାର ମୁକା‌ବିଲା କରୁଛି ଏବଂ ବିଶ୍ବ ଏକ ପରିବାରରେ ପରିଣତ ହୋଇଛି। ଏହି ସଂଦର୍ଭରେ ମହାନ ବୈଜ୍ଞାନିକ କାର୍ଲ ସାଗାନ୍ ତାଙ୍କର ପୁସ୍ତକ ‘କସ୍‍ମସ୍’ରେ ଠାଏ କହିଥିବା କଥା ମନେ ପଡ଼େ, ଯାହା ହେଲା: ‘ଯଦି ମାନବ ଜାତିକୁ ବଞ୍ଚିବାର ଅଛି, ତେବେ ପାରସ୍ପରିକ ବିଶ୍ବାସକୁ ଏହି ଗ୍ରହର ସମସ୍ତ ମାନବ ସମାଜ ଯାଏଁ ପ୍ରସାରିତ କରିବାକୁ ପଡ଼ିବ।’ ଏହା ହିଁ ବାସ୍ତବ।

ମୋ: ୮୩୩୮୯୪୯୪୪୧

ସମ୍ବନ୍ଧିତ ଖବର