ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦବାଲି : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନ ଧାମରା କଲାମ ଦ୍ବୀପରୁ ଆଜି ସୁପରସୋନିକ କ୍ଷେପଣାସ୍ତ୍ର ‘ସ୍ମାର୍ଟ’ର ସଫଳ ପରୀକ୍ଷଣ ହୋଇଛି। ସୋମବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଏହାର ପରୀକ୍ଷଣ କରାଯାଇଥିଲା। ସମୁଦ୍ରକୂଳରେ ଥିବା ଟ୍ରାକିଂ ଷ୍ଟେସନ୍ (ଇଲେକ୍ଟ୍ରୋ ଅପ୍ଟିକାଲ୍ ସିଷ୍ଟମ୍ ରାଡାର) ଓ ଟେଲିମେଟ୍ରି ଷ୍ଟେସନ୍‌ରୁ କ୍ଷେପଣାସ୍ତ୍ରର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓର ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ମାର୍ଟ କ୍ଷେପଣାସ୍ତ୍ରର ଲମ୍ବ ୫.୧ ମିଟର, ଓଜନ ୬୬୦ କେଜି। ଏହା ଏକ ଆଣ୍ଟି ସବ୍‌ମେରାଇନ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର। ପାଣି ଭିତରେ ଏହା ବୁଡ଼ାଜାହାଜର ସ୍ଥିତିକୁ ଠାବ କରି ଧ୍ବଂସ କରିବା ସହ ଯୁଦ୍ଧପୋତ ଓ ଯୁଦ୍ଧ ବିମାନକୁ ମଧ୍ୟ ଟାର୍ଗେଟ୍‌ କରିପାରିବ। ଡିଆରଡିଓର ଅନ୍ୟତମ ୟୁନିଟ୍‌ ହାଇଦ୍ରାବାଦସ୍ଥିତ ଡିଆର୍‌ଡିଲ, ଆର୍‌ସିଆଇ, ଆଗ୍ରାସ୍ଥିତ ଏଡିଆର୍‌ଡିଇ, ବିଶାଖାପାଟଣାସ୍ଥିତ ଏନ୍‌ଏସ୍‌ଟିଏଲ ଲାବ୍‌ରେ ସ୍ମାର୍ଟ କ୍ଷେପଣାସ୍ତ୍ରର ଜ୍ଞାନକୌଶଳ ବିକଶିତ କରାଯାଇଛି। ଡିଆର୍‌ଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡି ଆଣ୍ଟି-ସବମେରାଇନ୍ ଯୁଦ୍ଧରେ ‘ସ୍ମାର୍ଟ’ କ୍ଷେପଣାସ୍ତ୍ର ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର