ସୁକତେଲ ସେତୁ ଭଙ୍ଗା ଘଟଣା : ଖସିଯିବେ କି ଅନ୍ୟ ଅଭିଯୁକ୍ତ?

ବଲାଙ୍ଗୀର : ପାଟଣାଗଡ଼ ତମିଆଁ- ମୁଦଲସର ସୁକତେଲ ସେତୁ ଭୁଶୁଡ଼ିବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କୁ ନିଲମ୍ବନ କରାଯାଇ ତାଙ୍କ ସ୍ଥାନରେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାପରେ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଠିକାଦାର ଫେରାର ଥିବା ବେଳେ ନିର୍ମାଣ ସମୟରେ ସେତୁ କାମ ତଦାରଖ ଦାୟିତ୍ୱରେ ଥିବା ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ, ଏସ୍‌ଡିଓ, ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ତମିଆ- ମୁଦଲସର ପୋଲ କାମ ନିମ୍ନମାନର ହୋଇଥିବା ନେଇ ‘ସମ୍ବାଦ’ରେ ପ୍ରଥମ କରି ଖବର ପ୍ରକାଶିତ ହୋଇଥିଲା। ପୋଲର ପିଲର ଦବିଯାଇଥିବା ବେଳେ ପ୍ଲାଷ୍ଟର ଛାଡ଼ି ଲୁହାଛଡ଼ ଦେଖାଯାଉଥିଲା। ହେଲେ ଘଟଣାକୁ ହାଲୁକା ଭାବରେ ନେଇଥିଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ। ମଧ୍ୟପ୍ରଦେଶରୁ ଶ୍ରମିକ ଡକାଯାଇ ପୋଲ ମରାମତି କରିବାକୁ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ ବର୍ତ୍ତମାନର ନିର୍ବାହୀ ଯନ୍ତ୍ରୀ। ଆଉ ଶେଷରେ ମରାମତି ସମୟରେ ଗତ ଏପ୍ରିଲ ୨୯ ତାରିଖ ପୋଲ ଭୁଶୁଡ଼ି ପଡ଼ିଥିଲା। ପୋଲ ଭୁଶୁଡ଼ିବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ଆଉ ତଦନ୍ତ ପରେ ଏବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ପ୍ରଥମ କରି ନିଲମ୍ବିତ ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ଶ୍ରୀ କିଶାନ। ଗତ ସାତ ଆଠ ମାସ ପୂର୍ବରୁ ପାଟଣାଗଡ଼ରେ ନିର୍ବାହୀ ଯନ୍ତ୍ରୀ ଭାବରେ ଯୋଗଦେଇଥିବା ଶ୍ରୀ କିଶାନଙ୍କ ନିଲମ୍ବନ ଆଦେଶରେ କାରଣ ନେଇ ସ୍ପଷ୍ଟ କିଛି ଉଲ୍ଲେଖ କରାଯାଇ ନାହିଁ। ପୋଲ କାମ ହେବା ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ କିଶାନ ନ ଥିଲେ। ପୋଲର ଗୋଟିଏ ସ୍ପାନ୍‌ ଭାଙ୍ଗିବାକୁ ନେଇ ସେ ଦେଇଥିବା ନିର୍ଦେଶ ଯୋଗୁଁ ତାଙ୍କୁ ପ୍ରଥମ କରି ନିଲମ୍ବନ କରାଯାଇଥିବା ଚର୍ଚ୍ଚା ହେଉଛି। ପ୍ରକୃତରେ ପୋଲ କାମ ୨୦୧୪ ମସିହାରେ ଆରମ୍ଭ ହୋଇ ୨୦୧୫ ମସିହାରେ ଶେଷ ହୋଇଥିଲା। ସେହି ସମୟରେ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ଏସ୍‌ଡିଓ ତପନ ବେହେରା, କନିଷ୍ଠ ଯନ୍ତ୍ରୀ ରଂଜିତ ବାଗଙ୍କ ତତ୍ତ୍ୱାବଧାନରେ ପୋଲର କାମ ହୋଇଥିଲା। ମାତ୍ର ଏକ ବର୍ଷ ଚାରି ମାସ ଭିତରେ ପୋଲର କାମ ଶେଷ ହୋଇଥିବାରୁ ଦାୟିତ୍ୱରେ ଥିବା ତିନିଜଣ ଯନ୍ତ୍ରୀଙ୍କ ରିପୋର୍ଟ ତଥା ସୁପାରିସରେ ଠିକା ସଂସ୍ଥା ପୁରସ୍କାର ପାଇଥିଲା। କିନ୍ତୁ ବର୍ତ୍ତମାନ ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗିଥିବା ବେଳେ ଦାୟିତ୍ୱରେ ଥିବା ଯନ୍ତ୍ରୀଗଣ ଆରାମରେ ରହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନର ନିର୍ବାହୀ ଯନ୍ତ୍ରୀ ଶ୍ରୀ କିଶାନ ଅଡୁଆରେ ପଡ଼ିବା ସହ ନିଲମ୍ବିତ ହୋଇଛନ୍ତି। ଏଣୁ ପୋଲ କାମ ନିର୍ମାଣ ସମୟରେ ପ୍ରତ୍ୟକ୍ଷ ଭାବରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଧିକାରୀଙ୍କ ଉପରେ ସ୍ଥାନୀୟ ବାସିନ୍ଦା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ସୁକତେଲ ସେତୁ ଭୁଶୁଡ଼ିବା ପରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା ବିରୋଧରେ ପୁଲିସ ମାମଲା ରୁଜୁ କରି ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ କୋର୍ଟଚାଲାଣ କରିଥିଲା। ଏବେ ଠିକା ସଂସ୍ଥାର ମୁଖ୍ୟ ସଂଜୟ ଅଗ୍ରୱାଲଙ୍କୁ ପୁଲିସ ଖୋଜୁଛି। କିନ୍ତୁ ଦୁର୍ଘଟଣା ସମୟରେ କାମର ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସଡିଓ, କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନାହିଁ। ଏପରିକି ସେମାନଙ୍କୁ ପୁଲିସ ଡାକି ପଚରାଉଚୁରା ବି କରୁ ନାହିଁ। ଏ ପ୍ରସଙ୍ଗରେ ଅଧୀକ୍ଷଣ ଯନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ ବଲାଙ୍ଗୀର ଏସ୍‌ପି ମଧ୍ୟ କୌଣସି ପ୍ରତିକ୍ରିୟା ରଖୁ ନାହାନ୍ତି। ମୋଟାମୋଟି ଦେଖିବାକୁ ଗଲେ ସମଗ୍ର ଘଟଣାରେ ପ୍ରକୃତ ଦୋଷୀଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନି। ଭୁଲ୍‌ କିଏ କଲା ଓ ଦଣ୍ଡ କିଏ ପାଉଛି? ଏଣୁ ମାର୍ ମାର ଭଣ୍ଡାରିଆକୁ ମାର ନୀତିରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉଥିବା ଏବେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର