ରାଷ୍ଟପ୍ରତି ଭବନରେ ସୁସ୍ମିତା ପ୍ରସଙ୍ଗ: କେନ୍ଦ୍ର ଗୃହ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ସଚିବାଳୟ

ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆସାମ ସାଂସଦ

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠିପାରିନି। ଗୋଟିଏ ପଟେ ଜଣକ ପରେ ଜଣଙ୍କୁ ଜେରା କରାଯାଉଛି, ଅପରପଟରେ କିନ୍ତୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ପ୍ରସଙ୍ଗ ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚିଛି। ଏହି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆସାମ କୋକ୍ରାଝର ଲୋକସଭା ସାଂସଦ ନବ କୁମାର ସାରନିଆ ରାଷ୍ଟ୍ରପତିଙ୍କୁ ଇ-ମେଲ୍‌ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଜବାବ ରଖିଛନ୍ତି ରାଷ୍ଟ୍ରପତି ସଚିବାଳୟ। ଏନେଇ ଭାରତ ସରକାରଙ୍କ ଗୃହ ବିଭାଗ ସଚିବଙ୍କୁ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଦରଖାସ୍ତକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ହୋଇଛି।
ସୁସ୍ମିତା ପ୍ରସଙ୍ଗ ରାଷ୍ଟ୍ରପତି ଭବନରେ ପହଞ୍ଚିବାପରେ ପୁନର୍ବାର ନ୍ୟାୟ ମିଳିବା ଆଶା ସଞ୍ଚାର ହେଲାଣି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ ପରିବାରବର୍ଗ ଲିଖିତ ଅଭିଯୋଗ କଲା ସତ୍ତ୍ବେ ପୁଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିନଥିଲା। ଏଣୁ ଏକ ପ୍ରକାର ନ୍ୟାୟ ପାଇବା ଆଶା ଛାଡ଼ି ଦେଇଥିଲେ ପରିବାର ସଦସ୍ୟ। ଅପରପକ୍ଷରେ ଆଜି ଆସାମ ସାଂସଦ ଶ୍ରୀ ସାରନିଆ  ମୃତ ଏଏସ୍‌ଆଇ ଏଳିଶ୍‌ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁସ୍ମିତା ଘରକୁ ନଯାଇ ସ୍ଥାନୀୟ ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ତେବେ ଏନେଇ ଅଜ୍ଞ ପରିବାର ସଦସ୍ୟ ନିଖୋଜ ଥିବା ନେଇ ସେପ୍ଟେମ୍ବର ୧୭ ତାରିଖରେ ଉଦିତନଗର ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଉଦିତନଗର ଥାନା  ପୁଲିସ ଛାନଭିନ୍‌ ଜାରି ରଖି ୧୮ ତାରିଖରେ ସୁସ୍ମିତା ରହୁଥିବା ହୋଟେଲରେ ପହଞ୍ଚିଥିଲା। ଉକ୍ତଦିନ ଉଦିତନଗର ପୁଲିସ ଥାନାର ଏଏସ୍‌ଆଇ ଏଳିଶ୍‌ ଓ ଆଉ ଜଣେ ପୁଲିସ କର୍ମଚାରୀଙ୍କ ସହ ହୋଟେଲକୁ ଯାଇ ସୁସ୍ମିତାଙ୍କ ରେକର୍ଡ ବୟାନ କରିଥିଲେ। ଏହାର କିଛି ଦିନପରେ ଦୁଇ ଗୋଷ୍ଠି ମଧ୍ୟରେ ଲାଗିଥିବା ଝଗଡ଼ା ଶାନ୍ତ କରିବାକୁ ଯାଇଥିବାବେଳେ ଏଳିଶ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
ଏହି ଘଟଣାର ମଧ୍ୟ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସାଂସଦ ଶ୍ରୀ ସାରନିଆ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ସାରନିଆ ଗତ ୧ ତାରିଖରେ ଏକ ଭିଡିଓ ଜାରି କରି ସୁସ୍ମିତାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏହାସହ ପୁଲିସ ଏତଲା ରଖିନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସୁସ୍ମିତାଙ୍କୁ କୌଣସି ଜିନିଷ ପାଇଁ ଜବରଦସ୍ତି କରାଯାଇଛି ଓ ସେ ରାଜି ନ ହେବାରୁ ଯୋଜନବଦ୍ଧ ଭାବେ ହତ୍ୟା କରାଯାଇଥିବା ସିଧାସଳଖ ଅଭିଯୋଗ କରିଥିଲେ।
ସମ୍ବନ୍ଧିତ ଖବର