କରୋନା ସନ୍ଦେହ : ସମ୍ବଲପୁର ରେଳ ଷ୍ଟେସନ୍‌ରେ ଅସୁସ୍ଥ ବୃଦ୍ଧଙ୍କୁ ଟ୍ରେନ୍‌‌ରୁ ଓହ୍ଲାଇଦେଲେ

ସମ୍ବଲପୁର : କରୋନା ଆତଙ୍କ ଆଜି ହାଵଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ(୧୮୦୦୬)କୁ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଅଧଘଣ୍ଟା ପାଇଁ ଅଟକାଇ ଦେଇଥିଲା। ଟ୍ରେନ୍‌ର ଜେନେରାଲ ବଗିରେ ଜଣେ ବୃଦ୍ଧ ବ୍ୟକ୍ତି କାଶିବାରୁ ତାଙ୍କ ପାଟିରୁ ନାଳ ପଡ଼ିଥିଲା। ଏହାପରେ ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ତାଙ୍କୁ କରୋନା ସନ୍ଦିଗ୍ଧ ଭାବି ଆତଙ୍କିତ ହୋଇ ପଡ଼ିଥିଲେ। ସକାଳ ୮.୫୦ ସମୟରେ ସମଲେଶ୍ବରୀ ଏକ୍ସପ୍ରେସ ସମ୍ବଲପୁର ପହଞ୍ଚିବା ପରେ ବଗିରୁ ବୃଦ୍ଧବ୍ୟକ୍ତିଙ୍କୁ ବାହାର କରିବା ପାଇଁ ହୋ ହଲ୍ଲା ହୋଇଥିଲା। ଖବର ପାଇ ଆରପିଏଫ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ପରେ ବୃଦ୍ଧ ବ୍ୟକ୍ତିଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲା। ଅସୁସ୍ଥ ଥିବାରୁ ବୃଦ୍ଧ ଜଣଙ୍କର ଚେତା ଚାଲିଯାଇଥିଲା। ଟ୍ରେନ୍‌ଟି ପାଖାପାଖି ଅଧ ଘଣ୍ଟା କାଳ ଅଟକି ରହିଥିବା ବେଳେ ୯.୩୦ରେ ବୃଦ୍ଧ ଜଣଙ୍କୁ ଟ୍ରେନ୍‌ରୁ ବାହାର କରାଯିବା ପରେ ଟ୍ରେନ୍‌ଟି ଛାଡ଼ିଥିଲା। ତେବେ ରେଳ ବିଭାଗର ଆମ୍ବୁଲାନ୍ସ ଅନ୍ୟ ଜଣେ ରୋଗୀକୁ ବୁର୍ଲା ନେଇ ଯାଇଥିବା କାରଣରୁ ଷ୍ଟେସନ ମାଷ୍ଟର ବାଧ୍ୟହୋଇ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ଘଣ୍ଟାଏ ବିଳମ୍ବ ହୋଇଥିଲା ଏବଂ ସେତେବେଳ ଯାଏ ବୃଦ୍ଧ ଜଣକୁ ଷ୍ଟେସନ୍ ଚଟାଣରେ ଶୁଆଇ ଦିଆଯାଇଥିଲା। ଦିନ ପ୍ରାୟ ୧୦.୪୦ ରେ ରେଳ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୃଦ୍ଧ ଜଣଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ବୃଦ୍ଧଙ୍କ ଚେତା ନଥିବା ବେଳେ ତାଙ୍କ ପାଖରୁ ମୋବାଇଲ୍ କିମ୍ବା କୌଣସି କାଗଜପତ୍ର ମିଳି ନଥିବାରୁ ଖବର ଲେଖାଯିବା ବେଳକୁ ତାଙ୍କର ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର