ଦାର୍ଜିଲିଂରେ ଦୁର୍ଘଟଣା: ଗୋଟିଏ ପରିବାରର ୫ ସମେତ ୬ ମୃତ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗାଁର ଗୋଟିଏ ପରିବାରର ୫ଜଣଙ୍କ ସମେତ ୬ ଜଣ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

ସୂଚନା ମୁତାବକ, ନିଶ୍ଚିନ୍ତକୋଲି ବ୍ଲକ୍‌ ବରାଦ ପଞ୍ଚାୟତ ପାଟପୁର ଗ୍ରାମର ପ୍ରଫେସର ରତିକାନ୍ତ ନନ୍ଦ (୬୬), ତାଙ୍କ ପତ୍ନୀ ସବିତା ନନ୍ଦ (୬୧), ଭଉଣୀ ଅସୁରେଶ୍ବର କୋଇଲି ଗ୍ରାମର ଶକୁନ୍ତଳା ରଥ (୫୮) ଓ ସରପଡ଼ାର ସୁଲୋଚନା ପଣ୍ଡା (୬୨), ଝିଅ ଶ୍ବେତପଦ୍ମା ନନ୍ଦ (୩୫), ଜ୍ବାଇଁ ଅଭିଜିତ୍ ରଥ (୩୮), ନାତୁଣୀ ସାଇସ୍ନେହା ରଥ (୮) ଏବଂ ସହାୟିକା ଡଲି ଦାସ (୫୨) କିଛିଦିନ ତଳେ ଦାର୍ଜିଲିଂ ବୁଲିବାକୁ ଯାଇଥିଲେ। ଗତକାଲି ଅପରାହ୍ନରେ ସେମାନେ ଏକ ବୋଲେରୋରେ ଦାର୍ଜିଲିଂ ରାସ୍ତାରେ ଯାଉଥିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ୧୦୦ଫୁଟ୍‌ ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ପ୍ରଫେସର ରତିକାନ୍ତ, ପତ୍ନୀ ସବିତା, ଭଉଣୀ ଶକୁନ୍ତଳା ଓ ସୁଲୋଚନା, ଜ୍ବାଇଁ ଅଭିଜିତ୍‌ ଏବଂ ସହାୟିକା ଡଲିଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତାଙ୍କର ପାଟପୁରସ୍ଥିତ ଘର ବନ୍ଦ ଥିବାରୁ ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ମରଶରୀର ଗ୍ରାମକୁ ଆସି ନ ଥିବା ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ଅସୁରେଶ୍ବର କୋଇଲ ଗ୍ରାମରେ ବିବାହ କରିଥିବା ଶକୁନ୍ତଳା ରଥଙ୍କ ସ୍ବାମୀ ମଧ୍ୟ କିଛିବର୍ଷ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲା।

ସମ୍ବନ୍ଧିତ ଖବର