ନାବାଳିକାର ଗଳା କାଟିଦେଲେ : କଟକ ସ୍ଥାନାନ୍ତର, ଦୁଷ୍କର୍ମ ଅଭିଯୋଗ, ୨ ସନ୍ଦିଗ୍ଧଙ୍କୁ କାବୁ କରି ଛେଚିଲେ ଗ୍ରାମବାସୀ

ଗୋଳନ୍ଥରା/ଚିକିଟି : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ୍ ସୋରଳ ଗ୍ରାମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଛନ୍ତି। ଗୁରୁତର ଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପ‌ରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

ଗୁରୁବାର ସକାଳ ୯ଟାରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ବଡ଼ମା’ଙ୍କ ଘରେ ଛାଡ଼ି ଦେଇ ବାପାମାଆ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଛାତ୍ରୀଜଣକ ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସାହିର ଶେଷମୁଣ୍ଡରେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୁହଁ ଓ ପାଟିରୁ ପ୍ରବଳ ରକ୍ତ ବୋହୁଥିବାବେଳେ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବାରୁ ସେ ଛଟପଟ ହେଉଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହାକୁ ଦୁଷ୍କର୍ମ ବୋଲି ଗ୍ରାମବାସୀ ଅନୁମାନ କରିଥିଲେ।

ଏହି ସମୟରେ ଗ୍ରାମର ଦୁଇ ଯୁବକ ଋତୁ ବେହେରା ଓ ହେମନ୍ତ ବେ‌ହେରା ପ୍ରଚୁର ମଦ ପିଇ ବଡ଼ ସାହିରେ ଏକ ଘରେ ଥିଲେ। ଲୋକେ ଉଭୟଙ୍କୁ କାବୁ କରିବା ବେଳେ ସେଠା‌ରେ ରକ୍ତ ପଡ଼ିଥିଲା। ଏହି ନାରକୀୟ କାଣ୍ଡ ଘଟାଇଥିବା ସନ୍ଦେହ କରି ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ଗୋଳନ୍ଥରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଏହାସହ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ତେବେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଦିଆଯାଇଛି। ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ତାଙ୍କ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍‌.ପି.ପିନାକ ମିଶ୍ର ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏସ୍‌.ପି.କହିଛନ୍ତି, ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଛି। ଗୁରୁତର ଛାତ୍ରୀ ସୁସ୍ଥ କିଭଳି ସୁସ୍ଥ ହେବ ଏହାକୁ ପ୍ରାଥମିକତା ଦିଆଯିବା ସହ ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ସମସ୍ତ ତଥ୍ୟ ଉନ୍ମୋଚନ ହେବ। ବର୍ତ୍ତମାନ ଦୁଇ ଯୁବକଙ୍କୁ ଅଟକ ରଖି ଜେରା କରାଯାଉଛି। ତେବେ ଥାନାରେ ଏଯାଏ ମାମଲା ରୁଜୁ ହୋଇନି।

ସମ୍ବନ୍ଧିତ ଖବର