ଖୁବ୍‌ଶୀଘ୍ର ସରିବ ତାଳଚେର-ବିମଳାଗଡ଼ ରେଳ ଲାଇନ୍‌: ଧର୍ମେନ୍ଦ୍ର

ରେଳ କ୍ଷେତ୍ରରେ ଓଡ଼ିଶାକୁ ୨୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦ୍ର ଉପହାର

ତାଳଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଦେଶର ୪୧, ୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରି ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ତାଳଚେର ଷ୍ଟେସନ୍‌ରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, ରେଳ ଲାଇନ୍‌ ଆମ ଦେଶର ସମୃଦ୍ଧିର ପ୍ରତୀକ। ମୋଦୀ ସରକାର ଓଡ଼ିଶାକୁ ଆଜି ରେଳବାଇ କ୍ଷେତ୍ରରେ ୨୩୦୦ରୁ ଅଧିକ କୋଟି ଟଙ୍କାର ଉପହାର ମିଳିଛି। ଦେଶରେ ପ୍ରାୟ ୫୫୪ଟି ରେଳଷ୍ଟେସନ୍‌ର ପୁନର୍ବିକାଶ ହୋଇଥିବା ବେଳେ ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନ୍‌ର ଶିଳାନ୍ୟାସ ହୋଇଛି। ଏଥିଲାଗି ଓଡ଼ିଶା ପାଇଁ ୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଓଡ଼ିଶାରେ ୫୨ଟି ରୋଡ୍ ଓଭରବ୍ରିଜ୍ ଏବଂ ରୋଡ୍ ଅଣ୍ଡରବ୍ରିଜ୍‌ର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ୫୨ଟି ପ୍ରକଳ୍ପ ପାଇଁ ମୋଟ ୧୪୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଆଜି ଅମୃତ ଭାରତ ରେଳ ଷ୍ଟେସନ ଅଧୀନରେ ୧୨.୮ କୋଟି ଟଙ୍କା ବ୍ୟୟରେ ତାଳଚେର ଷ୍ଟେସନକୁ ବିକଶିତ କରାଯାଉଛି। ୨୩.୭୬ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ସିଟି ଷ୍ଟେସନ୍‌, ୧୮.୭୭ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ରୋଡ୍, ୧୮୫ କୋଟି ଟଙ୍କା ବ୍ୟୟରେ ଭଦ୍ରକ, ୧୯୭.୪ କୋଟି ବ୍ୟୟରେ ବାଲେଶ୍ୱର ରେଳ ଷ୍ଟେସନ୍‌, ୧୭.୫୦ କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଷ୍ଟେସନ୍‌ ସହ ୨୧ଟି ଷ୍ଟେସନ୍‌ର ନବୀକରଣ ହେବ। ଏହାବ୍ୟତୀତ ରେଳବାଇ ପକ୍ଷରୁ ୨୫ କୋଟି ୪୧ ଲକ୍ଷ ବ୍ୟୟରେ ଅନୁଗୁଳ ଷ୍ଟେସନ୍‌ର ଉନ୍ନତୀକରଣ ମଧ୍ୟ ହେଉଛି। ୨୬ କୋଟି ୧୧ ଲକ୍ଷ ବ୍ୟୟରେ ଢେଙ୍କାନାଳ ଷ୍ଟେସନ୍‌ ଓ ୨୨ କୋଟି ବ୍ୟୟରେ ମେରାମଣ୍ଡଳୀ ଷ୍ଟେସନ୍‌କୁ ବିକଶିତ କରାଯାଉଛି।

ଖୁବ୍‌ଶୀଘ୍ର ତାଳଚେର-ବିମଳାଗଡ଼ ରେଳ ଲାଇନ୍‌ ସମ୍ପୂର୍ଣ୍ଣ ହେବ। ଅନୁଗୁଳ-ସୁକିନ୍ଦା ରୋଡ୍‌ ମଧ୍ୟରେ ନୂଆ ଲାଇନ୍‌ ବି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇସାରିଛି। ତାଳଚେର-ଅନୁଗୁଳ ଲୁପ୍ ଲାଇନ୍‌ ପାଇଁ ଭାରତ ସରକାର ନିୟମିତ ଭାବେ ଅର୍ଥ ମଞ୍ଜୁର ପ୍ରଦାନ କରିଛନ୍ତି। ତେବେ ତାଳଚେର-ବିମଳାଗଡ଼ ରେଳ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ମୋଦୀ ସରକାର ପୂର୍ବରୁ ରେଳବାଇ କ୍ଷେତ୍ରରେ ଦେଶରେ ବାର୍ଷିକ ହାରାହାରି ୩ ଲକ୍ଷ କୋଟି ଟଙ୍କାର କାମ ହେଉଥିଲା ମାତ୍ର ଏବେ ବାର୍ଷିକ ହାରାହାରି ୧୧ ଲକ୍ଷ କୋଟି ଟଙ୍କାର କାମ ହେଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଡିଆରଏମ୍‌ ଏ.ଏସ୍‌. ବାଜୁଆ, ତାଳଚେର ନଗରପାଳ ପବିତ୍ର ଭୂତିଆ, ବିଜେପି ନେତା କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର