ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଏକ ପ୍ରତିବାଦ ରାଲି ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣରେ ୩୦୦ରୁ ଊର୍ଦ୍ଧ୍ବ ଶିକ୍ଷକଶିକ୍ଷୟିତ୍ରୀ ହାତରେ ପ୍ଲାକାର୍ଡ, ବ୍ୟାନର ଆଦି ଧରି ସ୍ଥାନୀୟ ଗୀତା ଭବନ ଠାରୁ ବାହାରି ସହର ପରିକ୍ରମା କରି ନୟାଗଡ଼ ରାସ୍ତା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ବିଇଓଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ଠିକା ନିଯୁକ୍ତି ବାତିଲ କରିବା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, କେନ୍ଦ୍ରୀୟ ହାରରେ ଦରମା, ଏକ୍ସ କ୍ୟାଡର ଉଚ୍ଛେଦ ଆଦି ଦାବି ରହିଛି । ଏହି ପ୍ରତିବାଦ ସଭାରେ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ଅଗାଧୁ ସେଠୀ, ମୃତ୍ୟୁଂଜୟ ମହାପାତ୍ର, ରତ୍ନାକର ରାଉତରାୟ, ଅଭିରାମ ବେହେରା, ଅଭିରାମ ପଣ୍ଡା, ପ୍ରବୀର କୁମାର ସାହୁ, ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଓ ଶିକ୍ଷକ ମହାସଂଘର ସୁରେଶ ଚନ୍ଦ୍ର ବିଶ୍ୱାଳ, ୟୁଜିଏମ୍ଇ ଶିକ୍ଷକ ସଂଘର ବିଭୂ ପ୍ରସାଦ ହରିଚନ୍ଦନ, ଅଶୋକଚନ୍ଦ୍ର ଦାସ, ସଂଯୁକ୍ତା ବଳିଆରସିଂହ, ରବୀନ୍ଦ୍ର କୁମାର ସାହୁ, କଳ୍ପନା ରାଉତ, ଶୁଶାନ୍ତ ମିଶ୍ର, ବାମଦେବ ପାଇକରାୟ ପ୍ରମୁଖ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର