୨୭୪୩ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୬ କୋଟି ଋଣ 

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜୟୀରାଜଗୁରୁ ଭବନ ଠାରେ ଜିଲ୍ଲାସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭୪୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରୁ ୧୦୬ କୋଟି ୫ଲକ୍ଷ ଟଙ୍କା ବିଭିନ୍ନ କିସମର ଋଣ ପ୍ରଦାନ କରାଯାଇଛି। ଅନୁଷ୍ଠିତ ମେଗା ଋଣ ପ୍ରଦାନ ମେଳାରେ ୧୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆବଶ୍ୟକତା ଓ ସେମାନଙ୍କ ଋଣ ପରିଶୋଧ କ୍ଷମତାକୁ ଦେଖି ଏହାକୁ ବୃଦ୍ଧି କରାଯାଇଥିଲା। ଏହା ମଧ୍ୟରୁ ୮୯୯ଟି ଗୋଷ୍ଠୀଙ୍କୁ ପ୍ରତ୍ୟେକ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀକୁ ୧୦ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା କରିବା କ୍ଷେତ୍ରରେ ସର୍ବୋତ୍ତମ ବ୍ୟାଙ୍କ ଭାବେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଉତ୍ତମ ବ୍ଲକ ଭାବେ ବାଲିଅନ୍ତା, ବୋଲଗଡ଼, ଖୋର୍ଦ୍ଧା ଓ ଭୁବନେଶ୍ୱର ମହାନଗର ନିଗମ-୧କୁ ପୁରସ୍କୃତ କରାଯାଇଥିଲା।

ସେହିଭଳି ୧୦ଜଣ ବ୍ୟାଙ୍କ ମିତ୍ର, ୧୩ଟି ବ୍ୟାଙ୍କ ଶାଖାକୁ ମଧ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଆର୍ଥିକ ସ୍ୱାବଲମ୍ବୀ କ୍ଷେତ୍ରରେ ଉତ୍ତମ ପଦକ୍ଷେପ ନେଇଥିବାରୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମିଶନ ଶକ୍ତି ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଏଲ୍ଡିଏମ୍ ଦିଲିପ କୁମାର ଭୂୟାଁ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଡିଜିଏମ୍ ମନମୋହନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ମିଶନଶକ୍ତି ଡିପିସି ପୃଥ୍ୱୀରାଜ ପଟ୍ଟନାୟକ, ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ବିବେକ ରଂଜନ ନାୟକ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପରାମର୍ଶଦାତା ବ୍ରଜ କିଶୋର ମହାନ୍ତି, ସୌଭାଗିନୀ ହରିଚନ୍ଦନ, ଶିଖା ପୋଦାର ପ୍ରମୁଖ କାର୍ୟ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର