ସେଇ ମାର୍ଚ୍ଚ ୭: ୧୫ ବର୍ଷ ତଳେ ଅଲଗା ହୋଇଥିଲେ ବିଜେଡି, ବିଜେପି

୧୫ ବର୍ଷ ତଳେ ଅଲଗା ହୋଇଥିଲେ ବିଜେଡି, ବିଜେପି

ଭୁବନେଶ୍ବର: ମାର୍ଚ୍ଚ ୭, ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା। ବିଜେଡି ୧୨ବର୍ଷର ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଠିକ୍ ଏହାର ୧୫ବର୍ଷ ପରେ ଅର୍ଥାତ୍ ମାର୍ଚ୍ଚ ୭, ୨୦୨୪ରେ ପୁଣି ବିଜେଡି-ବିଜେପି ମେଣ୍ଟ ନେଇ ଘୋଷଣା ହେବ ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି। ରାଜ୍ୟରେ ବିଜେଡି-ବି‌ଜେପି ମେଣ୍ଟ ନେଇ ଶୀର୍ଷ ନେତୃତ୍ବ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ଯେକୌଣସି ମୁହୂର୍ତ୍ତରେ କିଛି ବି ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଓଡ଼ିଶା ରାଜନୀତିର ଇତିହାସ କହୁଛି ୧୯୯୭ ମସିହା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସରେ ଏନ୍‌ଡିଏରେ ବିଜେଡି ସାମିଲ ହୋଇଥିଲା। ଏହାପରେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ଓଡ଼ିଶାରେ ଲଢ଼ିଥିଲେ। ଏଥିରେ ମୋଟ୍ ୧୪୭ଟି ବିଧାନସଭା ଆସନରୁ ବିଜେଡି ୮୪ଟି ଆସନରେ ଲଢ଼ିଥିବାବେଳେ ୬୮ଟି ଆସନରେ ଜିତିଥିଲା। ଆଉ ୨୯.୩୯% ଭୋଟ୍ ପାଇଥିଲା। ସେହିପରି ବିଜେପି ୬୩ଟି ଆସନରେ ଲଢ଼ିଥିବାବେଳେ ୩୮ଟି ଆସନରେ ଜିତିଥିଲା। ଭୋଟ୍ ହାର ଥିଲା ୧୮.୧୯%। କଂଗ୍ରେସ ୧୪୫ଟି ଆସନରେ ଲଢ଼ିଥିବାବେଳେ ୨୬ଟି ଆସନରେ ଜିତିଥିଲା। ମୋଟ୍ ମତଦାନର ୩୩.୭୭% କଂଗ୍ରେସ ପାଇଥିଲା। ୨୦୦୪ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରର କାର୍ଯ୍ୟକାଳ ଶେଷ ହେବା ପରେ ବିଜେଡି ମେଣ୍ଟରେ ଥିବାରୁ ଓଡ଼ିଶାରେ ବର୍ଷକ ଆଗରୁ ସରକାର ଭାଙ୍ଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ୨୦୦୦ ମସିହା ସିଟ୍ ଆବଣ୍ଟନ ହାରରେ ଦୁଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ହେଲେ ଦୁଇ ଦଳର ଆସନ କମିବା ସହ ଭୋଟ୍ ହାର ବି କମିଥିଲା। ୨୦୦୪ରେ ବିଜେଡି ୮୪ଟିରୁ ୬୧ଟିରେ ଜିତିଥିବାବେଳେ ୨୭.୩୬% ଭୋଟ୍ ପାଇଲା। ବିଜେପି ୬୩ଟିରୁ ୩୨ଟି ଆସନ ଜିତିଥିବାବେଳେ ୧୭.୧୧% ଭୋଟ୍ ପାଇଲା। ଆଉ କଂଗ୍ରେସ ଏକାକୀ ୧୩୪ଟି ଆସନରେ ଲଢ଼ିଥିବାବେଳେ ୩୮ଟି ଆସନରେ ଜିତିଥିଲା। ଭୋଟ୍ ହାର ଥିଲା ୩୪.୮୨%। ଲୋକସଭା ନିର୍ବାଚନରେ ବିଜେଡି ୧୨ଟି ଆସନରେ ଲଢ଼ିଥିବାବେଳେ ୧୧ଟି ଜିତିଥିଲା, ବିଜେପି ୯ଟି ଆସନରେ ଲଢ଼ିଥିବାବେଳେ ୭ଟି ଆସନରେ ଜିତିଥିଲା।

୨୦୦୯ରେ ମେଣ୍ଟରୁ ବିଜେଡି ସମର୍ଥନ ପ୍ରତ୍ୟାହାର କରିଥିଲା
ମେଣ୍ଟରୁ ଓହରିବା ପରେ ଅଧିକ ଶକ୍ତିଶାଳୀ ହୋଇଛି ବିଜେଡି

ହେଲେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଦଙ୍ଗାକୁ ପ୍ରସଙ୍ଗ କରି ବିଜେଡି ମାର୍ଚ୍ଚ ୭, ୨୦୦୯ରେ ବିଜେପି ହାତ ଛାଡ଼ି ଦେଇଥିଲା। ତତ୍କାଳୀନ ସାଂସଦ ଚନ୍ଦନ ମିତ୍ର ବିଜେପି-ବିଜେଡି ନେଇ ନବୀନ ପଟ୍ଟନାୟକଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ ବି ଏହି ମେଣ୍ଟ ଭାଙ୍ଗି ଯାଇଥିଲା। ମେଣ୍ଟ ଭାଙ୍ଗିବା ପରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିଲା। ବିଧାନସଭାରେ ୧୦୩ଟି ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କଲା। ବିଜେପି ୩୨ରୁ ସିଧା ୬ଟି ଆସନକୁ ଖସିଗଲା। କଂଗ୍ରେସ ବି ୨୭ଟି ଆସନକୁ ଖସିଥିଲା। ଲୋକସଭା ନିର୍ବାଚନରେ ବି ବିଜେଡି ୧୪ଟି ଆସନରେ ଜିତିବା ସହ ମେଣ୍ଟ କରିଥିବା ସିପିଆଇ (ଏମ୍‌)କୁ ଗୋଟିଏ ଆସନ ମିଳିଥିଲା। କଂଗ୍ରେସ ୬ଟି ଆସନରେ ଜିତିଥିବାବେଳେ ବିଜେପି ଖାତା ଖୋଲି ପାରିନଥିଲା। ଏହାପରେ ଦୁଇଟି ନିର୍ବାଚନ ହୋଇଥିବାବେଳେ ବିଜେପି କେବେବି ବିଜେଡିକୁ ଟପି ପାରିନି। ହେଲେ ଏବେ ପୁଣି ମେଣ୍ଟ ଚର୍ଚ୍ଚା ଚାଲିଥିବାବେଳେ ଆସନ ବୁଝାମଣାକୁ ନେଇ ଅଙ୍କ କଷା ଚାଲିଛି। ଗତ ଡିସେମ୍ବରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏକ ତାରକା ହୋଟେଲରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସହ ଏକାକୀ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହାପରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ କୌଣସି ଦଳର ନେତା ଆଜି ପର୍ଯ୍ୟନ୍ତ ମେଣ୍ଟ ହେବ ବୋଲି କହିନାହାନ୍ତି। ଏପରିକି ମେଣ୍ଟ ଚର୍ଚ୍ଚା ବଢ଼ିବା ପରେ କିଛି ଦିନ ତଳେ ବିଜେପି କହିଥିଲା ବିଜେଡି ଏନେଇ ଚର୍ଚ୍ଚା କରୁଛି, ଆଉ ବିଜେଡି ନେତା କହିଥିଲେ ବିଜେପି ନେତା ଜାଣିଶୁଣି ମେଣ୍ଟ ଗୁଜବ କରୁଛନ୍ତି। କୁହାଯାଏ ‘ରାଜନୀତିରେ କେହି ଚିରକାଳ ପାଇଁ ଶତ୍ରୁ କି ମିତ୍ର ନଥାନ୍ତି। କେବଳ ସ୍ବାର୍ଥ ସ୍ଥାୟୀ ଥାଏ।’ ଏଠାରେ ସ୍ବାର୍ଥ ବ୍ୟକ୍ତିଗତ ହୋଇପାରେ କି ରାଜ୍ୟ ପାଇଁ ହୋଇପାରେ। ଯାହାକୁ ଯାହା ସୁହାଇବ ସିଏ ସେୟା ହିଁ କହିବେ। ଯାହା ଏବେ ବିଜେପି-ବିଜେଡି ନେତା କହୁଛନ୍ତି।

ସମ୍ବନ୍ଧିତ ଖବର