ସମ୍ବଲପୁର, ଅନୁଗୁଳ ପାଇଁ ୬୯୧ ପ୍ରକଳ୍ପ: ଅଭିଯୋଗ ପାଇଲା ମାତ୍ରେ ପ୍ରକଳ୍ପ ମଞ୍ଜୁର କରି ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ସରକାର, ଲୋକ ଯାହା ଚାହିବେ ହେବ: ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଭାସୀ(ଭିସି) ଜରିଆରେ ଅନୁଗୁଳ ଓ ସମ୍ବଲପୁର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନୁଗୁଳ ଜିଲ୍ଲାର କିଶୋରନଗରର ବଡ଼ପଡ଼ିଆ ଓ ଛେଣ୍ଡିପଦାର ବଡ଼ସାହି ଏବଂ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ହାଇସ୍କୁଲ୍‌ ପଡ଼ିଆ, ଜମାଦାରପାଲି ପଡ଼ିଆ ଓ ହୀରାକୁଦର ସୁବାସ ମଇଦାନରେ ଉପସ୍ଥିତ ଲୋକଙ୍କ ସହ ସେ କଥା ହୋଇଥିଲେ। ଲୋକଙ୍କ ଠାରୁ ମିଳିଥିବା ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ଆଜି ହିଁ ବହୁ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହା ରାଜ୍ୟ ଶାସନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।

ଭିସି ଜରିଆରେ ଲୋକଙ୍କ ସହ କଥା ହେଲେ ପାଣ୍ଡିଆନ

ଅନୁଗୁଳ ଜିଲ୍ଲାରେ ୧୦.୪୭ କୋଟିରେ ୨୮୩ଟି ପ୍ରକଳ୍ପ ଓ ସମ୍ବଲପୁରରେ ୧୨.୫୯ କୋଟି ଟଙ୍କାରେ ୪୦୮ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଅଭିଯୋଗ/ପ୍ରସ୍ତାବ ଦେଇଥିବା ବ୍ୟକ୍ତିଙ୍କ ମୋବାଇଲ୍‌କୁ ଆଜି ହିଁ ମଞ୍ଜୁରୀ ନି‌ର୍ଦ୍ଦେଶ ଯାଇଛି। ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ଯେ ଗତ ବର୍ଷ ଜୁଲାଇରେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ ସମୟରେ ଲୋକଙ୍କ ଅଭିଯୋଗ/ମତାମତକୁ ଆଧାର କରି ୮୮୬ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନେଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ୫-ଟି ଅଧ୍ୟକ୍ଷ କହିଥିଲେ, ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନ୍‌ସନକୁ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ଦ୍ବାରା ୫୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସେହିପରି ମମତା ଯୋଜନାରେ ସହାୟତା ରାଶି ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ବାରା ଉଭୟ ମହିଳା ଓ ଶିଶୁ ଉପକୃତ ହେବେ। ମିସନ୍ ଶକ୍ତି ଗୋଷ୍ଠୀ ଏବେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଆଶା କର୍ମୀ ଓ ମିସନ୍ ଶକ୍ତି କମ୍ୟୁନିଟି କ୍ୟାଡର୍‌ ଖୁବ୍ ଶୀଘ୍ର ସେମାନଙ୍କ ପ୍ରାପ୍ୟ ବୃଦ୍ଧି ନେଇ ଭଲ ଖବର ପାଇବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର