ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ: ଜଙ୍ଗଲରେ ଲୁଚାଇ ରଖିଥିଲା ଶବ

ଚିତ୍ରଡ଼ା: ସାମାନ୍ୟ ବଚସାରୁ ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ। ପରେ ମୃତଦେହ ଜଙ୍ଗଲ ଭିତରେ ଲୁଚାଇ ରଖିଥିଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ। ସୂଚନା ଅନୁସାରେ; ଉକ୍ତ ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ(୨୨)ଙ୍କ ସହ ଚାମଟୁ ନାଏକଙ୍କ ପୁଅ ଟିପୁନ(୨୫)ର କିଛିବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁହେଁ ଏକ ନିରୋଳା ସ୍ଥାନରେ ବସି କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲା ଟିପୁନ। ସେତିକିରେ ରାଗ ଥଣ୍ଡା ନହେବାରୁ ଶେଷରେ ଯାତ୍ରୀଙ୍କୁ ଟେକି ତଳେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯାତ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତା’ପରେ ମୃତଦେହ ନିକଟସ୍ଥ ଜଙ୍ଗଲରେ ପଲିଥିନ୍‌ରେ ଗୁଡ଼ାଇ ଲୁଚାଇ ରଖିଥିଲା ଟିପୁନ।

କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସଦଳବଳେ ଯାଇ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଥିଲେ। ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଆସି ଘଟଣାର ଛାନ୍‌ଭିନ୍‌ କରିଥିଲା। ପ୍ରାଥମିକ ତଦନ୍ତ ପରେ ୨୨୯/୨୨‌ରେ ଏକ ମାମଲା ରୁଜୁ କରି ପ୍ରେମିକ ଟିପୁନଙ୍କୁ ଗିରଫ କରିଛି ପୁଲିସ। ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି।

ସମ୍ବନ୍ଧିତ ଖବର