ପାଣି ଭିତରେ ନିଖୋଜଙ୍କୁ ଖୋଜିବ କ୍ୟାମେରା: ୧୬୪ ଫୁଟ୍‌ ଗଭୀରରୁ ଆଣି ପାରିବ ଚିତ୍ର

ଅଗ୍ନିଶମ ବିଭାଗର ପରୀକ୍ଷାମୂଳକ ବ୍ୟବହାର

କଟକ: ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ। ଗଭୀର ପାଣି ଭିତରେ ଵାଟର୍‌ପ୍ରୁଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ। ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବ। ଅଗ୍ନିଶମ ବିଭାଗରେ ଏପ୍ରକାର ଅତ୍ୟାଧୁନିକ କ୍ୟାମେରାକୁ ‘ଭିକ୍ଟିମ୍‌ ଲୋକେସନ୍ ସର୍ଚ୍ଚ କ୍ୟାମେରା’ କୁହାଯାଉଛି। କଟକର ମହାନଦୀରେ ଏହାର ସଫଳ ପ୍ରୟୋଗ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ କରାଯିବ।

ସୂଚନା ଅନୁଯାୟୀ, ଓଡ଼ିଶା ଅଗ୍ନିଶମ ବିଭାଗକୁ ପ୍ରଥମ ଥର ପାଇଁ ଗୋଟିଏ ଵାଟର୍‌ପ୍ରୁଫ କ୍ୟାମେରା ପରୀକ୍ଷାମୂଳକ ଭାବେ ଆସିଛି। କଟକ ବକ୍ସିବଜାରସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ଏହି କ୍ୟାମେରା ହସ୍ତାନ୍ତର କରାଯାଇଛି। କ୍ୟାମେରା ଵାଟର୍‌ପ୍ରୁଫ ହୋଇଥିବା ବେଳେ ଏଥିରେ ୫୦ ମିଟର୍‌ କେବୁଲ ରହିଛି। ଅର୍ଥାତ ନଦୀ କିମ୍ବା ନାଳରେ ୧୬୪ ଫୁଟ୍‌ ଗଭୀରକୁ ଏହି କ୍ୟାମେରା ଯାଇପାରିବ। ବୋଟ୍‌ରେ ଯାଉଥିବା ଅଗ୍ନିଶମ କର୍ମଚାରୀମାନେ ଏକ କମ୍ପ୍ୟୁଟର୍‌ ଆକୃତିର ଡିସ୍‌ପ୍ଲେ ରଖିବେ। ଏଥିରେ କେବୁଲ୍‌ ସଂଯୋଗ ହୋଇ କ୍ୟାମେରା ସହିତ ଗଭୀର ପାଣି ଭିତରକୁ ଛଡ଼ାଯିବ। ଏଥିରେ ଚାରିଟି କ୍ୟାମେରା ସଂଯୋଗ ରହିଛି। ଏହାରି ମାଧ୍ୟମରେ ନଦୀରେ ନିଖୋଜ ହେଉଥିବା ଲୋକଙ୍କୁ ଠାବ କରାଯିବ। ଦିନ ସମୟ ସହିତ ରାତିର ଅନ୍ଧାରରେ ବି କ୍ୟାମେରାରେ ପାଣି ଭିତରର ସବୁ ବସ୍ତୁ ସ୍ପଷ୍ଟ ଦେଖାଯିବ। କିନ୍ତୁ ଏଥିରେ ଏକ ସମସ୍ୟା ଦେଖାଦେଇଛି। ପାଣି ସ୍ଥିର ନଥିଲେ ଅର୍ଥାତ ପାଣିରେ ସ୍ରୋତ ଥିଲେ କ୍ୟାମେରାରେ ଦୃଶ୍ୟ ଦେଖିବା କଷ୍ଟକର ହୋଇପଡ଼ୁଛି। କ୍ୟାମେରାର ଚାରିପଟ ଏବଂ ତଳ ଭାଗରେ ପାଖାପାଖି ୪ ଫୁଟ ଯାଏ ଚିତ୍ର ଦେଖାଯାଉଛି। ଏହି ‘ଭିକ୍ଟିମ ଲୋକେସନ୍ ସର୍ଚ୍ଚ କ୍ୟାମେରା’କୁ ପରିଚାଳନା କରିବା ପାଇଁ ବ୍ୟବହାର ହେଉଥିବା ଦୁଇଟି ବ୍ୟାଟେରିରେ ୪ ଘଣ୍ଟାର ବ୍ୟାକ୍‌ଅପ୍‌ ରହିଛି। ଏଥିରେ ପାଣି ଭିତରର ଭିଡିଓ ରେକର୍ଡ ହୋଇ ‘ମେମୋରି କାର୍ଡ’ରେ ରହିପାରିବ। କ୍ୟାମେରାରେ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା ବି ରହିଛି।

ଏହି କ୍ୟାମେରାକୁ ଏପ୍ରିଲ ୪ ତାରିଖରେ ବାଙ୍କୀରେ ମହାନଦୀରେ ହଜିଥିବା ଜଣେ ଶିଶୁକୁ ଉଦ୍ଧାର କ୍ଷେତ୍ରରେ ବ୍ୟବହାର କରାଯାଇଥିଲା। ଗଲା ୭ ତାରିଖରେ ମହାନଦୀ ହାତୀଗଡ଼ା ନିକଟରେ ସିଡିଏ ସେକ୍ଟର ୬ ଅଞ୍ଚଳର ରୂପକ ବାନାର୍ଜୀ ବୁଡ଼ିଯାଇଥିଲେ। ତାଙ୍କୁ ଏହି କ୍ୟାମେରା ବ୍ୟବହାର କରି ଉଦ୍ଧାର କରାଯାଇଥିଲା। ମାତ୍ର ୪୦ ମିନିଟ ଭିତରେ ଠାବ କରାଯାଇଥିଲା। ରବିବାର ପ୍ରାୟ ରାତି ୧୨ଟା ବେଳେ ବାରଙ୍ଗରେ ଏକ କେନାଲରେ ଜଣେ ବ୍ୟକ୍ତି ବୁଡ଼ିଯାଇଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ୮ ତାରିଖରେ ଏହି କ୍ୟାମେରା ବ୍ୟବହାର କରାଯାଇଛି। ଗଲା ଏକ ମାସ ମଧ୍ୟରେ କଟକ ବକ୍ସିବଜାର କେନ୍ଦ୍ରରୁ ଏହି କ୍ୟାମେରା ସୁନ୍ଦରଗଡ଼, ଅନୁଗୁଳ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳକୁ ଯାଇ ବ୍ୟବହାର କରାଯାଇଥିଲା। ଅଗ୍ନିଶମ ଡିଜି ଡକ୍ଟର ସୁଧାଶୁ ଷଢ଼ଙ୍ଗୀ କହିବା ଅନୁଯାୟୀ, ଓଡ଼ିଶାକୁ ଏହି କ୍ୟାମେରା ମାତ୍ର ଗୋଟିଏ ଆସିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ କ୍ୟାମେରା ଆଣିବାକୁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର