ଅଭିଯୋଗ ଆଣିଲେ ବାପା, ମା’; ଝିଅକୁ ମାରିଦେଲେ

କୁଆଖାଇ ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଜବତ, ୩ ଗିରଫ, ଅନୁସନ୍ଧାନ ଜାରି

ଧଉଳି: ଲିଙ୍ଗିପୁରସ୍ଥିତ କୁଆଖାଇ ନଦୀବନ୍ଧ ରାସ୍ତାରୁ ଯୁବତୀଙ୍କ ମୃତଦେହ ଜବତ ଘଟଣା ଭିନ୍ନ ମୋଡ଼ ନେଇଛି। ପୁଲିସ ଘଟଣାସ୍ଥଳରୁ ମିଳିଥିବା ବାଇକ୍‌ ଦୁଇଟିର ନମ୍ବରକୁ ଆଧାର କରି ଫେରାର ୩ ଯୁବକଙ୍କୁ କାବୁ କରିଛି। ସେମାନେ ହେଲେ ଶେଖ୍ ରାଜୁ (୩୦), ଅବାଇଦୁର ଶେଖ(୨୨) ଓ ଜେନାରୁଲ ଶେଖ(୧୯)। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ମୃତ ଯୁବତୀଙ୍କ ପରିଚୟ ମଧ୍ୟ ମିଳିଛି। ସେ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା କୋଳିଦାସପୁର ଗ୍ରାମର ଫିନ ଡାକୁଆଙ୍କ ସାନଝିଅ ଭାଗ୍ୟ ଡାକୁଆ (୨୦)। ଭାଗ୍ୟଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଫିଙ୍ଗି ଦେଇଥିବା ତାଙ୍କର ବାପା ଫିନ ଓ ମା’ କୁନି ଡାକୁଆ ଥାନାରେ ଅଭିଯୋଗ କରିଛନ୍ତି। ଫିନଙ୍କ ଅଭିଯୋଗକୁ ଭିତ୍ତିକରି ଧଉଳି ପୁଲିସ ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ କରିବା ସହ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

ଘଟଣାସ୍ଥଳରେ ପଡ଼ିଥିବା ବାଇକ୍‌କୁ ଦେଖି ଏହା ଏକ ଦୁଘର୍ଟଣାଜନିତ ମୃତ୍ୟୁ ବୋଲି ଚର୍ଚ୍ଚା ହୋଇଥିଲା। ଆଜି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଯୁବତୀଙ୍କ ବାପା ଫିନ ଓ ମା’ କୁନି ଡାକୁଆ ଅଭିଯୋଗ କରିବା ପରେ ମାମଲାର ଦିଗ ବଦଳିଛି। ଭାଗ୍ୟଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଫିଙ୍ଗି ଦେଇଥିବା ତାଙ୍କର ବାପା-ମା’ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବେକରେ ଶାଢ଼ିବାନ୍ଧି ଭାଗ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତମାନେ ପୁଲିସକୁ ବୟାନ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ ଟିମ୍‌ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକ କହିଛନ୍ତି। ଆଜି ପୂର୍ବାହ୍ନରେ ଧଉଳି ଥାନା ଅଧିକାରୀ ଓ ଜୋନ-୨ ଏସିପି କୃଷ୍ଣଚନ୍ଦ୍ର ପଲେଇ ଶେଖ ରାଜୁ ରହୁଥିବା ଭଡ଼ାଘରେ ପହଞ୍ଚି ଛାନଭିନ୍‌ କରିଛି। ଘର ଭିତରୁ ଭାଗ୍ୟର ମୃତ୍ୟୁ ସଂପର୍କିତ କିଛି ସୁରାକ ମିଳିଥିବା ପୁଲିସ କହିଛି। ହେଲେ ତଦନ୍ତରେ ବାଧା ଆଶଙ୍କାରେ ପୁଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛି।

ସିସି କ୍ୟାମେରାକୁ ଡରି କେନାଲ ରାସ୍ତାରେ ଯାଇଥିଲେ: ଲିଙ୍ଗିପୁର ଅଞ୍ଚଳର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଗତରାତି ପ୍ରାୟ ୧୧ଟା ବେଳେ କାଳବୈଶାଖୀ ଯୋଗୁଁ ଲାଇନ୍‌ କଟିଯାଇଥିଲା। ମୁଖ୍ୟ ରାସ୍ତାରେ ଗଲେ ସିସି କ୍ୟାମେରାରେ ଧରାପଡ଼ିଯିବା ଭୟରେ ଅଭିଯୁକ୍ତମାନେ କେନାଲ ରାସ୍ତାରେ ଯାଇଥିଲେ। ଭାଗ୍ୟଙ୍କ ଗୋଡ଼ ରାସ୍ତାରେ ଘୋଷାରି ହୋଇ ଯାଉଥିଲା। ଗୋଡ଼ରେ ରକ୍ତ ଧାର ବୋହୁଥିଲା। କେନାଲ ବୁଲାଣି ନିକଟରେ ଗାଁ ଯୁବକ ଭୋଜି କରୁଥିଲେ। ରାତି ଅଧରେ ଏମିତି ଅବସ୍ଥାରେ ଯୁବତୀଙ୍କୁ ନେଇ ଯାଉଥିବା ଦେଖି ସେମାନେ ରାଜାକୁ ଚିହ୍ନି ଥିବାରୁ ପଚାରିଥିଲେ। ହେଲେ ସେମାନେ କିଛି ନଶୁଣି ଦ୍ରୁତ ବେଗରେ ପଳାଇ ଯାଇଥିଲେ। ଯୁବକମାନଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ପିଛା କରିଥିଲେ। ମହାବୀର ମନ୍ଦିର ଉଠାଣି ଦେଇ ନଦୀବନ୍ଧକୁ ଉଠିବା ବେଳେ ପଛରେ ଯୁବକମାନଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। କାଦୁଅରେ ଚକା ସ୍ଲିପ୍‌ କରିବାରୁ ସମସ୍ତେ ବାଇକରୁ ଛିଟିକି ପଡ଼ିଥିଲେ। ସେଠାରେ ବାଇକ୍‌ ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ।

ଲିଭ୍‌-ଇନରେ ରହୁଥିଲେ: ମୁଖ୍ୟ ଅଭିଯୁକ୍ତ ଶେଖ ରାଜୁ ଜଣେ ରାଜମିସ୍ତ୍ରି ଠିକାଦାର। ଲିଙ୍ଗିପୁର, ଶିଶୁପାଳଗଡ଼, ଧଉଳି ସମେତ ଆଖପାଖ ଅଞ୍ଚଳରେ ହେଉଥିବା ଘରକାମ ନେଇ ରାଜମିସ୍ତ୍ରି ଓ ଶ୍ରମିକ ଯୋଗାଡ଼ କରେ। ଗତ ୩ ବର୍ଷ ହେଲା ସେ ଏଠାରେ ରହୁଛି। ସେହିପରି ମୃତ ଯୁବତୀଙ୍କ ପିତା ଫିନ, ପତ୍ନୀ କୁନି ଓ ଝିଅ ଭାଗ୍ୟଙ୍କ ସହିତ ବଡ଼ପୁଅ ଗଞ୍ଜାମରୁ ୩ ବର୍ଷ ତଳେ ଆସି ଗଙ୍ଗୋତ୍ରୀ ନଗର ଲେନ-୧ରେ ରହି ରାଜୁ ପାଖରେ କାମ କରୁଥିଲେ। କାମ କରିବା ଭିତରେ ରାଜୁ ଓ ଭାଗ୍ୟ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଜାନୁଆରି ମାସରେ ଫେରାର ହୋଇଯାଇଥିଲେ। ଫେରାର ହେବାର କିଛିଦିନ ପରେ ଲିଙ୍ଗିପୁରରେ ଘରଭଡ଼ା ନେଇ ଏକାଠି ରହୁଥିଲେ। ଶେଖ ସହ ଭାଗ୍ୟଙ୍କ ବାପା ଓ ମା’ଙ୍କ ସହିତ ଭଲ ସଂପର୍କ ନଥିଲା। ଗତକାଲି ଝିଅକୁ କୁନି ଫୋନ୍‌ କରିଥିଲେ। ହେଲେ ମୋବାଇଲ ସୁଇଚ୍‌ ଅଫ ଥିବାରୁ ଯୋଗାଯୋଗ ହୋଇପାରିନଥିଲା। ଆଜି ସକାଳେ ପୁଲିସ ଠାରୁ ଖବର ପାଇ ବାପା ମା’ଥାନାରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର