ଓଡ଼ିଶା ଦେଶରେ ତ୍ରୟୋଦଶ ବୃହତ୍‌ ଅର୍ଥନୀତି

ପ୍ରଥମ ୩ଟି ସ୍ଥାନରେ ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ

ଭୁବନେଶ୍ବର: ଗତ କିଛି ବର୍ଷ ଭିତରେ ଓଡ଼ିଶା ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଫଳରେ ଏହା ଦେଶର ତ୍ରୟୋଦଶ ବୃହତ୍‌ ଅର୍ଥନୀତି ଭାବେ ଉଭା ହୋଇଛି। ଏକ୍ଷେତ୍ରରେ ପଞ୍ଜାବ ଓ ବିହାରଠାରୁ ଓଡ଼ିଶା ଆଗରେ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ଏହି ସଫଳତା ମିଳିଥିବା ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗ୍‌ସର ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ୨୦୦୪-୦୫ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ଆକାର ୧୮୩୦ କୋଟି ଡଲାର ଥିଲା। ୨୦୧୩-୧୪ ସୁଦ୍ଧା ତାହା ୪୯୦୦ କୋଟି ଡଲାରକୁ ଏବଂ ୨୦୨୨-୨୩ ସୁଦ୍ଧା ୯୩୭୦ କୋଟି ଡଲାରକୁ ବୃଦ୍ଧି ପାଇଛି। ବିହାର, ପଞ୍ଜାବ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଗୋଆ, ତ୍ରିପୁରା, ସିକିମ୍, ମେଘାଳୟ, ଅରୁଣାଚଳପ୍ରଦେଶ, ମଣିପୁର, ନାଗାଲ୍ୟାଣ୍ଡ ଓ ମିଜୋରାମ୍‌ଠାରୁ ଓଡ଼ିଶା ଆଗରେ ରହିଛି। ମୁଣ୍ଡପିଛା ଆୟରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ୨୦୦୪-୦୫ ଆର୍ଥିକ ବର୍ଷରେ ଓଡ଼ିଶାର ମୁଣ୍ଡପିଛା ଆୟ ମାତ୍ର ୪୪୩ ଡଲାର ଥିଲା। ସେହି ସମୟରେ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ୨୩ ଥିଲା। ୨୦୨୨-୨୩ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଆୟ ୧୮୦୭ ଡଲାରକୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ୧୮କୁ ଉନ୍ନୀତ ହୋଇଛି।

ଦେଶର ସବୁଠୁ ବଡ଼ ଅର୍ଥନୀତି ହେଉଛି ମହାରାଷ୍ଟ୍ର। ଏହାର ଅର୍ଥନୀତି ଆକାର ୨୦୨୨-୨୩ରେ ୪୩,୮୯୦ କୋଟି ଡଲାର ରହିଛି। ଶ୍ରେଷ୍ଠ ୧୦ଟି ବଡ଼ ଅର୍ଥନୀତି ମଧ୍ୟରେ ମହାରାଷ୍ଟ୍ର ପଛକୁ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ରହିଛନ୍ତି। ଓଡ଼ିଶାଠାରୁ ଆଗରେ ଥିବା ଅନ୍ୟ ଦୁଇ ରାଜ୍ୟ ହେଉଛନ୍ତି କେରଳ ଓ ହରିୟାଣା। ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୩୨-୩୩ ଆର୍ଥିକ ବର୍ଷ ସୁଦ୍ଧା ‌ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟର ଅର୍ଥନୀତି ପ୍ରଥମେ ୧ ଲକ୍ଷ କୋଟି ଡଲାର କ୍ଲବ୍‌ରେ ପ୍ରବେଶ କରିବ। ୨୦୨୭-୨୮ ସୁଦ୍ଧା ମହାରାଷ୍ଟ୍ର ଏହି ଲକ୍ଷ୍ୟ ହାସଲ କରିନେବ। ଗୁଜରାଟ ୨୦୩୧-୩୨ରେ ଏବଂ କର୍ଣ୍ଣାଟକ ୨୦୩୨-୩୩ ସୁଦ୍ଧା ୧ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଇଣ୍ଡିଆ ରେଟିଂସ୍‌ର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି। ୨୦୪୬-୪୭ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଆଠଟି ରାଜ୍ୟର ଅର୍ଥନୀତି ଏକ ଟ୍ରିଲିଅନ ଡଲାର (୧ ଲକ୍ଷ କୋଟି) ମାଇଲଖୁଣ୍ଟ ହାସଲ କରିବା ସମ୍ଭାବନା ରହିଛି। ଏହି ତାଲିକାରେ ତାମିଲନାଡ଼ୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ନାମ ରହିଛି। ତେବେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ରାଜ୍ୟଗୁଡ଼ିକ ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର