ଗୁଇନ୍ଦା ଫେଲ୍‌! ଡ୍ରାଇଭରଙ୍କ କବ୍‌ଜାରେ ରାଜଧାନୀ

ଦିନସାରା ହଙ୍ଗାମା; ହାତ ଟେକିଦେଲା ପୁଲିସ, ରାତିଅଧରେ ଆସିଲେ, ସହରକୁ ବ୍ୟାପିଗଲେ

ଭୁବନେଶ୍ବର: ରାତି ଦୁଇଟା ବେଳୁ ସେମାନେ ରାଜଧାନୀ ଭିତରେ ପ୍ରବେଶ ଆରମ୍ଭ କରିଥିଲେ। ରସୁଲଗଡ଼, କଳ୍ପନା, ଖଣ୍ଡଗିରି ଓ ନନ୍ଦନକାନନ ୪ ପ୍ରବେଶ ପଥରେ କମିସନରେଟ୍‌ ପୁଲିସର ପହରା ଥିଲା। ହେଲେ ଏ ସବୁକୁ ଭେଦ କରି ସେମାନେ ବସ୍‌, ଟ୍ରକ୍‌, ମିନିଟ୍ରକ୍‌, ଅଟୋ, କାର୍‌ ପ୍ରଭୃତିରେ ଆସି ପୂରା ଭୁବନେଶ୍ବରରେ ଛାଇଗଲେ। ସେମାନେ ଖାଲି ହାତରେ ଆସିନଥିଲେ, ବରଂ ଗାଡ଼ିରେ ଭର୍ତ୍ତି ହୋଇ ଆସିଥିଲା ଠେଙ୍ଗା। ସକାଳ ହେଉ ହେଉ ଠେଙ୍ଗା ଧରି ହଜାର ହଜାର ଡ୍ରାଇଭର ମାଷ୍ଟର କ୍ୟାଣ୍ଟିନ୍‌ରୁ ବିଧାନସଭା ସାମ୍ନା ପର୍ଯ୍ୟନ୍ତ ଗାନ୍ଧୀମାର୍ଗକୁ ନିଜ କବ୍‌ଜାକୁ ନେଇଗଲେ। ଲକ୍ଷ ଲକ୍ଷ ଡ୍ରାଇଭର ବିଧାନସଭା ଆଡ଼କୁ ମାଡ଼ି ମାଡ଼ି ଚାଲିଥିଲେ। ପୂର୍ବରୁ ଏମାନଙ୍କ ବଳ ନେଇ ଅଜଣା ଥିବା କମିସନରେଟ୍‌ ପୁଲିସ ଏମାନଙ୍କୁ ବାଧା ଦେବାକୁ ସାହସ ଯୁଟାଇ ପାରିନଥିଲା। ଫଳରେ ଗାନ୍ଧୀମାର୍ଗ ରଣକ୍ଷେତ୍ର ପାଲଟିଥିଲା‌। ଗାନ୍ଧୀମାର୍ଗରୁ ଆରମ୍ଭ ହୋଇଥିବା ହିଂସା ଚାହୁଁ ଚାହୁଁ ସାରା ସହରକୁ ମାଡ଼ି ଯାଇଥିଲା। ଦଳ ଦଳ ହୋଇ ସେମାନେ ସହରର ଗଳିକନ୍ଦି ଖେଦି ଯାଇ ହଙ୍ଗାମା କରିଥିଲେ। କେଉଁଠି ଗାଡ଼ି ଭାଙ୍ଗିଲେ, କେଉଁଠି ଲୋକଙ୍କୁ ପିଟିଲେ। କେଉଁଠି ରାସ୍ତା ଉପରେ ଧାରଣା ଦେଇ ଚକ ଅଖ ଜାମ୍‌ କରିଦେଲେ। ଚାରି ଆଡ଼ୁ ଏମିତି ଷଣ୍ଢୁଆସୀ ଆକ୍ରମଣ କଲେ ଯେ, ପୁଲିସ ଜଳକା ପାଲଟିଗଲା। ପୁଲିସ ଅଧିକାରୀମାନେ ଯେମିତି ସେମାନଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ ଏଭଳି ଅନୁମେୟ ହେଉଥିଲା। ନିକଟ ଅତୀତରେ ରାଜଧାନୀରେ ଏପରି ଘଟଣା ଘଟି ନ ଥିଲା।

ଗତବର୍ଷ ଅକ୍ଟୋବର ୨୯ ତାରିଖରେ ଡ୍ରାଇଭର ମହାସଂଘ ଭୁବନେଶ୍ବରରେ ହଜାର ହଜାର ଚାଳକଙ୍କୁ ଏକାଠି କରି ପ୍ରଶାସନକୁ ଟ୍ରେଲର ଦେଖାଇଥିଲା। ସେତେବେଳେ ଠେଙ୍ଗାବାଡ଼ି କିମ୍ବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିନଥିଲେ। ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି ଚାଲି ଯାଇଥିଲେ। ହେଲେ ଏଥର ପୂରା ଯୋଜନାବଦ୍ଧ ଭାବରେ ରାତି ଅଧିଆ ସହର ଭିତରେ ପ୍ରବେଶ କରି ହଙ୍ଗାମା କରିଥିଲା। ବଡ଼କଥା ହେଉଛି, ଏତେ ଗୁଡ଼ାଏ ଲୋକ ଶହ ଶହ ଗାଡ଼ିରେ ରାତିଅଧିଆ ଠେଙ୍ଗାବାଡ଼ି ସହ ପ୍ରବେଶ କଲେ। ପ୍ରବେଶ ପଥମାନଙ୍କରେ ପୁଲିସର ପହରା ଥିବା ସତ୍ତ୍ବେ ସେମାନେ କିଭଳି ପ୍ରବେଶ କରିବାର ସୁଯୋଗ ପାଇଲେ? ଗୁଇନ୍ଦା ଫେଲ୍‌ ମାରିଲା ନା ସେମାନଙ୍କୁ ବଳ ଦେଖାଇବା ପାଇଁ ଭିତିରି ବୁଝାମଣା ହୋଇଥିଲା? ଲକ୍ଷାଧିକ ଲୋକଙ୍କୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପାଇଁ କିଏ ଅନୁମତି ଦେଇଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ପୁଲିସର ପାରିବା ପଣିଆକୁ ପଦା‌ରେ ପକାଇଛି। କେବଳ ସେତିକି ନୁହେଁ, ନବ ନିର୍ମାଣ କୃଷକ ସଂଗଠନ ବା ଚାଷୀ, କଂଗ୍ରେସ, ବିଜେପି ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ ଯିଏ ଯେତେବେଳେ ରାଜଧାନୀରେ ଆନ୍ଦୋଳନ ବେଳେ ବିଶୃଙ୍ଖଳିତ ହୋଇଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଆଜି ପୁଲିସ ହାତଟେକିଦେଲା ଭଳି ନିରବ ରହିଲା କାହିଁକି? କୌଣସି ଅଦୃଶ୍ୟ ନିର୍ଦେଶ ଥିଲା କି? ଆଜିର ଘଟଣା ରାଜନୈତିକ ଦଳ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ତାଜୁବ୍ କରିଛି।

ଗତ ବର୍ଷ ଅକ୍ଟୋବର ମାସରେ ରାଜ୍ୟ ଚାଳକ ମହାସଂଘ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ୧୦ ଦଫା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଫେରି ଯାଇଥିଲେ। ସେତେବେଳେ ପ୍ରାୟ ୧୦ ହଜାର ଚାଳକ ଏଠାରେ ଏକାଠି ହୋଇଥିଲେ। କିନ୍ତୁ ଦାବି ପୂରଣ ନ ହେବାରୁ ସେମାନେ ଯୋଜନାବଦ୍ଧ ଭାବରେ ଲକ୍ଷାଧିକ ଲୋକଙ୍କୁ ଏକାଠି କରି ଭୁବନେଶ୍ବରରେ ପ୍ରବେଶ କରିଥିଲେ। ରାତିରୁ ଭୁବନେଶ୍ବର ପହଞ୍ଚିଯାଇଥିବାରୁ ସକାଳ ୯ଟା ବେଳୁ ସେମାନେ ଏକାଠି ହୋଇ ବିକ୍ଷୋଭ ଆରମ୍ଭ କରିବା ସହଜ ହୋଇଥିଲା। ଗାନ୍ଧୀମାର୍ଗକୁ ଯାଇଥିବା ପ୍ରତ୍ୟେକ ରାସ୍ତାକୁ ଏମାନେ ପ୍ରଥମେ କବ୍‌ଜା କରିଥିଲେ। ବିଭିନ୍ନ ଛକରୁ ଦଳ ଦଳ ହୋଇ ଏମାନେ ଶୋଭାଯାତ୍ରାରେ ଗାନ୍ଧୀମାର୍ଗକୁ ଅଗ୍ରସର ହୋଇଥିଲେ। ଏମାନଙ୍କ ପଟୁଆରରେ ପୂରା ରାସ୍ତା ଜାମ୍‌ ହୋଇ ଯାଇଥିଲା। ଏମାନେ ଯେଉଁ ରାସ୍ତାରେ ଯାଉଥିଲେ ସେହି ରାସ୍ତାରେ ଅନ୍ୟ ସାଧାରଣ ଲୋକଙ୍କ ଯିବା ସମ୍ଭବ ନଥିଲା। ଫଳରେ ରାଜମହଲରୁ ମାଷ୍ଟର କ୍ୟ‌ାଣ୍ଟିନ୍‌, ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ପୂରା ଜନପଥରେ ଗାଡ଼ି ଚଳାଚଳ ଠପ୍‌ ହୋଇ ଯାଇଥିଲା। ସେଥିରେ ଯିଏ ଫସିଥିଲା ତ୍ରାହି ତ୍ରାହି ଡାକୁଥିଲା। ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜନପଥରେ ଏଭଳି ଏକ ଅଚଳାବସ୍ଥା ଜାରି ରହିଥିଲା।

ସେମାନେ ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ମଧ୍ୟ ଏହି ରାସ୍ତା ସବୁ ଜାମ୍‌ ରହିଥିଲା। ଲୋୟର ପିଏମ୍‌ଜିରେ ପୁଲିସ ସହ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ସମସ୍ତଙ୍କ ହାତରେ ସମାନ୍‌ ଧରଣର ଠେଙ୍ଗା ଥିଲା। ସେଠାରେ ଯାହା ଗାଡ଼ି ଥିଲା ସେମାନେ ପିଟି ପିଟି ଭାଙ୍ଗିଥିଲେ। ପ୍ରାୟ ଦୁଇଟି ଗାଡ଼ିକୁ ସେମାନେ ଭାଙ୍ଗି ଦେବା ସହ ଚାଳକକୁ ପିଟିଥିଲେ। ବାରି‌କେଡ୍‌ ଉପରେ ଚଢ଼ି ଡେଇଁବାକୁ ଉଦ୍ୟମ କରିଥିଲେ। ସେଠାରୁ ଏକ ଦଳ ନବୀନ ନିବାସ ମୁହାଁ ହୋଇଥିବାରୁ ନବୀନ ନିବାସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲା। ରାଜମହଲ ଠାରୁ ଶିଶୁ ଭବନ ପର୍ଯ୍ୟନ୍ତ ପୁଲିସ ଛାଉଣୀ ହୋଇ ଯାଇଥିଲା। ତେବେ ହଜାର ହଜାର ବିକ୍ଷୋଭକାରୀ ଶିଶୁଭବନ ଛକ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଅଟକାଇବାକୁ ସକ୍ଷମ ହୋଇଥିଲା। ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନାରୁ ଫେରିବା ପରେ ଅପରାହ୍ନରେ ମଧ୍ୟ ସେମାନେ ବାଣୀବିହାର ନିକଟରେ ବେଆଇନ ଭାବରେ ଗାଡ଼ି ଅଟକାଇଥିଲେ। ଫଳରେ ଘଣ୍ଟା ଘଣ୍ଟା ଧରି ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଗାଡ଼ି ପିଟି ଭାଙ୍ଗିବା ଘଟଣାକୁ ନେଇ ମହାସଂଘ କହିଛି ଯେ ଯେଉଁ ଲୋକ ପିଟାପିଟି କରିଛନ୍ତି ସେମାନେ ଆମ ଲୋକ ନୁହନ୍ତି। କିଛି ଅସାମାଜିକ ବ୍ୟକ୍ତି ଆମ ୟୁନିଫର୍ମ ପିନ୍ଧି ଏଭଳି କାଣ୍ଡ କରିଛନ୍ତି।

ଶେଷରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ଦଳ ଭେଟି ୧୦ ଦଫା ଦାବି ପୂରଣ ନେଇ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ମହାସଂଘ ଆନ୍ଦୋଳନରୁ ଓହରିଥିବା ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଥିଲେ। ତେବେ ରାଜ୍ୟ ସରକାର ଆଜି ଯେବେ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କଲେ, ପୂର୍ବରୁ ଏ ନେଇ ତତ୍ପରତା କାହିଁକି ପ୍ରକାଶ କରାଗଲା ନାହିଁ, ତାହା ବି ବୁଝାପଡି଼ଲା ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଚାଳକମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ରାସ୍ତାରେ ଗାଡ଼ି ପାର୍କିଂ ଓ ଚାଳକଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା, ୫୫ ବର୍ଷ ପରେ ପେନ୍‌ସନ୍‌, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା, ଅକର୍ମଣ୍ୟ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା, ଆହତଙ୍କ ଚିକିତ୍ସା ପାଇଁ ୫ ଲକ୍ଷର ବୀମା, ଦ୍ବିତୀୟ ସୈନିକ ମାନ୍ୟତା, ୫ଲକ୍ଷ ଗୃହ ନିର୍ମାଣ ସହାୟତା, ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ପ୍ରଭୃତି ୧୦ଦଫା ଦାବି ନେଇ ଚାଳକ ମହାସଂଘ ବିକ୍ଷୋଭ କରିଥିଲା।
ଏ ନେଇ ଭୁବନେଶ୍ବର ଡିସିପି ଉମା‌ଶଙ୍କର ଦାଶ କହିଛନ୍ତି ଯେ ଆଜିର ବିକ୍ଷୋଭ ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ୧୨ ଜଣଙ୍କୁ ଅଟକ ରଖାଯିବା ସହ ଏକାଧିକ ମାମଲା ରୁଜୁ କରାଯାଇଛି। ଗୁଇନ୍ଦା ଫେଲ୍‌ ମାରିନାହିଁ। ଆମ ପାଖରେ ଖବର ଥିଲା।

 

ଘରୋଇ ଡ୍ରାଇଭରଙ୍କ ଦାବି ତିନି ମାସରେ ପୂରଣ ହେବ: ପରିବହନ ମନ୍ତ୍ରୀ

ଦାବି ପୂରଣ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି: ଶ୍ରମ ମନ୍ତ୍ରୀ

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧାସୁଯୋଗ ଅନୁସାରେ ଆମେ ରାଜ୍ୟରେ ତାହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ତିନିମାସ ମଧ୍ୟରେ ଦାବିଗୁଡ଼ିକୁ ପୂରଣ କରିବା ନେଇ ପଦକ୍ଷେପ ନିଆଯିବ।

ସେହିପରି ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ଅନ୍ତଃବିଭାଗ କମିଟି ଗଠନ ହେବ। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ପରିବହନ, ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ। ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ ଡ୍ରାଇଭରମାନଙ୍କ ପାଇଁ ଥିବା ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଗୁଡ଼ିକ ଅନୁଧ୍ୟାନ କରିବେ। ଏହାପରେ ଏକ ଆଦର୍ଶ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ଏହି ପ୍ରକ୍ରିୟା ତିନି ମାସ ମଧ୍ୟରେ ଶେଷ ହେବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।

ଏହାବାଦ୍ ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବାକୁ ପୁଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କର ନୂତନ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ନବୀକରଣ କରିବା ନେଇ ପରିବହନ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ପୂର୍ଣ୍ଣ ସହ‌ଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ବୈଠକରେ କଟକ ମେୟର ସୁବାସ ସିଂହ, ଏଡିଜି(ଆଇନଶୃଙ୍ଖଳା) ଆର୍‌.କେ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍‌, ପରିବହନ କମିସନର ଅରୁଣ ବୋଥ୍ରା, ଶ୍ରମ କମିସନର ଏନ୍‌.ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିସନର ଏନ୍‌.ମିଶାଲ, ଡିଏଲ୍‌ସି ବି.ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର