ଅନନ୍ତ ଦାସ ଅସୁସ୍ଥ, ଆପୋଲୋରେ ଭର୍ତ୍ତି

ବାଲେଶ୍ବର/ଭୋଗରାଇ/ଉଦୟପୁର: ଭୋଗରାଇ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନନ୍ତ ଦାସ (୮୩) ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦୁଇଦିନ ହେଲା ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଥିଲା। ଆଜି ଅପରାହ୍‌ଣ ୪ଟାରେ ଶ୍ରୀ ଦାସଙ୍କୁ ଆଇସିୟୁରୁ ୪୦୪ ନମ୍ବର କ୍ୟାବିନ୍‌କୁ ଅଣାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ବୁଧବାର କିମ୍ବା ଗୁରୁବାର ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର କହିଥିବା ବଡ଼ପୁଅ ବିଶ୍ବଜିତ ଦାସ ସୂଚନା ‌ଦେଇଛନ୍ତି। ଉଲ୍ଲେଖ ଥାଉକି ବିଧାୟକ ଶ୍ରୀ ଦାସ ଗତ ରବିବାର ଦିନ ବାଲେଶ୍ବର ସହର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟସ୍ଥ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ଆଇସିୟୁରୁ ବାହାରିବା ପରେ ଶ୍ରୀ ଦାସଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ସହ ବହୁ ବରିଷ୍ଠ ନେତୃବୃନ୍ଦ ଡାକ୍ତରଖାନାରେ ଭେଟି ଆଶୁଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର