ନକ୍ସଲ ଅପବାଦର ଗଁା ଏବେ ସବୁଠୁ ଶିକ୍ଷିତ, ଦୃଢ଼ ଇଚ୍ଛାଶକ୍ତି ବଦଳାଇଲା ଚିତ୍ର

ରା.ଉଦୟଗିରି: ଯେତେ ପ୍ରତିକୂଳ ପରିସ୍ଥିତି ଥିଲେ ମଧ୍ୟ ପ୍ରବଳ ଇଚ୍ଛାଶକ୍ତି ସବୁ ବାଧାବିଘ୍ନକୁ ଦୂର କରିଦିଏ। ଏଭଳିକି ଦିନେ ନକ୍ସଲ ଅପବାଦ ମୁଣ୍ଡାଇ ଆସିଥିବା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ଉଦୟପୁର ଓ ପରିମଳ ପଞ୍ଚାୟତବାସୀ ଆଜି ବହୁ ଶିକ୍ଷିତଙ୍କୁ ସୃଷ୍ଟି କରି ସମାଜର ମୁଖ୍ୟସ୍ରୋତରେ ପ୍ରମୁଖ ଭୂମିକା ନେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୦୬ ମାର୍ଚ୍ଚ ୨୪ ତାରିଖରେ ରା.ଉଦୟଗିରି ଜେଲ୍‌ ଓ ଥାନା ଉପରେ ହୋଇଥିଲା ନକ୍ସଲ ଆକ୍ରମଣ ଓ ଦୁଇ ଅଫିସରଙ୍କୁ ଅପହରଣ ଘଟଣା। ସେତେବେଳେ ଏହି ପଞ୍ଚାୟତର କିଛି ଗ୍ରାମବାସୀ ଏହି ଘଟଣାରେ ସାମିଲ୍‌ ଥିବା ନେଇ ପୁଲିସ ଅଭିଯୋଗ ଦାୟର କରିଥିଲା। ବିଶେଷକରି, ଦୁମୁକୁଳି ଓ କାକତବନ୍ଧା ଗ୍ରାମର ଲୋକେ ସବୁଠୁ ଅଧିକ କୁଖ୍ୟାତି ମୁଣ୍ଡାଇଥିଲେ। ତା’ପରଠାରୁ ଏହି ସବୁ ଗ୍ରାମଗୁଡ଼ିକ ଉପରେ ନିୟମିତ ବ୍ୟବଧାନରେ ପୁଲିସ ଚଢ଼ଉ ହେଉଥିଲା, ଯାହା ଏବେ ବି ମଝିରେ ମଝିରେ ଜାରି ରହିଛି। ନକ୍ସଲ ଅଭିଯୁକ୍ତ ତାଲିକାରେ ଅଭିଯୁକ୍ତ ଥିବା କିଛିଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି, ଆଉ କେତେଜଣ ଆତ୍ମସମର୍ପଣ କରିଥିଲେ। ସଦ୍ୟ ଘଟଣା ମୁତାବକ, ୨୦ଦିନ ତଳେ ଦୁମୁକୁଳି ଗ୍ରାମର ସମ୍ବରା ରଇତ ଆତ୍ମସମର୍ପଣ କରି ବର୍ତ୍ତମାନ ରା.ଉଦୟଗିରି ଜେଲ୍‌ରେ।

ହେଲେ, ଏହି ଘଟଣା ପରେ କାକତବନ୍ଧା ଓ ଦୁମୁକୁଳି ଗ୍ରାମବାସୀ ନିଜ ପିଲାଙ୍କୁ ଶିକ୍ଷିତ କରାଇ ନକ୍ସଲ ଇଲାକା ଦୁର୍ନାମରୁ ଭବିଷ୍ୟତ ପିଢ଼ିକୁ ମୁକ୍ତ କରିବା ସକାଶେ ପଣ ନେଇଥିଲେ। ଆଜି କେବଳ କାକତବନ୍ଧା ଗ୍ରାମରୁ ବାହାରିଛନ୍ତି ୮ଜଣ ମାଟ୍ରିକ ପଢୁଆ, ୩ ଜଣ ଯୁକ୍ତ ଦୁଇ ଓ ୨ ଜଣ ଯୁକ୍ତ ତିନି ପାଠ ଡିଗ୍ରୀଧାରୀ। ଏମାନଙ୍କ ମଧ୍ୟରୁ କିଛିଯୁବକ ଗ୍ରାମରେ ଟ୍ୟୁସନ କରି ଅନ୍ୟ ପିଲାଙ୍କୁ ଶିକ୍ଷିତ କରୁଥିବା ବେଳେ ଆଉ କିଛି ଜୀବନଜୀବିକା ନିମନ୍ତେ ଠିକାଦାରି ସହ କୃଷି କର୍ମ ଓ ଅନ୍ୟାନ୍ୟ ପେସାରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଡୁମୁକୁଳି, କାକତବନ୍ଧା, ରୁବୁଡ଼ିସିଙ୍ଗ, ଓଡ଼ିଆପଦର, ଅନୁସାହି, ମାଣ୍ଡଡ଼ାପଡ଼ା, ଗେରେଗେ, ସୁନ୍ଦରବାଡ଼, ଖଜୁରୀପଦା, ଲାକିଝୁଲ ଗ୍ରାମର ଏଲିଶାୟ ଶବର, ଜୋନେସ ରଇତ, ଜିତୁ ପ୍ରଧାନ, ବିକାଶ ନାୟକ, ଜିଖରୀୟ ରଇତ, ବବଲୁ ନାୟକ, ମାମାଲି ନାୟକ, ସୁଜ୍ଞାବତୀ ମାଝୀ, ମୋଜେସ ଦଳବେହେରା, ସୁମନ୍ତ ରଇତ, କୈଳାସ ରଇତ, ସୁନଜ ରଇତ, ବାଳକୃଷ୍ଣ ପ୍ରଧାନ ଓ ମଶା ଦଳବେହେରା ଗାଁର ଆଦର୍ଶ ପାଲଟିଛନ୍ତି।

ବର୍ତ୍ତମାନ, ଅଞ୍ଚଳବାସୀ ନିଜ ମୁଣ୍ଡ ଉପରୁ ନକ୍ସଲ ଅପବାଦ ହଟାଇ ଦେଇଛନ୍ତି। ପିଲାଙ୍କୁ ଶିକ୍ଷିତ କରିବାରେ ସକ୍ଷମ ହୋଇଛନ୍ତି। ତେବେ, ସେମାନଙ୍କ ଜୀବନଜୀବିକା ନିମନ୍ତେ ସରକାର କ’ଣ କରିଛନ୍ତି ବୋଲି ଆଜି ପ୍ରଶ୍ନ କରୁଛନ୍ତି। ୭୦ ବର୍ଷ ହେଲା ସାରଳାପଦର ଠାରୁ ୨୫ କିମି. ଭଲ ପିଚୁ ରାସ୍ତାଟିଏ ପାଇଁ ନେହୁରା ହେଉଥିଲେ ହେଁ କେହି ଦୃଷ୍ଟି ଦେଉନାହାନ୍ତି। କେବଳ, ନିର୍ବାଚନ ଆସିଲେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ରାଜନୀତି କରୁଥିବା ଲୋକଙ୍କୁ ଏଥର ଅଞ୍ଚଳକୁ ପୂରାଇ ନ ଦେବା ପାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର