ନିଯୁକ୍ତି ଦାବି‌ରେ ଟ୍ରେନ୍‌ ଅଟକାଇଲେ ଯୁବତୀ

ତାଳଚେର: ନିଯୁକ୍ତି ଦାବିରେ ଆଜି ତାଳଚେର ରେମୁଆଁ ଅଞ୍ଚଳରେ ଜଣେ ଯୁବତୀ ମାଲବାହୀ ଟ୍ରେନ୍‌କୁ ଅଟକାଇଛନ୍ତି। ଏନ୍‌ଟିପିସି ପକ୍ଷରୁ ତାଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବାପରେ ଯୁବତୀ ଧାରଣାରୁ ହଟିଥି‌ବା ଏବଂ ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ରେମୁଆଁ ଅଞ୍ଚଳର ଦୀପା ନାଏକ (୨୨)ଙ୍କ ପୈତୃକ ଜମିକୁ ଏନ୍‌ଟିପିସି ପକ୍ଷରୁ ଅଧିଗ୍ରହଣ କରାଯାଇ ରେଳଧାରଣା ନିଆଯାଇଛି। ମାତ୍ର, ତାଙ୍କୁ କ୍ଷତିପୂରଣ ଦିଆନଯାଇ ବଳପୂର୍ବକ ରେଳଧାରଣା ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଏନ୍‌ଟିପିସି ବିରୋଧରେ ସେ ବାରମ୍ବାର ଆନ୍ଦୋଳନ କରିଥିଲେ। ଗତ କିଛିମାସ ତଳେ ଦୀପାଙ୍କୁ ଏନ୍‌ଟିପିସି ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ହେଲେ ନିଯୁକ୍ତି ପରେ ତାଙ୍କୁ ଉଚିତ୍‌ ପ୍ରାପ୍ୟ ଦିଆଯାଇନଥିଲା। ଏପରିକି ତାଙ୍କୁ ଜଙ୍ଗଲ ଜଗିବାକୁ ଡ୍ୟୁଟି ଦିଆ ଯାଇଥିଲା, ଯାହା ଜଣେ ଝିଅ ପକ୍ଷେ ସମ୍ଭବ ହୋଇ ନଥିଲା। ଏହାକୁ ବଦଳାଇବା ପାଇଁ ‌ସେ କହିଥିଲେ ବି ଏନ୍‌ଟିପିସି ଶୁଣି ନଥିଲା। ଆଜି ବାଧ୍ୟହୋଇ ଦୀପା, ତାଙ୍କ ବାପା କାର୍ତ୍ତିକ ନାଏକ (୫୫), ମା’ ଦମୟନ୍ତୀ ନାଏକ (୪୫) ପ୍ରମୁଖ ରେମୁଆଁ ଅଞ୍ଚଳରେ ନାଲି ପତାକା ଦେଖାଇ ଏକ ମାଲବାହୀ ‌ଟ୍ରେନ୍‌କୁ ସକାଳେ ଅଟକାଇଥିଲେ। ସକାଳ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ମାଲବାହୀ ଟ୍ରେନ୍‌ ଅଟକି ରହିଥିଲା। ରେଳବାଇ ପୁଲିସ୍‌ ଖବରପାଇ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଏନ୍‌ଟିପିସି ଅଧିକାରୀ ମଧ୍ୟ ସେମାନଙ୍କ ସହ ଆଲୋଚନା କରିବା ସହିତ ପୁନଃନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ଦୀପା ଧାରଣାରୁ ହଟିବା ସହିତ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର