କଟକରୁ ପାରାଦୀପ ଯାଏ ଦାମବାବୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର/କୁଜଙ୍ଗ: ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରି ଛାଡ଼ିଥିଲେ। ସବୁବେଳେ ଏକଥା କହି ଆସୁଥିବା ଡାକ୍ତର ଦାମୋଦର ରାଉତଙ୍କର ରାଜନୈତିକ ଜୟଯାତ୍ରା ଓ ବ୍ୟକ୍ତିଗତ ଆବେଗ ପାରାଦୀପ ସହ ଜଡିତ ହୋଇ ରହିଥିଲା। ୧୯୭୭ ମସିହାରେ ଏରସମା ବିଧାନସଭା ଆସନରୁ ନିଜର ରାଜନୈତିକ ବିଜୟ ହାସଲ କରି ପରବର୍ତ୍ତୀ ସମୟରେ ପୁନର୍ଗଠିତ ପାରାଦୀପ ଆସନରୁ ଲଗାତାର ଦୁଇ ଥର ବିଜୟ ହାସଲ କରିଥିଲେ ଦାମ ବାବୁ। ଦାମ ବାବୁ ବିଧାୟକ ଥିବାବେଳେ ୧୯୭୯ ମସିହାରେ ପାରାଦୀପ ଏନ୍‌ଏସି ମାନ୍ୟତା ଲାଭ କରିଥିଲା। ପରବର୍ତ୍ତୀ ସମୟରେ ୨୦୦୨ରେ ପାରାଦୀପ ପୌର ପରିଷଦ ହୋଇଥିଲା। ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ମଧ୍ୟ ତାଙ୍କ କାର୍ଯ୍ୟକାଳରେ ହୋଇଥିଲା। ପୁରୁଣା ଏରସମା ନିର୍ବାଚନମଣ୍ଡଳୀରୁ ସେ ୫ ଥର ନିର୍ବାଚିତ ହୋଇଥିବା ବେଳେ ନବଗଠିତ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟ ପାରାଦୀପରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ସେ ବିଜେପିରେ ସାମିଲ ହୋଇ ୨୦୧୯ରେ ନିଜର ଶେଷ ନିର୍ବାଚନ ଲଢିଥିଲେ। ବାଲିକୁଦା-ଏରସମାରୁ ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ।

ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ କହିଛନ୍ତି ଯେ ପାରାଦୀପ ସହରର ଉନ୍ନତୀକରଣ ଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ଶିଳ୍ପ ପାଇଁ ପରିବେଶ ସୃଷ୍ଟି କରିବା, ବନ୍ଦରାଞ୍ଚଳ ଉନ୍ନୟନ, ଶିକ୍ଷା ଆଦି ସବୁ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ଓ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ସେହିପରି ପାରାଦୀପ ବେଳାଭୂମିରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରାର କୋର୍‌ କମିଟି ସଦସ୍ୟ ମାୟାଧର ରାଉତ କହିଛନ୍ତି, ୧୯୯୧ରେ ପାରାଦୀପ ବନ୍ଦରରୁ ଜଣେ ଯୁବତୀଙ୍କ ନେତୃତ୍ବରେ ଏକ ଟିମ୍ ଇଣ୍ଡୋନେସିଆ ଯାତ୍ରା କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପର ବର୍ଷ ଠାରୁ ଅର୍ଥାତ୍ ୧୯୯୨ରେ ସମୁଦ୍ର ବେଳାଭୂମିରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହୋଇଥିଲା। ସେବେଠାରୁ ବାଲିଯାତ୍ରା ହୋଇଆସୁଛି। ବାଲିଯାତ୍ରା ଆୟୋଜନରେ ଦାମ ରାଉତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଓ ତାଙ୍କର ସେଥିପ୍ରତି ପ୍ରମୁଖ ଅବଦାନ ରହିଥିଲା।

ଆଜି ଦାମ ବାବୁଙ୍କ ମରଶରୀରକୁ ଭୁବନେଶ୍ବରରୁ କଟକ-ପାରାଦୀପ ରାସ୍ତାରେ ପାରାଦୀପ ନିଆଯାଇଥିଲା। ପ୍ରଥମେ ତାଙ୍କୁ କଟକର ଓଏମପି ଛକ ନିକଟରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେଠାରେ ନିରାମୟ ଉ‌ପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ପ୍ରକାଶ ଦାସ, ଚିରଂଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ତାଙ୍କ ମରଶରୀରକୁ ତିର୍ତ୍ତୋଲ ସ୍ଥିତ ବାସଭବନକୁ ‌ନିଆଯାଇ ସେଠାରେ କିଛି ସମୟ ପାଇଁ ରଖାଯାଇଥିଲା। ଏହି ବାସ ଭବନରେ ତାଙ୍କର ଜୀବନର ସେ ଗୁରୁତ୍ବପୂର୍ଣ୍ଣ ସମୟ ଅତିବାହତି କରିଛନ୍ତି। ଅଞ୍ଚଳର ରାଜନୀତିକୁ ପ୍ରାୟତଃ ସେ ଏହିଠାରୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ତାଙ୍କୁ ଏରସମା, ତିର୍ତୋଲ ଅଞ୍ଚଳର ବହୁ ସହକର୍ମୀ, ଦଳୀୟ କର୍ମୀ, ଶୁଭେଚ୍ଛୁ ମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରଘୁନାଥପୁର, ତିର୍ତ୍ତୋଲ, ମଣିଜଙ୍ଗା, ରାହାମା, ପଙ୍କପାଳ, କୁଜଙ୍ଗ, ପାରାଦୀପ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ କର୍ମୀ, ସମର୍ଥକ, ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପାରାଦୀପ ଅଠରବାଙ୍କୀ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ ବଡ଼ପଡ଼ିଆସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ୍‌ ଟ୍ରଷ୍ଟ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଉପାଧ୍ୟକ୍ଷା, ସମସ୍ତ କାଉନ୍‌ସିଲରଙ୍କ ସମେତ ଶ୍ରମିକ ନେତା, ବିଭିନ୍ନ ସଙ୍ଗଠନରେ ନେତା, ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ଅଜୟ କୁମାର ଦାସ, ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ, ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଡାକ୍ତର ରାଉତଙ୍କ ମର ଶରୀରକୁ ଷଣ୍ଢକୁଦ ନିଆଯାଇଥିଲା। ସେଠାରେ ମଧ୍ୟ କର୍ମୀ, ସମର୍ଥକ, ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହା ପରେ ଢିଙ୍କିଆ, ନୂଆଗାଁ ଦେଇ ମରଶରୀରକୁ ତାଙ୍କ ପୈତୃକ ଗାଁ ଏରସମା ମଲ୍ଲିପୁରକୁ ନିଆଯାଇଥିଲା। ଶେଷରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର