ପୁଣି ପ୍ରତିବନ୍ଧକ ସାଜିଲା ମେଘୁଆ ପାଗ: ଅବତରଣ ନକରି ଚାଲିଗଲା ବିମାନ

ଜୟପୁର : ଖରାପ ପାଗ ଯୋଗୁ ଆଜି ଭୁବନେଶ୍ବରରୁ ଯାତ୍ରୀଙ୍କୁ ନେଇ ଆସିଥିବା ଇଣ୍ଡିଆ ୱାନ୍‌ ଏୟାର କଂପାନିର ବିମାନ ଜୟପୁର ଏୟାରପୋର୍ଟରେ ଅବତରଣ କରିପାରିନି। ଆକାଶରେ ଚକ୍କର କାଟିବା ପରେ ଯାତ୍ରୀଙ୍କୁ ନେଇ ପୁଣି ଭୁବେନଶ୍ବର ଫେରିଯାଇଥିଲା। ଅନ୍ୟପକ୍ଷରେ ବିଶାଖାପାଟଣା ଓ ଭୁବନେଶ୍ବର ଯାତ୍ରା କରିବାକୁ ଅପେକ୍ଷା କରିଥିବା ଯାତ୍ରୀ ନିରାଶ ହୋଇଛନ୍ତି। ଗତ ୧୫ଦିନ ମଧ୍ୟରେ ପଞ୍ଚମ ଥର ପାଇଁ ଖରାପ ପାଗ ଯୋଗୁ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। ପୂର୍ବରୁ ବୈଷୟିକ କାରଣରୁ ବି ଏକାଧିକ ଥର ବିମାନ ଚଳାଚଳକୁ ବାତିଲ କରାଯାଇଛି।

ନିର୍ଦ୍ଧାରିତ ସମୟରେ ଯାତ୍ରୀଙ୍କୁ ନେଇ ଆଜି ଭୁବନେଶ୍ବର ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା ଇଣ୍ଡିଆ ୱାନ୍‌ ଏୟାର ବିମାନ। କିନ୍ତୁ ଜୟପୁର ପହଞ୍ଚିବା ପୂର୍ବରୁ ସାମାନ୍ୟ ବର୍ଷା ହୋଇ ଛାଡ଼ି ଯାଇଥିବା ବେଳେ ଆକାଶ ମେଘୁଆ ରହିଥିଲା। ତଥାପି ଜୟପୁରରେ ଅବତରଣ ପାଇଁ ପାଇଲଟ୍‌ ଅନୁମତି ମାଗିଥିଲେ। ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇନଥିଲେ। ତଥାପି ପାଗ ଠିକ୍‌ ହେବାକୁ ଅପେକ୍ଷା କରିଥିଲେ ପାଇଲଟ୍‌। ଆକାଶରେ ପ୍ରାୟ ୬ଥର ଚକ୍କର କାଟିଥିବା ବେଳେ ଇନ୍ଧନକୁ ଦୃଷ୍ଟିରେ ରଖି ପାଇଲଟ୍‌ ଦିଗ ବଦଳାଇବାକୁ ବାଧ୍ୟ ହୋଇଥିଲେ। ଭୁବନେଶ୍ବରରୁ ଆସିଥିବା ଯାତ୍ରୀଙ୍କୁ ପୁଣି ଭୁବନେଶ୍ବର ନେଇ ଚାଲିଯାଇଥିଲେ। ବିଶାଖାପାଟଣା ଯାତ୍ରା କରିବାକୁ ଏୟାରପୋର୍ଟରେ ଉପସ୍ଥିତ ଥିବା ଯାତ୍ରୀ ପ୍ରଥମେ କିଛି ବୁଝିପାରି ନଥିଲେ। ଆଜି ବିଶାଖାପାଟଣା ଅଭିମୁଖେ ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ଦିଆଯିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ଜୟପୁରରୁ ଭୁବନେଶ୍ବର ଯାତ୍ରା କରିବାକୁ ପୂର୍ବରୁ ଟିକେଟ୍‌ କରିଥିବା ଯାତ୍ରୀ ଶେଷ ମୁହୂର୍ତ୍ତରେ ବିମାନ ସେବା ବାତିଲ ଖବର ଶୁଣି ନିରାଶ ହୋଇଥିଲେ। ଏପରିକି କିଛି ଯାତ୍ରୀ ଏୟାରପୋର୍ଟରେ ପାଟିତୁଣ୍ଡ କରିଥିଲେ। ସେମାନଙ୍କୁ ସୁରକ୍ଷା କର୍ମୀ ବୁଝାସୁଝା କରିବାରୁ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର