ନାଗାବଳୀ ପାଲଟିଛି ଦୁଃଖ, ଆନ୍ଧ୍ରରେ ମିଶିବା ନେଇ ଚେତାବନୀ ଦେଲେ ଖିଲମିସଗୁଡ଼ାବାସୀ

ସୀମାନ୍ତରେ ମୌଳିକ ସୁବିଧା ସାତସପନ

ରାୟଗଡ଼ା: ଦୁର୍ଗମ ସୀମାନ୍ତ ଗ୍ରାମଗୁଡିକରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା। ପହଞ୍ଚୁ ନାହିଁ ମୌଳିକ ସୁବିଧା। ଲୋକେ ଓଡ଼ିଶା ସରକାରଙ୍କର ସେବା ପାଇବାରୁ ବଞ୍ଚିତ ହେବା ପରେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଗ୍ରାମ ହେଉଛି ରାୟଗଡ଼ା ଜିଲ୍ଲାର ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବା କେରେଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖିଲମିସଗୁଡ଼ା। ଏହି ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଆଖପାଖର ୧୦ରୁ ୧୨ଟି ଗ୍ରାମର ପାଖାପାଖି ୫୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଗତ ୧୯୯୩ ମସିହା ନଭେମ୍ବର ୨୨ ତାରିଖରେ ଏଠାରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା। ୧୯୯୭ ମସିହା ସେପ୍ଟେମ୍ବର ୧୦ ତାରିଖରେ କାର୍ଯ୍ୟ ଶେଷ କରାଯାଇ ସ୍ଵାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ବୋଲି ସରକାରୀ ତଥ୍ୟ କହୁଛି।

ଦୁର୍ଭାଗ୍ୟର ବିଷୟ ଆରମ୍ଭରୁ ଆଜି ପର୍ଯନ୍ତ ଦୁଇ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନଟିଏ ବି ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରିଲେ ନାହିଁ। ତେବେ ଏଠାରେ ୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହି କେବଳ ମୁକଶାଖୀ ପାଲଟିଛି। ଏଠାରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ର କାହା ସ୍ୱାର୍ଥରେ ନିର୍ମାଣ କରାଯାଇଥିଲା ବୋଲି ପ୍ରଶ୍ନ କରାଯାଇଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଏବେ ଭୁତ କୋଠି ପାଲଟିଛି। ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ ସେବା ନପାଇବାରୁ ଲୋକେ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶର ନେଲୁର ସହରକୁ ଯାଇ ନିଜର ଚିକତ୍ସା କରାଉଛନ୍ତି। ଆନ୍ଧ୍ର ମଧ୍ୟ ଏହି ସୁଯୋଗକୁ ହାତ ଛଡା କରୁନାହିଁ। ଲୋକେ ଆନ୍ଧ୍ର ଉପରେ ଯେତେ ନିର୍ଭର କରିବେ ସେତେ ନିକଟତର ହେବେ।


କେବଳ ସ୍ବାସ୍ଥ୍ୟ ସେବା ହିଁ ଗ୍ରାମବାସୀ ପାଇପାରୁନାହାନ୍ତି, ତାହା ନୁହେଁ ମୌଳିକ ସୁବିଧା ବି ଲୋକେ ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି। ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା। ଲୋକେ ଚୁଆ ପାଣି ଉପରେ ନିର୍ଭର କରି ବର୍ଷ ତମାମ ଚଳୁଛନ୍ତି। ଆଜି ବି ଲୋକେ ବର୍ଷା ଦିନେ ଜଳବନ୍ଦୀ ଜୀବନ ବାତାଉଛନ୍ତି। ନାଗାବଳୀ ନଦୀ ଏହି ଗ୍ରାମକୁ ବାଟ ଓଗାଳୁଛି। ନଦୀ ଉପରେ ସେତୁ ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ସରକାରଙ୍କ ତରଫରୁ ଏଠାରେ ଏକ ସେତୁ ଦୀର୍ଘ ବର୍ଷ ହେଲା ନିର୍ମାଣଧୀନ ଚାଲିଥିଲେ ମଧ୍ୟ ଏହା ସମାପ୍ତ ହେବାର ନାମ ନେଉନାହିଁ। ଠିକାଦାର ବଦଳୁଛନ୍ତି ସିନା ସେତୁ ନିର୍ମାଣ କାର୍ଯ୍ୟ ସରୁନଥିବା ଗ୍ରାମବାସୀ କହିଥିଲେ। ଦୁର୍ଗମ ଅଂଚଳ ହୋଇଥିବାରୁ ସରକାରୀ ବାବୁଙ୍କ ପାଦ ପଡେ ନାହିଁ, ଯାହାଫଳରେ ଲୋକେ ପଡ଼ୋଶୀ ଆନ୍ଧ୍ର ଉପରେ ହିଁ ନିର୍ଭର କରନ୍ତି।

ଏଠାରେ ନା ଅଛି ଗମନା ଗମନ ନିମନ୍ତେ ସେତୁ, ନା ଅଛି ପାନୀୟ ଜଳ ବ୍ୟବସ୍ଥା, ନା ମିଳୁଛି ଉତ୍ତମ ସ୍ୱସ୍ଥ୍ୟ ସେବା। ସମସ୍ତ ମୌଳିକ ସୁଖ ସୁବିଧାରୁ ବଞ୍ଚିତ ହୋଇ ଦୀର୍ଘ ବର୍ଷ ଧରି ଭାଗ୍ୟକୁ ଆଦରି ଏଠାରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି ଅଞ୍ଚଳବାସୀ। ବର୍ଷା ଦିନ ଆସିଲେ ଏହି ଦୁର୍ଗମ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ପାଲଟୁଛି। ନିଜର ଆବଶ୍ୟକୀୟ ଜିନିଷ ଆଣିବା ହେଉ କିମ୍ବା ସ୍ୱାସ୍ଥ୍ୟ ସେବା ଜନିତ ସମସ୍ୟା ହେଉ ଜୀବନକୁ ବାଜି ଲଗାଇ ବାଟ ଓଗାଳୁ ଥିବା ନାଗାବଳୀର ଭରା ନଦୀ ପାରି ହେବାକୁ ପଡିଥାଏ ବୋଲି ଗ୍ରାମବାସୀ କହନ୍ତି। ଏବେ ଖିଲମିସଗୁଡା ଗ୍ରାମ ସହ ଅନ୍ୟ ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରୁ ହେମନ୍ତ ଜିଲ୍ଲାକାରା, ମୁଶ୍ରୀ ପୁଆଲା, ରୁପା ଝିଲକାରା ପ୍ରମୁଖ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅବହେଳାରେ ଅତିଷ୍ଠ ହୋଇ ଆନ୍ଧ୍ରପ୍ରଦେଶରେ ମିଶି ଯିବା ନିମନ୍ତେ ଚେତାବନୀ ଦେଇଛନ୍ତି।

ରାଜ୍ୟ ସରକାର ଦୁର୍ଗମ ଅଂଚଳବାସୀଙ୍କ ସ୍ବାସ୍ଥ୍ୟ ସେବା, ଗମନାଗମନ, ପାନୀୟ ଜଳ ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରୁଥିଲେ ମଧ୍ୟ ସୀମାନ୍ତ ଗ୍ରାମର ଲୋକଙ୍କୁ ଆଜି ବି ଅବହେଳା ପ୍ରଦର୍ଶନ କରାଯାଉଛି। ଘର ଓଡ଼ିଶାରେ ହୋଇଥିଲେ ମଧ୍ୟ ଏମାନେ ପଡ଼ୋଶୀ ଆନ୍ଧ୍ର ଉପରେ ହିଁ ନିର୍ଭର କରୁଛନ୍ତି। ଏହି ଗ୍ରାମଗୁଡିକରେ ଆନ୍ଧ୍ରର ଛାପ ଦେଖିବାକୁ ମିଳେ। ଲୋକେ ଓଡ଼ିଆ ବଦଳରେ ତେଲୁଗୁରେ କଥା ହେବାକୁ ପସନ୍ଦ କରନ୍ତି। ଆନ୍ଧ୍ର ସରକାର ମଧ୍ୟ ଓଡ଼ିଶାର ଅବହେଳାକୁ ପାଥେୟ କରି ଏଠାରେ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି। କୋରାପୁଟର କୋଟିଆ ଭଳି ରାୟଗଡ଼ା ଜିଲ୍ଲାର ଆନ୍ଧ୍ରକୁ ଲାଗି ରହିଥିବା ଗ୍ରାମଗୁଡିକ ଉପରେ ଆନ୍ଧ୍ରର ନଜର ରହିଛି। ଏବେ ଠାରୁ ପ୍ରଶାସନ ସଜାଗ ନହେଲେ ଆଗକୁ ବିପଦ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର