ଅନ୍ତରଙ୍ଗ ବନ୍ଧୁ ଓ ମାର୍ଗଦର୍ଶକ

ପ୍ରବୀର କୁମାର ଦାସ

ଏ କଥା ଅନେକ ଲୋକ ଜାଣନ୍ତି ଯେ ମୋହନ ଦାସ କରମଚନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବା ସକାଶେ ଯେଉଁ କତିପୟ ଘଟଣା ଓ କାରଣମାନଙ୍କର ପ୍ରଭାବ ରହିଛି, ତା’ ମଧ୍ୟରେ ଅଛି ଖଣ୍ଡିଏ ବହି, ଯାହାର ନାମ ‘ଅନ୍‌ଟୁ ଦିସ୍‌ ଲାଷ୍ଟ୍‌’। ଏହାକୁ ଲେଖିଥିଲେ ଜନ୍‌ ରସ୍କିନ୍‌। ଗାନ୍ଧୀଜୀଙ୍କ ଜୀବନ ଦୃଷ୍ଟିକୁ ଏହି ପୁସ୍ତକ ବଦଳାଇ ଦେଇଥିଲା, ଯାହାକୁ ଏକ ରେଳ ଯାତ୍ରା ସମୟରେ ସେ ପଢ଼ିଥିଲେ। ଆମେରିକାର କିଂବଦନ୍ତୀୟ ରାଷ୍ଟ୍ରପତି ଆବ୍ରାହାମ ଲିଂକନଙ୍କ ସମ୍ବନ୍ଧରେ ଗୋଟିଏ କାହାଣୀ ଶୁଣିବାକୁ ମିଳିଥାଏ। ଏକଦା ତରୁଣ ଲିଂକନ ତାଙ୍କ ମାଲିକଙ୍କ ଆଦେଶରେ କୌଣସି ଏକ କାମରେ ବାହାରି ମାଲିକଙ୍କ ଘୋଡ଼ା ପିଠିରେ ବସି ଯାଉଥିବା ବେଳେ ବହିଟିଏ ପଢ଼ିବା ସମ୍ଭବ ନ ହେବାରୁ ସେ ଘୋଡ଼ା ସହିତ ଚାଲି ଚାଲି ବହି ପଢ଼ିବାରେ ନିମଗ୍ନ ହେଲେ। ତେବେ, ଅନେକ ସମୟ ପରେ ବହି ପଢ଼ାରେ ମଜ୍ଜି ଯାଇଥିବା ଲିଂକନ ହଠାତ୍‌ ଆବିଷ୍କାର କଲେ ଯେ କୌଣସି କାରଣରୁ ଲଗାମଟି ଛିଣ୍ଡି ଯାଇ ଘୋଡ଼ାଟି ପଳାଇ ଯାଇଛି ଏବଂ ତାଙ୍କ ହାତରେ କେବଳ ଛିଣ୍ଡା ଲଗାମର ଅଂଶ ରହିଯାଇଛି। ଏହା ପରେ ତାଙ୍କର କି ଦଶା ହୋଇଥିଲା, ସେ ସମ୍ବନ୍ଧରେ ଅବଶ୍ୟ କାହାଣୀଟି ନିରବ; କିନ୍ତୁ ସେ ସେହି ସମୟରେ ଯେଉଁ ପୁସ୍ତକଟି ପଢୁଥିଲେ, ତାହା ଥିଲା ମାସନ ୱିମ୍‌ସଙ୍କ ଦ୍ବାରା ଲିଖିତ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନଙ୍କ ଏକ ଜୀବନୀ। ଏହି ଜୀବନୀ ତାଙ୍କୁ ଏଭଳି ପ୍ରେରଣା ଦେଇଥିଲା ଯେ ସେ ସମସ୍ତ ପ୍ରତିକୂଳତା ଅତିକ୍ରମ କରି ଆମେରିକାର ରାଷ୍ଟ୍ରପତି ହୋଇପାରିଥିଲେ।
ସତ କହିଲେ ବହିଗୁଡ଼ିକ ଭିତରେ ଏମିତି କିମିଆ ଲୁଚି ରହିଥାଏ ଯେ ତାହା କେବଳ ନିର୍ଦ୍ଦିଷ୍ଟ ପାଠକ ବା ପାଠିକାଙ୍କ ଅନ୍ତର୍ଦୃଷ୍ଟି ବା ଜୀବନ ଦୃଷ୍ଟିକୁ ବଦଳାଇ ଦେଇ ନ ଥାଏ, ସେହି କ୍ରମରେ ଏହା ସେମାନଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଇଥାଏ। ଭାରତୀୟ ପ୍ରାଚୀନ ଗ୍ରନ୍ଥ ମଧ୍ୟରେ ଶ୍ରୀମଦ୍‌ ଭଗବତ୍‌ ଗୀତା ଏହାର ଏକ ଅନନ୍ୟ ଉଦାହରଣ। କହିବା ବାହୁଲ୍ୟ ଯେ ଅନେକ ବ୍ୟକ୍ତି, ସାଧାରଣ ସ୍ତରରୁ ମହାନ ପର୍ଯ୍ୟନ୍ତ, ସେମାନଙ୍କ ଜୀବନର ଘଡ଼ିସନ୍ଧି କ୍ଷଣରେ ମାର୍ଗ ନିର୍ଦ୍ଧାରଣ ସକାଶେ ଏହି ଅନନ୍ୟ ଗ୍ରନ୍ଥଟିର ସାହାଯ୍ୟ ନେଇଥିବା ବିଷୟ ସ୍ବୀକାର କରନ୍ତି। ବାଳ ଗଙ୍ଗାଧର ତିଳକ ଏବଂ ମହାତ୍ମା ଗାନ୍ଧୀ ଗୀତା ସଂଦର୍ଭରେ ସେହି ସମାନ କଥା କହିଥିଲେ ଯେ ଏହାକୁ ଯେତେ ଥର ପାଠ କରିବ, ତା’ ମଧ୍ୟରୁ ସେତିକି ଅଧିକ ନୂଆ ନୂଆ ଅର୍ଥ ଫୁଟି ବାହାରିବ। ବିପ୍ଳବୀ ଅରବିନ୍ଦ ଘୋଷଙ୍କୁ ଯୋଗୀ ଅରବିନ୍ଦରେ ପରିଣତ କରିବାରେ ଏହି ମହାନ ଗ୍ରନ୍ଥର ମଧ୍ୟ ଅବଦାନ ରହିଛି।
ଯୁକ୍ତରାଷ୍ଟ୍ର ଆମେରିକାର ଲେଖିକା ହାରିଏଟ୍ ବିଚର ‌େଷ୍ଟା ଏକ ପୁୁସ୍ତକ ଲେଖିଥିଲେ, ଯାହାର ନାମ ଥିଲା ‘ଅଙ୍କଲ ଟମ୍‌ସ କେବିନ୍‌।’ ଏହା କ୍ରୀତଦାସ ପ୍ରଥା ବିରୋଧରେ ଏଭଳି ଜନମତ ସୃଷ୍ଟି କରିଥିଲା ଯେ ଏହି ଘୃଣ୍ୟ ପ୍ରଥା ଲୋପ ପା‌ଇବା ଦିଗରେ ପଥ ପ୍ରସ୍ତୁତ ହୋଇଯାଇଥିଲା। ସେମିତି ରୁଷୋ‌ ବା ଭଲଟାୟାରଙ୍କ ଦ୍ବାରା ରଚିତ ପୁସ୍ତକର ପ୍ରଭାବରୁ ଫରାସୀ ବିପ୍ଳବ ରୂପ ପାଇଥିଲା। କାର୍ଲ ମାର୍କସଙ୍କ ରଚିତ ବିଶାଳ ‘ଦସ କ୍ୟାପିଟାଲ’ ଏବଂ ଫ୍ରେଡରିକ ଏନ୍‌ଜେଲସ ଓ ମାର୍କସ ମିଳିତ ଭାବେ ରଚନା କରିଥିବା ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ର ପ୍ରଭାବ ବାମପନ୍ଥୀ ଚିନ୍ତାଧାରାକୁ ଏଭଳି ବ୍ୟାପକ କରିଥିଲା ଯେ ଗୋଟିଏ ସମୟରେ ପୃଥିବୀର ପ୍ରାୟ ଅର୍ଦ୍ଧେକ ଅଂଶ କମ୍ୟୁନିଷ୍ଟ ଶାସନାଧୀନ ହୋଇ ଯାଇଥିଲା। କ୍ୟୁବାର କିଂବଦନ୍ତୀୟ କମ୍ୟୁନିଷ୍ଟ ଆନ୍ଦୋଳନ ଏବଂ ଫିଡେଲ କାଷ୍ଟ୍ରୋଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ଆବିର୍ଭାବ କଥା ଉଠିଲେ ଅମର ବିପ୍ଳବୀ ଅର୍ନେଷ୍ଟୋ ସେ’ ଗୁଏଭେରାଙ୍କ କଥା ମନକୁ ଆସିଥାଏ। ଗୁଏଭେରା ଥିଲେ ଜଣେ ଆର୍ଜେଣ୍ଟିନୀୟ ଯୁବ ଡାକ୍ତର, ଯିଏ କ୍ୟୁବା କମ୍ୟୁନିଷ୍ଟ ଆନ୍ଦୋଳନରେ ଯୋଗ ‌େଦବା ସହିତ ଲାଟିନ ଆମେରିକା ଅଞ୍ଚଳରେ ପାଲଟି ଯାଇଥିଲେ ଏକ ଜୀବନ୍ତ କିଂବଦନ୍ତି। କୁହାଯାଏ ଗରିଲା ଯୁଦ୍ଧରେ ବ୍ୟାପୃତ ହୋଇ ସେ ବନ-ପ୍ରାନ୍ତର ଘୂରି ବୁଲୁଥିବା ବେଳେ ତାଙ୍କ କାର୍ଗୋ ପ୍ୟାଣ୍ଟର ପକେଟରେ ସଦା ବେଳେ ରହୁଥିଲା ଦୁଇଟି ପୁସ୍ତକ: ଗୋଟିଏ କମ୍ୟୁନିଷ୍ଟ ମାନିଫେଷ୍ଟୋ ଏବଂ ଦ୍ବିତୀୟଟି ପୃଥିବୀ ବିଖ୍ୟାତ ଚିଲୀୟ କବି ପାବ୍‌ଲୋ ନେରୁଦାଙ୍କ କବିତା ସଂଗ୍ରହ।
ପୁସ୍ତକ କେମିତି ପ୍ରଭାବିତ କରେ ତାହା ପ୍ରସିଦ୍ଧ ଫରାସୀ କବି ବୋଦାଲେୟରଙ୍କ ଏକ ଉକ୍ତିରୁ ମିଳିଥାଏ। ବନ୍ଧୁମାନଙ୍କ ସହିତ ଅନେକ ସମୟ ବିତାଇବା ପରେ ନିଜ ପାଠାଗାରର ବହି ଥାକ ପାଖକୁ ଆସି ସେ କୁଆଡ଼େ ସ୍ବଗତୋକ୍ତି କରିଥିଲେ- ଏବେ ମୁଁ ପ୍ରକୃତ ବନ୍ଧୁମାନଙ୍କ ପାଖକୁ ଆସିଲି। ପ୍ରକୃତରେ ବନ୍ଧୁ ଓ ଦିଗଦର୍ଶକ ରୂ‌େପ ପୁସ୍ତକର ଅବଦାନ କ’ଣ ତାହା ପୁସ୍ତକ ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତି ସ୍ବୀକାର କରିବେ। ଏହି ଲେଖକ ମଧ୍ୟ ତାହାର ଅନୁଭୂତି ପାଇଛି। ଜୀବନର ଏକ ଅନ୍ତରଙ୍ଗ ଲକ୍ଷ୍ୟକୁ ଚରିତାର୍ଥ କରିବାର ବିଫଳତା ଯେତେବେଳେ ଆତ୍ମହତ୍ୟା କରିବା ଆଡ଼କୁ ଠେଲି ନେଉଥିଲା, ସେତିକି ବେଳେ ଏହି ଲେଖକ ଏକ ପୁରୁଣା ବହି ଦୋକାନରେ ଅଗତ୍ୟା ଉଠାଇ ଆଣିଥିଲା ଏକ ପୁସ୍ତକ, ଯାହାର ନାମ ଥିଲା ‘ତରୁଣର ସ୍ବପ୍ନ’। ଏହା ଥିଲା ନେତାଜୀ ସୁଭାଷ ବୋଷଙ୍କ ରଚନାର ଏକ ସମାହାର। ସେହି ପୁସ୍ତକ ପାଠ କରିବା ପରେ ମନରେ ଯେଉଁ ସଂକଳ୍ପ ସୃଷ୍ଟି ହୋଇଥିଲା ତାହା ସେ ଦିନ ଏକ ଆତ୍ମହତ୍ୟାକାମୀ ଯୁବକର ପଥ ବଦଳାଇ ଦେଇଥିଲା। ଏମିତି ନିରବ ମାର୍ଗଦର୍ଶକ ଓ ବନ୍ଧୁ ଆଉ କେଉଁଠି ଅବା ମିଳନ୍ତା!
ମୋ: ୮୮୪୭୮୬୮୦୫୦

ସମ୍ବନ୍ଧିତ ଖବର